ଘାତକ ଖୋଜୁଛି ତିହାର ଜେଲ୍, ଦଉଡ଼ି ତିଆରି ପାଇଁ ହେଲାଣି ନିର୍ଦ୍ଦେଶ, ଆଗକୁ କିଏ ପାଇବ ଫାଶୀ ?

1 min read

ନୂଆଦିଲ୍ଲୀ : ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ଏନକାଉଣ୍ଟର ପରେ ପରେ ନିର୍ଭୟା ମାମଲାର ଦୋଷୀଙ୍କୁ ଦଣ୍ଡଦେବାକୁ ଦାବି ଜୋର ହୋଇଛି । ଏଭଳି ସ୍ଥିତିରେ ଏବେ ଦେଶରେ ଫାଶୀ ପାଇବାକୁ ଅଛନ୍ତି ୩୭୧ ଜଣ । ସମସ୍ତଙ୍କୁ ଦଣ୍ଡାଦେଶ ହୋଇ ସାରିଥିବା ବେଳେ ବିଭିନ୍ନ କାରଣରୁ ଏମାନଙ୍କୁ ଫାଶୀ ଦିଆଯାଇପାରୁ ନାହିଁ ।


ଜାତୀୟ ଗଣମାଧ୍ୟମ ‘ଦି ନ୍ୟୁଇ ଇଣ୍ଡିଆନ୍ ଏକ୍ସପ୍ରେସ’ର ରିପୋର୍ଟ ଅନୁସାରେ ଉତ୍ତର ପ୍ରଦେଶ ସୀମାରେ ଥିବା ବିହାରର ବକ୍ସର ଜେଲ୍ କର୍ତ୍ତୃପକ୍ଷଙ୍କୁ ଫାଶୀ ବେଳେ ବ୍ୟବହାର ହେଉଥିବା ମାନିଲା ଦଉଡ଼ି ପ୍ରସ୍ତୁତ କରିବାକୁ କୁହାଯାଇଛି । ଆବଶ୍ୟକତା ନଥିଲେ ଏଭଳି ଦଉଡ଼ି ପ୍ରସ୍ତୁତ କରାଯାଏ ନାହିଁ ବୋଲି ଜେଲ୍ କର୍ତ୍ତୃପକ୍ଷ କହିଛନ୍ତି । ଏବେ ବକ୍ସର ଜେଲକୁ ଏହିପରି ୧୦ଟି ଦଉଡ଼ି ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଆସିଛି ।

ବିହାରର ବକ୍ସର ଜେଲ୍

୨୦୧୩ ପରେ ପ୍ରଥମ କରି ବକ୍ସର ସେଣ୍ଟ୍ରାଲ୍ ଜେଲକୁ ଦଉଡ଼ି ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଶେଷଥର ପାଇଁ ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ଦୋଷୀ ସାବ୍ୟସ୍ତ ଅଜମଲ୍ କସବ ପାଇଁ ଦଉଡ଼ି ତିଆରି କରାଯାଇଥିଲା । ବକ୍ସର ଜେଲର ସୁପରିଟେଣ୍ଡେଣ୍ଟ ବିଜୟ କୁମାର ଆରୋରାଙ୍କ ସୂଚନା ମୁତାବକ, ଭବିଷ୍ୟରେ ଏହି ଦଉଡ଼ିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ତିଆରି ପାଇଁ ନିର୍ଦ୍ଦେଶ ଆସିଥାଇପାରେ । ବରିଷ୍ଠ ଅଧିକାରୀଙ୍କ ନିର୍ଦ୍ଦେଶ ନଆସିଲେ ଏହାକୁ ସାଧାରଣରେ ତିଆରି କରାଯାଏ ନାହିଁ ।

ଅଫଜଲ ଗୁରୁ

ଏହାସହ ସେ ଆହୁରି କହିଛନ୍ତି ଯେ, ୨୫ ଦିନ ମଧ୍ୟରେ ଏହି ଫାଶୀ ଦଉଡ଼ି ତିଆରି ପାଇଁ କୁହାଯାଇଛି । ଜେ-୩ କଟନ ବ୍ୟବହାର ସହ ଟ୍ବିଷ୍ଟ ଓ ଟର୍କ କୌଶଳ ବ୍ୟବହାର କରି ଏହାକୁ ତିଆରି କରାଯିବ । ୮ ଜଣ ବ୍ୟକ୍ତି ଏହାକୁ ତିଆରି କରିବେ । ଗୋଟିଏ ଗୋଟିଏ ଦଉଡ଼ିରେ ୭ ହଜାର ୨୦୦ ଶହ ସୂତା ବ୍ୟବହାର ହୋଇଥାଏ । ୧୫୦ କିଲୋରୁ ଅଧିକ ଓଜନ ସମ୍ଭାଳିବାର କ୍ଷମତା ରଖିଥାଏ ଏହି ଫାଶୀ ଦଉଡ଼ି । ସାଧାରଣତଃ ୧୬ ଫୁଟର ଲମ୍ବର ଦଉଡ଼ି ପ୍ରସ୍ତୁତ ହୋଇଥାଏ । ୭୦୦ ଟଙ୍କାରୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ଏହାର ମୂଲ୍ୟ ରହିଥାଏ । ଏବେ ୨୦୧୨ ନିର୍ଭୟା ମାମଲାରେ ୪ ଜଣ ଫାଶୀ ଦଣ୍ଡାଦେଶ ପାଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କର ରାଜକ୍ଷମା ଆବେଦନକୁ ଗୃହ ମନ୍ତ୍ରାଳୟ ଖାରଜ୍ କରିଦେଇଛି । ଅନ୍ୟଜଣେ ଅଭିଯୁକ୍ତ ବିନୟ ଶର୍ମା ଶନିବାର ଦିନ ରାଜକ୍ଷମା ଆବେଦନ ପ୍ରତ୍ୟାହାର କରିଛନ୍ତି ।


ଏପଟେ ଫାଶୀ ଦଉଡ଼ି ପ୍ରସ୍ତୁତ କରିବାକୁ ବକ୍ସର ଜେଲକୁ ନିର୍ଦ୍ଦେଶ ଏବଂ ସେପଟେ ତିହାର ଜେଲରେ ଘାତକ ନଥିବାରୁ ଅନ୍ୟ ରାଜ୍ୟରୁ ଆଣିବାକୁ ଯୋଜନା, ନିକଟରେ କିଛି ବଡ଼ ହେବାର ସଙ୍କେତ ଦେଉଛି । ନିର୍ଭୟା ଘଟଣାରେ ଦୋଷୀ ୪ ଜଣଙ୍କୁ ଫାଶୀ ଦଣ୍ଡ ମଧ୍ୟ ଦିଆଯାଇଛି । ତେବେ ଶେଷଥର ପାଇଁ ୨୦୧୩ରେ ଅଫଜଲ ଗୁରୁଙ୍କୁ ଫାଶୀ ଦିଆଯାଇଥିଲା । ୧୯୩୦ ମସିହାରୁ ଏହି ଜେଲ୍ ଫାଶୀ ଦଉଡ଼ି ତିଆରି କରିଆସୁଛି ।

Leave a Reply