ତିନି ଦଳର ପ୍ରାର୍ଥୀ ଘୋଷଣା ପରେ ସରଗରମ ତିର୍ତ୍ତୋଲ ଓ ବାଲେଶ୍ୱର ସଦର ମଇଦାନ

ଭୁବନେଶ୍ୱର: ଆରମ୍ଭ ହେଲାଣି ପ୍ରଚାର । କରୋନା କଟକଣା ଭିତରେ ପ୍ରାର୍ଥୀ ଘର ଘର ବୁଲି ଭୋଟରଙ୍କୁ ଭେଟିବାରେ ଲାଗିଛନ୍ତି । ବାଲେଶ୍ୱର ସଦର ବିଧାନସଭା ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ମାନସ ଦତ୍ତ ତାଙ୍କ ବାପା ଦିବଂଗତ ବିଧାୟକ ମଦନ ମୋହନ ଦତ୍ତଙ୍କ ଅଧୁରା ସ୍ୱପ୍ନକୁ ସାକାର କରିବାକୁ ଲୋକଙ୍କୁ ପ୍ରତିଶ୍ରୁତି ଦେଉଛନ୍ତି । ସେପଟେ ମମତା କୁଣ୍ଡୁଙ୍କୁ ପ୍ରାର୍ଥୀ କରି କଂଗ୍ରେସ ମହିଳା କାର୍ଡ ଖେଳିଛି । ମହିଳା ଭାବେ ସେ ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀରୁ ପ୍ରଥମ ଥର ବିଜୟୀ ହେବେ ବୋଲି ଆଶା ରଖିଛନ୍ତି । ଅନ୍ୟପଟେ ବିଜେପି ଓ କଂଗ୍ରେସକୁ ପଛରେ ପକାଇ ବିଜେଡି ଆସନ ଦଖଲ କରିବାକୁ ଆରମ୍ଭ କରିଛି ସମରସଜ୍ଜା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଓ ବିକାଶ କାମକୁ ଆଧାର କରି ବିଜୟ ନେଇ ଦୃଢ଼ ଆଶାବାଦୀ ଅଛନ୍ତି ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ।

 

ସେହିପରି ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା ବିରିଡ଼ି ବ୍ଲକ ହଳଦିଆ ପଡ଼ାରୁ ପ୍ରଚାର ଆରମ୍ଭ କରିଛନ୍ତି । ଘରକୁ ଘର ବୁଲି ନିଜ ସପକ୍ଷରେ ଭୋଟ ମାଗୁଥିବା ବେଳେ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକ ଉକୁନ୍ଦରା ପଞ୍ଚାୟତରୁ ପ୍ରଚାର ଆରମ୍ଭ କରିଦେଇଛନ୍ତି । ବିଜେଡି ମଧ୍ୟ ରଣକୌଶଳ ସହ ମଇଦାନକୁ ଓହ୍ଲାଇଛି । ବିଷ୍ଣୁ ଦାସଙ୍କ ପରଲୋକ ପରେ ତାଙ୍କ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇଛନ୍ତି ପୁଅ ବିଜୟ ଶଙ୍କର ଦାସ ।

ବିଜୟଙ୍କ ପାଇଁ ଅନୁକମ୍ପା ଭୋଟ୍ ଥିବା ବେଳେ କିଛି ବର୍ଷ ହେଲା ଏହି ଆସନ ବିଜେଡିର ଗଡ଼ ରହି ଆସିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ହିଁ ଭୋଟରଙ୍କୁ ଦଳ ଆଡ଼କୁ ପୁନର୍ବାର ଆକର୍ଷିତ କରିବ ବୋଲି ବିଜେଡି ସମର୍ଥକ ଆଶାବାଦୀ ଅଛନ୍ତି ।  କେତେକ ରାଜନୈତିକ ସମୀକ୍ଷକଙ୍କ କହିବାନୁଯାୟୀ,  ବିଜୟ ଶଙ୍କରଙ୍କ ପଲା ଅନ୍ୟ ୨ ପ୍ରାର୍ଥୀ ଅପେକ୍ଷା  ଭାରି ରହିଛି।

ସେପଟେ ଉପନିର୍ବାଚନ ପାଇଁ ପ୍ରଶାସନିକ ସ୍ତରରେ ମଧ୍ୟ ଜୋରଦାର ପ୍ରସ୍ତୁତି ଚାଲିଛି । ନିର୍ବାଚନ ପରିଚାଳନାରେ ସାମିଲ ଥିବା କର୍ମଚାରୀଙ୍କୁ ଦିଆଯାଉଛି ଘନ ଘନ ତାଲିମ । କରୋନା କଟକଣା ମଧ୍ୟରେ ନିର୍ବାଚନ ପରିଚାଳନା ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ହୋଇଛି ।

Leave a Reply