ଶୋଇଥିବା ବେଳେ ଲାଗିଲା ନିଆଁ, ୪ ଗୁରୁତର

ରାଉରକେଲା: ପୋଡିହୋଇ ଗୋଟିଏ ପରିବାରର ୪ଜଣ ଗୁରୁତର । କେମିତି ଓ କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାହା ଅସ୍ପଷ୍ଟ ରହିଛି । ଘରଭିତରୁ ଗୁରୁତର ଅବସ୍ଥାରେ ୪ଜଣଙ୍କୁ ଉଦ୍ଧାର କରି ରାଉରକେଲା ଆଇଜିଏଚରେ ଭର୍ତ୍ତି କରାଯାଇଛି । ପରିବାରରେ ମା, ପୁଅ, ବିବାହୀତ ଝିଓ ଓ ନାତୁଣୀ ଗୁରୁତର ହୋଇଛନ୍ତି । ଝାରସୁଗୁଡା ଜିଲ୍ଲା ବ୍ରଜରାଜନାଗର ହରିଓମ ବିହାରରେ ଘରେ ଶୋଇଥିବା ବେଳେ ଘଟିଛି ଅଘଟଣ ।

ସୂଚନା ଅନୁସାରେ ହରିଓମ ବିହାରରେ ରହୁଥିବା  ସିଂହ ପରିବାରର ମୁଖ୍ୟ ଗୁରୁମିତ ସିଂହଙ୍କର ପୂର୍ବରୁ ମୃତ୍ୟୁ ଘଟିଛି। କିଛି ମାସ ତଳେ  ସ୍ୱର୍ଗତ ଗୁରମିତ ସିଂହଙ୍କ ଝିଅ  ମଞ୍ଜିତଙ୍କର ସ୍ୱାମୀଙ୍କ ଦେହାନ୍ତ ଯୋଗୁ ମଞ୍ଜିତ  ଶାଶୁଘରୁ ଚାଲିଆସି ବ୍ରଜରାଜନଗରରେ ନିଜ ବାପଘରେ ରୁହୁଛନ୍ତି । ତାଙ୍କ ସହିତ ଛୋଟ ଝିଅ  ଇପ୍ସିତ ମଧ୍ୟ ରହୁଛି। ଗତକାଲି ଗୁରମିତ ସିଂହଙ୍କ ଶ୍ରାଦ୍ଧବାର୍ଷିକୀ ଥିଲା। ପରିବାର ପକ୍ଷରୁ  ଶ୍ରାଦ୍ଧ ବାର୍ଷିକର ଆୟୋଜନ ମଧ୍ୟ କରାଯାଇଥିଲା ।

ରାତିରେ  ଗୋଟିଏ କୋଠରୀରେ  ଥିବା ଡବଲ ବେଡ ପଲଙ୍କରେ ବଲଜିତ କୌର, ଝିଅ ମଞ୍ଜିତ ଓ ନାତୁଣୀ ଇପ୍ସିତ ଶୋଇଥିଲେ। ଅଳ୍ପଦୂରରେ ଥିବା ଅନ୍ୟ ଏକ  ଖଟରେ ମଝିଆଁ ପୁଅ ରାଜେନ୍ଦ୍ର ସିଂହ ଶୋଇଥିଲେ। ଏବଂ ଏହି ସମୟରେ ହିଁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି । ତେବେ ଘଟଣାର ସୂଚନା ମିଳିବା ପରେ ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଏହାସହ ଘଟଣାସ୍ଥଳରେ ବ୍ରଜରାଜନଗର ପୋଲିସ ପହଞ୍ଚି ତଦନ୍ତ  ଆରମ୍ଭ କରିଛି । ସେହିପରି ସାଇଣ୍ଟିଫିକ ଟିମ ପହଂଚି ଏହାର ଅଧିକ ତଦନ୍ତ କରିବ ବୋଲି ସୂଚନା ମିଳିଛି । ଯଦିଓ ଏପର୍ଯ୍ୟନ୍ତ ନିଆଁ କେମିତି ଓ କେଉଁଠୁ ଲାଗିଲା ସେନେଇ କୌଣସି ସୂଚନା ମଳିପାରି ନାହିଁ ।

Leave a Reply