ଜମୁଛି ଉପନିର୍ବାଚନ ରାଜନୀତି, କୋଭିଡ୍ କଟକଣାରେ ନିର୍ବାଚନ ପରିଚାଳନାକୁ ଗୁରୁତ୍ୱ

ଭୁବନେଶ୍ୱର: ବାଲେଶ୍ୱର ଜିଲା ବାଲେଶ୍ୱର ସଦର ଏବଂ ଜଗତସିଂହପୁର ଜିଲା ତିର୍ତ୍ତୋଲରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ଏହାକୁ ସୁବ୍ୟବସ୍ଥିତ ଢଙ୍ଗରେ କରିବା ପାଇଁ  ନିର୍ବାଚନ ଅଧିକାରୀ(ସିଇଓ) ସୁଶୀଲ କୁମାର ଲୋହାନି ନିୟମିତ ସମୀକ୍ଷା ବୈଠକ କରୁଛନ୍ତି  ।  ଶୁକ୍ରବାର ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ଦିନ ଥିଲା । ତିର୍ତ୍ତୋଲରେ  ୮ ଜଣ ନାମାଙ୍କନ ଦାଖଲ କରିଛନ୍ତି ।  ବିଜେପି, କଂଗ୍ରେସ ଏବଂ  ବିଜେଡିରୁ ଜଣେ ଲେଖାଏଁ ପ୍ରାର୍ଥୀ ରହିଛନ୍ତି । ଏହା ବ୍ୟତୀତ ଅନ୍ୟ ୫ ଜଣ ପ୍ରାର୍ଥୀ ସ୍ୱାଧୀନ ଭାବେ ଅବତୀର୍ଣ୍ଣ ହୋଇଛନ୍ତି ।

ସେହିପରି ବାଲେଶ୍ୱର ଆସନରେ ମୋଟ ୯ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।   ବିଜେଡ଼ି, କଂଗ୍ରେସ, ବିଜେପି, ସିପିଆଇରୁ ଜଣେ ଲେଖାଏଁ ଏବଂ ୫ ଜଣ ସ୍ୱାଧୀନ ଭାବେ ନାମାଙ୍କନ ଦାଖଲ କରିଛନ୍ତି । ଆସନ୍ତା ୧୯ ତାରିଖ ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର  ପାଇଁ ସମୟ ଦିଆଯାଇଛି । ସେହି ଦିନ ସନ୍ଧ୍ୟା ସୁଦ୍ଧା ପୋଷ୍ଟାଲ ବାଲଟ ପାଇଁ କ୍ୟାଣ୍ଡିଡେଟ ଫାଇନାଲ୍ ହୋଇଯିବ । କୋରନା ମହାମାରୀ ଲାଗି ୩ ଟି ବର୍ଗର  ପାଇଁ ପୋଷ୍ଟାଲ ବାଲଟର ବ୍ୟବସ୍ଥା କରାଯାଇଛି । ୮୦ବର୍ଷରୁ ଅଧିକ, ଭିନ୍ନକ୍ଷମ ଓ କରୋନା ସଂକ୍ରମିତ ବା କୋଭିଡ଼ ଦାୟିତ୍ୱରେ ଥିବା ଲୋକଙ୍କ ଲାଗି ଏହି ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ବ୍ଲକ ସ୍ତରୀୟ  ଅଫିସର ମାନେ ସମସ୍ତଙ୍କ ଘରକୁ ଯାଇ ଏହି ସମ୍ପର୍କିତ ପ୍ରକ୍ରିୟା ସମ୍ପାଦନ କରିଥିଲେ ।  ଚଳିତ ମାସ ୧୦ରୁ ୧୪ ମଧ୍ୟରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିଲା ।

ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ଏହି ବର୍ଗରେ ୧୫,୨୫୩ ଜଣ ବ୍ୟକ୍ତିବିଶେଷ ରହିଥିଲେ ।  1ସେହିପରି ୩୬୮୧ ଜଣ  ପୋଷ୍ଟାଲ ବାଲଟ ପାଇଁ ଅପଟ କରିଛନ୍ତି । ଅପରପକ୍ଷରେ ୯୬୭୭ ଜଣ ମନା କରିଛନ୍ତି । ଏହି ସର୍ଭେରୁ ୧୪୯୬ ଙ୍କ ସୂଚନା ନାହିଁ । ତନ୍ମଧ୍ୟରୁ କେତେଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି ।  ସେହିପରି ବାଲେଶ୍ଵରରେ  ୮୨୭୫ ବ୍ୟକ୍ତି ବିଶେଷ ଏହି ବର୍ଗରେ ଚିହ୍ନିତ ହୋଇଛନ୍ତି । ତନ୍ମଧ୍ୟରୁ ୧୭୨୭ ଜଣ ପୋଷ୍ଟାଲ ବାଲଟ ପାଇଁ ଆବେଦନ କରିଛନ୍ତି । ୩୫୦୩  ଜଣ ପୋଲିଂ ବୁଥରେ ଭୋଟ ଦେବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ୯୦୨ର କୌଣସି ସୂଚନା ନାହିଁ । ତନ୍ମଧ୍ୟରୁ କେତେକଙ୍କ ମୃତ୍ୟୁ ମଧ୍ୟ ହୋଇଛି ।

ଏହି ୨  ନିର୍ବାଚନମଣ୍ଡଳୀକୁ ମିଶାଇ ଦେଲେ  ୨୩,୫୮୮ ମଧ୍ୟରୁ  ୫୪୦୮ ଭୋଟର ପୋଷ୍ଟାଲ ବାଲଟ ପାଇଁ ଆଗ୍ରହ ପ୍ରକାଶ  କରିଛନ୍ତି ।  ସେହିପରି ୧୩,୧୮୦ ଜଣ ବୁଥରେ ଭୋଟ ଦେବେ ବୋଲି କହିଛନ୍ତି । ସେହିପରି ୨୩୯୮ ଜଣଙ୍କର  କୌଣସି ସୂଚନା ନାହିଁ । ଅଥବା ସେମାନଙ୍କର ମୃତ୍ୟୁ ହୋଇଛି । ପ୍ରାୟ ୨୩  ପ୍ରତିଶତ ପୋଷ୍ଟାଲ ବାଲଟ ପାଇଁ ଆବେଦନ କରିଛନ୍ତି ।  ପ୍ରାୟ ୫୬  ପ୍ରତିଶତ ବୁଥକୁ ଆସି ଭୋଟ ଦେବେ ବୋଲି କହିଛନ୍ତି ।

ତିର୍ତ୍ତୋଲରେ  ସଂକ୍ରମିତ ବା କୋଭିଡ଼ ଦାୟିତ୍ୱରେ ଥିବା ୩୪୦ ଜଣ ମଧ୍ୟରୁ ୧୩୦ ଜଣ ପୋଷ୍ଟାଲ ବାଲଟ ପାଇଁ ଆବେଦନ କରିଛନ୍ତି । ବାଲେଶ୍ଵରରେ ୧୦୧ ଜଣଙ୍କ ମଧ୍ୟରୁ କେବଳ ୪ ଜଣ ଏଥିପାଇଁ ଆବେଦନ କରିଛନ୍ତି । ଭୋଟ ଗ୍ରହଣ ବେଳକୁ ସେମାନେ ସୁସ୍ଥ ହୋଇଯାଇଥିବେ ବୋଲି ଗ୍ରହଣ କରିନାହାଁନ୍ତି । ଯେଉଁ ମାନେ ଏଥିପାଇଁ ଆବେଦନ କରିଛନ୍ତି,  ସେମାନଙ୍କ ଭୋଟ ପାଇଁ ସ୍ୱତନ୍ତ୍ର ଟିମ ଗଠନ କରାଯିବ । ପୋଲିସ ଉପସ୍ଥିତରେ ଭିଡ଼ିଓ ଗ୍ରାଫି କରାଯାଇ ସେମାନଙ୍କର ଭୋଟ କରାଯିବ ।  ଆସନ୍ତା ୨୦ରୁ ୨  ତାରିଖ ମଧ୍ୟରେ ଏହି ପ୍ରକ୍ରିୟା ଶେଷ ହେବ ବୋଲି ଜଣାପଡିଛି ।

Leave a Reply