କେତେ କ୍ଷତି କରିଛି ଅମ୍ଫାନ୍ ? ବାତ୍ୟାର ୧୫ ଦିନ ପରେ ଆକଳନ ପାଇଁ ଗ୍ରାଉଣ୍ଡ ଜିରୋରେ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର: ମୋଦି ଦେଖିଥିଲେ, ଏବେ ଆସିଛି କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳ । ବାତ୍ୟା ଅମ୍ଫାନ ରଚିଥିବା ତାଣ୍ଡବର ଗ୍ରାଉଣ୍ଡଜିରୋର ଅନୁଧ୍ୟାନ କରୁଛି କେନ୍ଦ୍ରୀୟ ଟିମ୍ । ଓଡ଼ିଶା ପାଇଁ ଅଗ୍ରୀମ ୫ ଶହ କୋଟିର ପ୍ୟାକେଜ ଘୋଷଣା କରିଛନ୍ତି ମୋଦି । କେନ୍ଦ୍ରୀୟ ଟିମର ରିପୋର୍ଟ ପରେ ଓଡ଼ିଶା ପାଇଁ ଅତିରିକ୍ତ ପ୍ୟାକେଜ ଘୋଷଣା କରିପାରେ କେନ୍ଦ୍ର ।

ଅମ୍ଫାନକୁ ପୂରିଲା ୧୫ ଦିନ । ଶୋଇ ପଡ଼ିଥିବା ବିଦ୍ୟୁତ୍ ଖୁଣ୍ଟ ଛିଡ଼ା ହୋଇଗଲାଣି । ଭାଙ୍ଗିଥିବା ଘର ବି ମରାମତି ଚାଲିଛି, ରାସ୍ତାରୁ ହଟିଗଲାଣି ଭଙ୍ଗା ଗଛ । ଏଭିତରେ ଗ୍ରାଉଣ୍ଡଜିରୋରେ ପହଞ୍ଚିଚି କେନ୍ଦ୍ରର ଆନ୍ତଃ ମନ୍ତ୍ରୀସ୍ତରୀୟ ଟିମ୍‌ । ବୁଲିଲା ଓଡ଼ିଶାର ପ୍ରଭାବିତ ଅଞ୍ଚଳ । ଦେଖିଲା ଲୋକଙ୍କ ଦୁର୍ଦ୍ଦଶା, କ୍ଷୟକ୍ଷତିର ଆକଳନ କଲା । ମେ’ ମାସରେ ବାତ୍ୟା ଅମ୍ଫାନ ଛାଡିଯାଇଥିବା କ୍ଷତିର ଉପଶମ ପାଇଁ ଜୁନରେ ଓଡ଼ିଶା ଆସିଛି କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳ । ପ୍ରଥମ ଦିନରେ ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରଭାବିତ ଅଞ୍ଚଳ ବୁଲି କରିଛି କ୍ଷୟକ୍ଷତିର ଆକଳନ । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀ ପ୍ରକାଶଙ୍କ ନେତୃତ୍ୱରେ ବାଲେଶ୍ୱର ପହଞ୍ଚିବା ପରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲା । ପରେ ସର୍ବାଧିକ କ୍ଷତିଗ୍ରସ୍ତ ବାଲିଆପାଳ ଓ ଭୋଗରାଇର ପ୍ରଭାବିତ ଅଞ୍ଚଳ ବୁଲିଛି କେନ୍ଦ୍ରୀୟ ଟିମ୍‌ । ବାତ୍ୟା ଅମ୍ଫାନରେ ଜିଲ୍ଲାର ୭ଟି ବ୍ଲକର ୩୬୭ ଗାଁ କ୍ଷତିଗ୍ରସ୍ତ ହୋଇଥିଲା । ୪୭ କୋଟିରୁ ଅଧିକ ଟଙ୍କାର କ୍ଷତି ହୋଇଥିବା ଆକଳନ କରିଛି ଜିଲ୍ଲା ପ୍ରଶାସନ । ସେପଟେ ବାତ୍ୟାରେ ଉଜୁଡ଼ି ଯାଇଥିବା ଚାଷବାସ, ବିଦ୍ୟୁତ୍ ସରବରାହ ଓ ମାଛଧରା ଡଙ୍ଗାର କ୍ଷୟକ୍ଷତି ଉପରେ ଗୁରୁତ୍ୱ ଦେଇଛି କେନ୍ଦ୍ରୀୟ ଟିମ୍‌ ।

ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ରୀୟ ଟିମ୍‌ କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ କ୍ଷୟକ୍ଷତିର ଅନୁଧ୍ୟାନ କରିଛି । ୩ ଜଣିଆ ଟିମ୍ ପ୍ରଥମେ ଜିଲ୍ଲାପାଳଙ୍କ ସହ ବୈଠକ କରିବା ପରେ ରାଜନଗରର ପେଣ୍ଠ ଅଞ୍ଚଳ ଗସ୍ତ କରି ବାତ୍ୟା ରଚିଥିବା ତାଣ୍ଡବ ଦେଖିଥିଲେ । ଖୁବଶୀଘ୍ର କ୍ଷୟକ୍ଷତିର ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯିବ ବୋଲି ସୂଚନା ଦେଇଛି କେନ୍ଦ୍ରୀୟ ଟିମ୍‌ ।

ମେ ୨୦ରେ ବାତ୍ୟା ଅମ୍ଫାନ ବଙ୍ଗ ଗଲା ବେଳେ ଓଡ଼ିଶାରେ ଘସି ହୋଇ ଯାଇଥିଲା । ଯାହାଦ୍ଵାରା ଉପକୂଳ ସମେତ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଛାରଖାର କରିଥିଲା । ପ୍ରଥମ ଦିନରେ କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳ ବାଲେଶ୍ୱର ଓ କେନ୍ଦ୍ରାପଡ଼ାର ବିଭିନ୍ନ ଅଞ୍ଚଳ ବୁଲିଥିବା ବେଳେ, ଶୁକ୍ରବାର ଭଦ୍ରକ ଓ ଜଗତସିଂହପୁରର ପ୍ରଭାବିତ ଅଞ୍ଚଳ ବୁଲିବାର କାର୍ଯ୍ୟକ୍ରମ ରହିଛି ।

Leave a Reply