CAAକୁ ନେଇ ଜଳୁଛି ରାଜଧାନୀ ଦିଲ୍ଲୀ, ହେଡ୍ କନେଷ୍ଟବଳ ମୃତ

1 min read

ନୂଆଦିଲ୍ଲୀ: ସଂଶୋଧିତ ନାଗରିକତା ଆଇନକୁ ଜାତୀୟ ରାଜଧାନୀ ଦିଲ୍ଲୀରେ ଥମୁନି ଉତ୍ତେଜନା । CAAକୁ ନେଇ ଦିଲ୍ଲୀର ସ୍ଥାନେ ସ୍ଥାନେ ନିଆଁ ଜଳୁଛି । ହିଂସକ ପ୍ରଦର୍ଶନ ଭିତରେ ଆଜି ଦିଲ୍ଲୀ ପୋଲିସର ଜଣେ ହେଡ୍ କନେଷ୍ଟବଳଙ୍କ ମୃତ୍ୟୁ ହୋଇଛି । ଆନ୍ଦୋଳନକାରୀଙ୍କ ମାଡ଼ରେ ଲହୁଲୁହାଣ ହୋଇଛନ୍ତି ଦିଲ୍ଲୀ ପୋଲିସର ଜଣେ ଡିସିପି । ଏଥିରେ କେତକ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ଦିଲ୍ଲୀର ଗୋକୁଳପୁରୀ ଅଞ୍ଚଳରେ ଘଟିଥିବା ଏହି ହିଂସା ସାରା ଦେଶକୁ ଦୋହଲାଇ ଦେଇଛି ।ବିକ୍ଷୋଭ ପ୍ରଦର୍ଶନକାରୀଙ୍କ ଗୁଳିମାଡ଼ରେ ଦିଲ୍ଲୀ ପୋଲିସରେ ହେଡ୍ କନେଷ୍ଟବଳ ଥିବା ରତନ ଲାଲଙ୍କ ମୃତ୍ୟୁ ହୋଇଛି । ଶାହଦରା ଡିସିପି ଅମିତ ଶର୍ମା ଗୁରୁତର ଭାବେ ଆହତ ହୋଇଛନ୍ତି । ଆନ୍ଦୋଳନକାରୀଙ୍କୁ ପ୍ରତିହତ କରାଇବାକୁ ଯାଇ ପୋଲିସ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲେ ମଧ୍ୟ ଉତ୍ତେଜନା ଥମୁନି ।

ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦେଖି ଘଟଣାସ୍ଥଳକୁ ପାରା ମିଲିଟାରୀ ଫୋର୍ସକୁ ପଠାଯାଇଛି । ଦିଲ୍ଲୀର ପ୍ରାୟ ୧୦ଟି ସ୍ଥାନରେ ୧୪୪ ଧାରା ଲାଗୁ କରାଯାଇଥିବା ବେଳେ ୨ଟି ମେଟ୍ରୋ ଷ୍ଟେସନକୁ ବନ୍ଦ କରିଦିଆଯାଇଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶାନ୍ତି ରକ୍ଷା ପାଇଁ ଲୋକଙ୍କୁ ଅପିଲ୍ କରିବା ସହ ସହାୟତା ପାଇଁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି ।

Leave a Reply