କୋଭିଡ଼ କଟକଣାରେ ଉପନିର୍ବାଚନ ପରିଚାଳନାକୁ ସିଇଓ ଲୋହାନୀଙ୍କ ଗୁରୁତ୍ୱ

ଭୁବନେଶ୍ୱର : ରାଜ୍ୟର ୨ଟି ସ୍ଥାନରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଜଗତସିଂହପୁର ଜିଲା ତିର୍ତ୍ତୋଲ ଏବଂ ବାଲେଶ୍ୱର ଜିଲା ବାଲେଶ୍ୱର ସଦର ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି । କୋଭିଡ କଟକଣା ମଧ୍ୟରେ ରାଜ୍ୟରେ ପ୍ରଥମଥର ପାଇଁ ଭୋଟ ଗ୍ରହଣ ହେବ । ତେଣୁ ଏହି ମତଦାନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ ଢଙ୍ଗରେ  ସମ୍ପାଦିତ କରିବା ପାଇଁ ନିୟମିତ ଭାବେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଆସୁଛି ।

ଏହି କ୍ରମରେ ଗୁରୁବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ସୁଶୀଲ କୁମାର ଲୋହାନୀ ବାଲେଶ୍ୱର ଏବଂ ଜଗତସିଂହପୁର ଜିଲାପାଳଙ୍କ ସହ ଆଲୋଚନା କରିଛନ୍ତି ।

ବୈଠକରୁ ମିଳିଥିବା ସୂଚନାନୁଯାୟୀ, ୨ଟି ଉପନିର୍ବାଚନ ପରିଚାଳନା ପାଇଁ ୮୭୫ ଆର ଆଇ ଥର୍ମୋମିଟିର, ୪୩୧୪ ପିପିଇ କିଟ୍, ୬.୫ ଲକ୍ଷ ଗ୍ଲୋବସ, ୭୮୩୦ ଫେସ ସିଲ୍ଡ ଏବଂ ୮୫୫ଟି ଗାଡ଼ି ବ୍ୟବହାର କରାଯିବ ।

ଭିଡିଓ କନଫରେନ୍ସିଂ ମାଧ୍ୟମରେ ହୋଇଥିବା ଏହି ବୈଠକରେ ସାମାଜିକ ଦୂରତା ସହ କୋଭିଡ କଟକଣାକୁ କଡାକ଼଼ଡି ପାଳନ ଉପରେ ଗୁରୁତ୍ୱ ଦିଆଯିବା ଉପରେ ଗୁରୁତ୍ୱ ଦିଆଯାଇଛି । ନିର୍ବାଚନ ହେବାକୁ ଥିବା ବୁଥକୁ ବିଶୋଧନ, ଭୋଟ ଗ୍ରହଣ କେନ୍ଦ୍ରରେ ତାପମାନ ଯନ୍ତ୍ର, ସାବୁନ, ସାନିଟାଇଜର ଇତ୍ୟାଦି ମହଜୁଦ୍ କରିବାକୁ କୁହାଯାଇଛି । ନିର୍ବାଚନୀ ସଭା ଉପରେ ଏକ ରକମର ରୋକ ଲାଗିଛି । କିନ୍ତୁ କଟକଣା ମଧ୍ୟରେ ବଡ଼ ହଲ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରି ସଭା ଅନୁଷ୍ଠିତ କରାଯାଇପାରିବ ।

ସେହିପରି କୌଣସି ପ୍ରାର୍ଥୀ, ସାଧାରଣ ଜନତା, ପ୍ରଚାରକ ଅଥବା ରାଜନୈତିକ କର୍ମୀ ଯିଏ ବି କୋଭିଡ କଟକଣା ମାନିବେ ନାହିଁ, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜଣାପଡିଛି । କୋଭିଡକୁ ଦୃଷ୍ଟିରେ ରଖି ବୁଥ ସଂଖ୍ୟା ବୃଦ୍ଧି କରାଯାଇଛି । ସେଥିପାଇଁ ବ୍ୟାପକ ସଂଖ୍ୟାରେ ପୋଲିଂ ଅଧିକାରୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଇଛି । ବାଲେଶ୍ୱର ସଦର ଆସନ ପାଇଁ ୨୭୬୮ ଜଣ ଏବଂ ତିର୍ତ୍ତୋଲ ପାଇଁ ୨୯୮୪ ଜଣ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି ।

ସେହିପରି ପ୍ରତି ବୁଥରେ ଆଶା କର୍ମୀମାନେ ନିୟୋଜିତ ରହିବା ସହ ଥର୍ମାଲ ସ୍କାନିଂ, ସାନିଟାଇଜ ରଖିବେ । ଭୋଟ ଗ୍ରହଣ ସମୟରେ ସମସ୍ତଙ୍କୁ ଗ୍ଲୋବସ ବାଣ୍ଟିବା ସହ କୋଭିଡ଼ କଟକଣା ସମ୍ପର୍କିତ ସଚେତନତା କରିବେ ବୋଲି ସମୀକ୍ଷା ବୈଠକରେ କୁହାଯାଇଛି ।

 

Leave a Reply