ରିଜର୍ଭ ବ୍ୟାଙ୍କ ପରାମର୍ଶକୁ ମାନିଲା କ୍ୟାବିନେଟ; ଡିବିଏସ ବ୍ୟାଙ୍କରେ ବିଲୟ ହେବ ଲକ୍ଷ୍ମୀବିଳାସ ବ୍ୟାଙ୍କ…

1 min read

ନୂଆଦିଲ୍ଲୀ: ଲକ୍ଷ୍ମୀବିଳାସ ବ୍ୟାଙ୍କର ବିତ୍ତୀୟ ସ୍ଥିତି ନିଅଣ୍ଟିଆ ହେବା ପରେ ସରକାର ବାଧ୍ୟ ହୋଇ ଏହାକୁ ବିଲୟ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବୁଧବାର ଦିନ କ୍ୟାବିନେଟ ନିଷ୍ପତ୍ତି କ୍ରମେ ଏହାକୁ ଡିବିଏସ ବ୍ୟାଙ୍କରେ ବିଲୟ କରାଯିବା ନେଇ ଘୋଷଣା କରିଛନ୍ତି । ଏନେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡେକର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ହିଁ ପ୍ରଥମେ ଏଭଳି କରିବାକୁ ନିର୍ଦ୍ଦେଶ ଦେଇଥିଲେ । କ୍ୟାବିନେଟ ଏହା ଉପରେ ବିଚାର ବିମର୍ଷ କରିବା ପରେ ଏଭଳି ନିଷ୍ପତ୍ତି ନେଇଛି । ଲକ୍ଷ୍ମୀବିଳାସ ବ୍ୟାଙ୍କ ବିଲୟ ହେବାକୁ ଥିବା ବ୍ୟାଙ୍କ ସିଙ୍ଗାପୁରର ଅଟେ । ଡିବିଏସ ବ୍ୟାଙ୍କ ଇଣ୍ଡିଆ ଲିମିଟେଡ ନାମକ ଏହି ଗ୍ରୁପରେ ବିଲୟ ହେଉଥିବା ଲକ୍ଷ୍ମୀବିଳାସ ବ୍ୟାଙ୍କର ବିତ୍ତୀୟ ନିଅଣ୍ଟିଆ ସ୍ଥିତିକୁ ସୁଧାରିବା ପାଇଁ ୨୪୮୦ କୋଟି ଟଙ୍କାର ପୁଞ୍ଜିନିବେଶ କରିବ । ଯାହା ଦ୍ୱାରା ବିତ୍ତୀୟ ବ୍ୟାପାରରେ ସ୍ଥିରତା ଆସିବ ।

ତେବେ ଆଜିର ପ୍ରେସ୍ ମିଟରେ ସରକାର ଓ ନିବେଶକାରୀଙ୍କ ଫୋକସରେ ଥିବା ଲକ୍ଷ୍ମୀବିଳାସ ବ୍ୟାଙ୍କ ଉପରେ ଅନେକ କଥା କୁହାଯାଇଛି । ନିବେଶ ଅର୍ଥର ଭବିଷ୍ୟତ, ବ୍ୟାଙ୍କର ଆଗାମୀ ପରିଚାଳନାଗତ ନିଷ୍ପତ୍ତି ଉପରେ କେନ୍ଦ୍ରମନ୍ତ୍ରୀ ମତ ରଖିଛନ୍ତି । ସେ କହିଛନ୍ତି ଯେ, ବ୍ୟାଙ୍କ ବିଲୟ ହେବା ପରେ ମଧ୍ୟ କୌଣସି କର୍ମଚାରୀ ଚାକିରି ହରାଇବେ ନାହିଁ । ବ୍ୟାଙ୍କ, ଦେବାଳିଆ ସ୍ଥିତିକୁ ଆସିବା ପଛରେ ଅନେକ କର୍ମଚାରୀଙ୍କର ଅବହେଳା ରହିଛି, ସେମାନଙ୍କ ଉପରେ ଆନୁଷ୍ଠାନିକ ଭାବେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ରିଜର୍ଭ ବ୍ୟାଙ୍କକୁ ନିର୍ଦ୍ଦେଶ ଦିଆଯାଇଛି । ଆଗାମୀ ସମୟରେ ଯେପରି ଏଭଳି ସ୍ଥିତି ପୁଣି ଥରେ ଦେଖିବାକୁ ନମିଳେ ସେ ଉପରେ ଧ୍ୟାନ ଦେବା ପାଇଁ ରିଜର୍ଭ ବ୍ୟାଙ୍କକୁ କୁହାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ୧୭ ନଭେମ୍ୱରରୁ ଆରବିଆଇ ଲକ୍ଷ୍ମୀବିଳାସ ବ୍ୟାଙ୍କକୁ ମାସିକିଆ ମୋରାଟୋରିୟମ ଶ୍ରେଣୀକୁ ଆଣିଥିଲା । ଯାହା ଫଳରେ ନିବେଶକାରୀଙ୍କୁ ସର୍ବାଧିକ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଉଠାଣ ଅନୁମତି ଦିଆଯାଇଥିଲା । ଏହାପରେ ସରକାର ଜରୁରୀକାଳୀନ ସ୍ଥିତିରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁଞ୍ଜି ଉଠାଣ କଥା କହିଥିଲେ । ଯାହା ଦ୍ୱାରା ନିବେଶକାରୀଙ୍କ ମଧ୍ୟରେ ସାମାନ୍ୟ ଆଶ୍ୱସ୍ତି ଆସିଥିଲା । ଏବେ ସରକାରଙ୍କର ଏହି ନିଷ୍ପତ୍ତି ପରେ ପୁଞ୍ଜି ଉଠାଣ ଓ ନିବେଶ ନେଇ କୌଣସି କଟକଣା ରହିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ଲକ୍ଷ୍ମୀ ବିଳାସ ବ୍ୟାଙ୍କର ସ୍ଥିତି ହଠାତ୍ ନୁହେଁ, ବରଂ ଗତ ୩ ବର୍ଷ ଧରି କମିବାରେ ଲାଗିଥିଲା । ଜୁନ, ୨୦୨୦ରେ ବ୍ୟାଙ୍କରେ ପ୍ରଯ୍ୟାପ୍ତ ପରିମାଣର ଅର୍ଥରାଶି ରଖିବା ଅନୁପାତ ସର୍ବକାଳୀନ ନିମ୍ନ ସ୍ତରରେ ପହଞ୍ଚି ୦.୧୭ ପ୍ରତିଶତରେ ପହଞ୍ଚିଥିଲା । ତେବେ ସ୍ୱାଭାବିକ ବିତ୍ତୀୟ ସ୍ଥିତି ରକ୍ଷା ପାଇଁ ଏହି ଅନୁପାତକୁ ୯ ପ୍ରତିଶତର ପାଖାପାଖି ରଖିବା ଆବଶ୍ୟକ । ସେହିଭଳି ୨୦୨୦ ଆର୍ଥିକ ବର୍ଷ ସୁଦ୍ଧା ବ୍ୟାଙ୍କ ମୁଣ୍ଡ ଉପରେ ୧୩ ହଜାର ୮୨୭ କୋଟି ବାକି ଓ ୨୧,୪୪୩ କୋଟିର ଜମା ଥିଲା ।

Leave a Reply