ସିବିଆଇ ରେଡ୍‌ ପ୍ରସଙ୍ଗ : ବିଜେପିକୁ ବିଜେଡିର ଉତ୍ତର,ତଦନ୍ତକୁ ଆମେ ଡରୁନା

ଭୁବେନେଶ୍ୱର: ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ରଙ୍କ ଘରେ ସିବିଆଇ ରେଡକୁ ନେଇ ରାଜନୀତି ଜୋର ଧରିଛି । ପକ୍ଷ ଓ ବିପକ୍ଷ ପରସ୍ପର ଉପରେ ଆକ୍ରମଣ ଜାରି ରଖିଛନ୍ତି । ବିଜେଡି ତଦନ୍ତକୁ ଭୟ କରୁଛି ବୋଲି ବିଜେପି ଅଭିଯୋଗର ଉତ୍ତର ରଖିଛନ୍ତି ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବ । ସେ କହିଛନ୍ତି ଯେ, ଆମେ କାହିଁକି ଭୟ କରିବୁ ? ନିର୍ବାଚନ ଆସିଲେ ବିରୋଧୀ ଏମିତି ଡ୍ରାମା କରନ୍ତି ।   କିନ୍ତୁ ଏହାର କିଛି ପ୍ରଭାବ ବିଜେଡି ଉପରେ ପଡିବ ନାହିଁ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯିଏ ଦୋଷୀ ସିଏ ଦଣ୍ଡ ପାଇବ । ଆଇନ ତା ବାଟରେ ଯିବ । ପୂର୍ବରୁ ଅନେକ ଲୋକଙ୍କ ଘରକୁ ସିବିଆଇ ଯାଇଛି ଆପଣ ମାନେ ଜାଣନ୍ତି ଫଳ କଣ ହୋଇଛି । ତେଣୁ ଯେଉଁ ନିର୍ବାଚନକୁ ଆଖି ଆଗରେ ରଖି ଏମିତି କରାଯାଇଛି ତାର କିଛି ପ୍ରଭାବ ପଡିବନି ।

Seashore Chit Fund Case, CBI Raid in Ex Tourist Minister Debi Mishra House

ସୂଚନାଯୋଗ୍ୟ ଯେ, ଦେବୀ ମିଶ୍ରଙ୍କ ଘରେ ସିବିଆଇ ରେଡ୍ ପ୍ରସଙ୍ଗରେ ବିଜେପି କହିଥିଲା କି ଯେଉଁ ନେତା ଓ ଅଫିସର ଚିଟଫଣ୍ଡ ସ୍କାମରେ ସମ୍ପୃକ୍ତ ଅଛନ୍ତି ସେମାନେ ଦଣ୍ଡ ପାଇବା ଉଚିତ । ବିଜେଡି ସିବିଆଇକୁ ଏତେ ଭୟ କାହିଁକି କରୁଛି  । ସିବିଆଇ ଏକ ସ୍ଵାଧୀନ ସଂସ୍ଥା, କାହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ସେମାନେ ନିଷ୍ପତ୍ତି ନେବେ । ସିବିଆଇ ବିଜେପିର ମୋର୍ଚ୍ଚା ନୁହେଁ । ସିବିଆଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରିଥାଏ ବୋଲି ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ ।

ଅନ୍ୟପକ୍ଷରେ  କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖିଛି । କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନିପତିଙ୍କ ପ୍ରତିକ୍ରିୟା ରଖିଛନ୍ତି । ସିବିଆଇ ବିଜେପିର କଣ୍ଢେଇ । ସାତ ବର୍ଷହେଲା କୁଆଡେ ଯାଇଥିଲ ସିବିଆଇ ବୋଲି ପ୍ରଶ୍ନ କରିଛନ୍ତି ତାରା । କେବଳ ନିର୍ବାଚନ ବେଳେ ବିଜେପି ବିଜେଡି ଅଲଗା ବୋଲି ଏମାନେ ଦେଖେଇ ହୁଅନ୍ତି, ବାସ୍ତବରେ ଏମାନେ ଗୋଟିଏ ।

 

ବର୍ତ୍ତମାନ କେବଳ ଚିଟ୍ ଫଣ୍ଡ ଉପରେ ରାଜନୀତି ହେଉଛି କିନ୍ତୁ କିଛି ଫାଇଦା ନାହିଁ ବୋଲି ତାରା କହିଛନ୍ତି । ତାରଙ୍କ ଭଳି କଂଗ୍ରେସ ବିଧାୟକ ସୁର ରାଉତରାୟ ମଧ୍ୟ ସମାନ ମତ ରଖିଛନ୍ତି । ସେ କହିଛନ୍ତି ଯେ, ନିର୍ବାଚନ ବେଳକୁ ସିବିଆଇର ଚିଟଫଣ୍ଡ୍ ମାମଲା କଥା ମନେ ପଡିଥାଏ । କେନ୍ଦ୍ରରେ ଯାହାର ସରକାର ଥାଏ ସିବିଆଇ ତା’କଥା ଶୁଣେ ବୋଲି ସୁର ରାଉତରାୟ କହିଛନ୍ତି ।

Leave a Reply