କେନ୍ଦ୍ରର ନୂଆ ନିୟମ ଆସିବା ପୂର୍ବରୁ କେରଳ ଓ ପଶ୍ଚିମବଙ୍ଗର ବିରୋଧ

1 min read

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ୍ (CAA) ଓ ଏନ୍ଆରସି (NRC)କୁ ନେଇ ଦେଶବ୍ୟାପୀ ବିଦ୍ରୋହର ବହ୍ନି ଜଳୁଛି । ଏତିକିବେଳେ କେନ୍ଦ୍ରର ମୋଦି ସରକାର ଆଣିବାକୁ ଯାଉଛନ୍ତି ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର (NPR) । ଆଗାମୀ ସପ୍ତାହରେ ବସିବାକୁ ଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏନପିଆରକୁ ସବୁଜ ସଙ୍କେତ ମିଳିପାରେ । ଏନପିଆର ଆସିବା ପୂର୍ବରୁ ପଶ୍ଚିମବଙ୍ଗ ଓ କେରଳ ସରକାର ଏହାକୁ ବିରୋଧ କରୁଛନ୍ତି ।

NPR କଣ ?

ନ୍ୟାସନାଲ ପପୁଲେସନ ରେଜିଷ୍ଟର (NPR)  ଦ୍ୱାରା ୨୦୨୦ ଏପ୍ରିଲ ପହିଲାରୁ ୨୦୨୦ ସେପ୍ଟେମ୍ବର ୩୦ ଯାଏଁ ନାଗରିକଙ୍କ ଡାଟାବେସ୍ ତିଆରି କରାଯିବ । ଦେଶସାରା ଘରକୁ ଘର ଯାଇ ଜନଗଣନା ହେବ । ଦେଶରେ ବସବାସ କରୁଥିବା ଲୋକଙ୍କ ବ୍ୟାପକ ପରିଚୟ ସଂଗ୍ରହ କରାଯାଇ ଡାଟାବେସ୍ ତିଆରି କରିବା ଏନପିଆରର ମୁଖ୍ୟ ଉଦ୍ଦେଶ । ଏଥିରେ ଜନସଂଖ୍ୟା ସହ ଲୋକଙ୍କ ବାୟୋମେଟ୍ରିକ ତଥ୍ୟ ରହିବ ।NRCଠୁ କେମିତି ଅଲଗା ?

ଏନପିଆର ଓ ଏନଆରସି ମଧ୍ୟରେ ପାର୍ଥକ୍ୟ ରହିଛି । ଏନଆରସି ଦେଶରେ ଲୁଚି କରି ରହିଥିବା ଲୋକଙ୍କୁ ବାହାର କରିବା ପାଇଁ କରାଯାଇଛି । ସେହିଭଳି ୬ ମାସରୁ ଅଧିକ ସମୟ ଧରି ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ରହୁଥିବା କୌଣସି ଲୋକଙ୍କୁ ଏନପିଆରେ ପଞ୍ଜିକରଣ କରିବାକୁ ପଡ଼ିବ । ଯଦି କୌଣସି ବିଦେଶୀ ନାଗରିକ ଭାରତରେ ୬ ମାସରୁ ଅଧିକ ସମୟ ଧରି ରହୁଛନ୍ତି । ତାଙ୍କୁ ମଧ୍ୟ ଏନପିଆରରେ ସାମିଲ୍ କରାଯିବ । ଏହାଦ୍ୱାରା ସରକାରୀ ଯୋଜନାର ଲାଭ ସିଧାସଳଖ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରିବ ବୋଲି କୁହାଯାଉଛି ।ୟୁପିଏ ସରକାରଙ୍କ ଯୋଜନା

କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାରରେ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିବାବେଳେ ୨୦୧୦ ମସିହାରେ ଏନପିଆର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ୨୦୧୧ ଜନଗଣନା ପୂର୍ବରୁ ଏହା ଉପରେ କାମ ଆରମ୍ଭ ହୋଇଥିଲା । ଏବେ ୨୦୨୧ ଜନଗଣନା ଆରମ୍ଭ ହେବାକୁ ଯାଉଛି । ତା’ପୂର୍ବରୁ କେନ୍ଦ୍ର ସରକାର ଏନପିଆର ଉପରେ କାମ ଆରମ୍ଭ କରିଦେଇଛନ୍ତି ।

Leave a Reply