ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି, ୧୧ଟାରୁ ଅପରାହ୍ନ ୩ଟା ଭିତରେ ହେବ ନାମାଙ୍କନପତ୍ର ଦାଖଲ

1 min read

ଭୁବନେଶ୍ୱର: ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଆସନ ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି । ନାମାଙ୍କନପତ୍ର ଦାଖଲ ଆଜିଠାରୁ  ଆରମ୍ଭ ହେବ ।  ସରକାରୀ ଛୁଟି ଦିନ ବ୍ୟତୀତ ନାମାଙ୍କନ ୧୬ ତାରିଖ ଯାଏ ଚାଲିବ । ପ୍ରାର୍ଥୀମାନେ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ଭିତରେ ନାମାଙ୍କନପତ୍ର ଦାଖଲ କରି ପାରିବେ ।

ପ୍ରାର୍ଥିପତ୍ର ୧୭ ତାରିଖରେ ଯାଞ୍ଚ ହେବ। ୧୯ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଯିବ। ନଭେମ୍ବର ୩ ତାରିଖରେ ହେବ ଭୋଟ୍‌ ଗ୍ରହଣ । ନଭେମ୍ବର ୧୦ ତାରିଖରେ ଭୋଟ ଗଣତି ହୋଇ ଫଳ ପ୍ରକାଶ ପାଇବ। କରୋନା କଟକଣା ମଧ୍ୟରେ ମତଦାନ କରିବେ ଭୋଟର । ୮୦ ବର୍ଷରୁ ଅଧିକ ବୟସର ନାଗରିକ, ଦିବ୍ୟାଙ୍ଗ ଓ କୋଭିଡ୍ ସଂକ୍ରମିତ ଭୋଟର ପୋଷ୍ଟାଲ ବାଲଟରେ ମତଦାନ କରିବା ବ୍ୟବସ୍ଥା କରାଯାଇଛି ।\

ତେବେ କୋଭିଡ଼ କଟକଣା ଭିତରେ ହିଁ ଉପନିର୍ବଚନ କରିବାକୁ ନିଷ୍ପତ୍ତି ନିଆଯାଇଛି । ସାମାଜିକ ଦୂରତା ପାଇଁ ବୁଥ ସଂଖ୍ୟା ୪୦ରୁ ୫୦ ପ୍ରତିଶତ ବୃଦ୍ଧି କରାଯାଇଛି । ଆଜିଠାରୁ ପୋଷ୍ଟାଲ ବାଲଟ ପାଇଁ ବୁଥ୍ ଲେବଲ ଅଫିସରମାନେ ଘର ଘର ବୁଲିବେ । ଚିହ୍ନଟ ହୋଇଥିବା ୮୦ବର୍ଷରୁ ଅଧିକ ଲୋକ, ଭିନ୍ନକ୍ଷମ ଓ କୋଭିଡ଼ ରୋଗୀଙ୍କୁ 12d ଫର୍ମ ଦିଆଯିବ। ସେମାନେ ଯଦି ପୋଷ୍ଟାଲ ବାଲଟ ପାଇଁ ଇଚ୍ଛୁକ ଥିବେ ତେବେ ସେମାନେ ସେହି ଫର୍ମ ଭରିବେ । ୧୪ ତାରିଖ ଭିତରେ ଏହି ପ୍ରକ୍ରିୟା ସରିବାକୁ ନିଷ୍ପତ୍ତି ହୋଇଛି ।

୨୧ତାରିଖ ପରେ ୮ଦିନ ଯାଏ ଘର ଘର ବୁଲି ସ୍ୱତନ୍ତ୍ର ଟିମ ପୋଷ୍ଟାଲ ବାଲଟ ଦ୍ୱାରା ଭୋଟିଂ କରାଯିବ । ପୋଲିସ ଉପସ୍ଥିତିରେ ଦୁଇଟି ଲଫାପାରେ ଏହାକୁ ସିଲ କରି ଏହାର ଭିଡ଼ିଓ କରାଯିବ । ନିର୍ବାଚନ ତାରିଖ ନଭେମ୍ବର ୩ ପୂର୍ବରୁ ପୋଷ୍ଟାଲ ବାଲଟ ଭୋଟିଂ ସରିବ। ନାମାଙ୍କନ ପାଇଁ ପ୍ରାର୍ଥୀଙ୍କ ସହ ୨ ଜଣ ଯାଇ ପାରିବେ ଏବଂ ଦୁଇଟି ଗାଡ଼ି ନେବେ । ଘର ଘର ବୁଲିବା ବେଳେ ପ୍ରାର୍ଥୀ ସହ କେବଳ ୫ ଜଣ ରହିବେ । ଯଦି ପ୍ରାର୍ଥୀଙ୍କ ସୁରକ୍ଷା କର୍ମୀ ଥିବେ, ତେବେ ୬ ଜଣ ରହିବେ । ଜିଲ୍ଲା ନିର୍ବାଚନ ଅଫିସରମାନେ ସଭା ସ୍ଥଳ ଚିହ୍ନଟ କରିବେ । ଯେଉଁଠି ପର୍ଯ୍ୟାପ୍ତ ସ୍ଥାନ ଥିବ ସେଠାରେ ହିଁ ଦଳମତ ନିର୍ବିଶେଷରେ ରାଜନୈତିକ ଦଳମାନଙ୍କୁ ସଭା ସମିତି କରିବାର ଅନୁମତି ମିଳିବ।

Leave a Reply