ରାସ୍ତାରେ ମହିଳା ଡାକ୍ତରଙ୍କର ସ୍କୁଟି ଖରାପ ହେଲା, ଭଉଣୀଙ୍କୁ କଲ୍ ପରେ ଫୋନ୍ ସ୍ୱିଚ୍ ଅଫ୍ । ସକାଳେ ମିଳିଲା ଅଧାଜଳା ମୃତଦେହ

ହାଇଦ୍ରାବାଦ : ଡାକ୍ତରଖାନାରୁ ଘରକୁ ଫେରୁଥିଲେ । ରାତି ପ୍ରାୟ ୧୧ଟା ହେବ । ଭଉଣୀଙ୍କୁ ଫୋନ୍ କଲେ ମଝି ରାସ୍ତାରେ । କହିଲେ, ସ୍କୁଟିର ଟାୟାର ପଙ୍କଚର୍ ହୋଇଯାଇଛି । ମୋତେ କାହିଁ ଡର ଲାଗୁଛି ଭଉଣୀ । ସାନ ଭଉଣୀ କହିଲା, ତୁ ବ୍ୟସ୍ତ ହଅନା । ଆମେ ପହଞ୍ଚୁଛୁ । ବାସ୍, ତା ପରେ ଫୋନ୍ ସୁଇଚ୍ ଅଫ୍ ହୋଇଗଲା । ଯେଉଁ ସ୍ଥାନରୁ ସେ କଲ୍ କରିଥିଲା ସେଠାରେ ବି ସେ ନଥିଲେ । ରାତି ତମାମ୍ ପରିବାର ଲୋକଙ୍କ ଆଖିରେ ନିଦ ନାହିଁ । ପୋଲିସକୁ ଖବର ଦେଲେ, ଖୋଜାଖୋଜି କଲେ । କିନ୍ତୁ, ସକାଳ ହେବା ବେଳକୁ ସବୁ କିଛି ଶେଷ୍ ହୋଇସାରିଥିଲା । ରାସ୍ତା କଡ଼ରେ ଦରପୋଡ଼ା ହୋଇ ପଡ଼ିରହିଥିଲା ମହିଳାଙ୍କ ଶବ ।

ଏହା କୌଣସି ଫିଲ୍ମର କାହାଣୀ ନୁହେଁ । ଗତକାଲି ତେଲେଙ୍ଗାନାରେ ଘଟିଥିବା ଏଭଳି ଏକ ସତ ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି । ସୂଚନା ଅନୁସାରେ, କୋଲୁରରେ ଜଣେ ପଶୁ ଡାକ୍ତରଭାବେ କାମ କରୁଥିଲେ ୨୭ ବର୍ଷୀୟ ପ୍ରିୟଙ୍କା ରେଡ୍ଡି । ରାତିରେ ହସ୍ପିଟାଲକୁ କୌଣସି କାମ ପାଇଁ ଯାଇଥିଲେ । ରାସ୍ତାରେ ସ୍କୁଟି ଖରାପ ହେବା ପରେ ସେ ତାଙ୍କ ଭଉଣୀଙ୍କୁ ଏ ସଂପର୍କରେ ସୂଚନା ଦେଇଥିଲେ । ପରେ ତାଙ୍କ ଫୋନ୍ ରାତି ତମାମ୍ ସ୍ୱିଚ୍ ଅଫ୍ ରହିଥିଲା ।

ମୃତ ଡାକ୍ତର ପ୍ରିୟଙ୍କା ରେଡ୍ଡି

ସକାଳେ, ରଙ୍ଗାରେଡ୍ଡି ଜିଲ୍ଲାର ସାଦନଗର ଅଞ୍ଚଳରୁ ତାଙ୍କର ମର ଶରୀର ପୋଲିସ ଉଦ୍ଧାର କରିଥିଲା । ପ୍ରିୟଙ୍କାଙ୍କ ସହ ଦୁଷ୍କର୍ମ ପରେ ତାଙ୍କୁ ଜିଅନ୍ତା ଜାଳି ଦିଆଯାଇଥିବା ପୋଲିସ ସନ୍ଦେହ କରୁଛି । ସାଦନଗର ଏସିପି ଭି.ସୁରେନ୍ଦ୍ର କହିଛନ୍ତି ଯେ, ପ୍ରିୟଙ୍କାଙ୍କ ପରିବାର ପକ୍ଷରୁ ସମସାବାଦ ଗ୍ରାମାଞ୍ଚଳ ଥାନାରେ ଏତଲା ରୁଜୁ କରାଯାଇଛି । ସାଇବରାବାଦ୍ ପୋଲିସ କମିଶନର ଘଟଣାକୁ ଗୁରୁତର ସହ ନେଇ ୧୦ଟି ଟିମ୍ ଗଠନ କରିଛନ୍ତି । ଏଥିରେ ୨ ଜଣଙ୍କୁ ପୋଲିସ ଅଟକ ରଖିଛି ।

ତେବେ ପ୍ରିୟଙ୍କାଙ୍କ ସହ ଏଭଳି ରାଜ୍ୟ ବାହାରର କେହି କରିଛନ୍ତି ନା ତେଲେଙ୍ଗାନାର ସେ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ୍ ସହ ପ୍ରିୟଙ୍କାଙ୍କ ଫୋନ୍ ଲୋକେସନ୍ ଟ୍ୟାପ୍ କରାଯାଉଛି । ଏ ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି । କିଛିଦିନ ତଳେ ସେହି ରଙ୍ଗାରେଡ୍ଡି ଜିଲ୍ଲାରେ ଜଣେ ମହିଳା ତହସିଲଦାରଙ୍କୁ ଜିଅନ୍ତା ଜାଳିଦେଇଥିଲେ ଲୋକେ ।

ମହିଳାଙ୍କ ସୁରକ୍ଷାକୁ ନେଇ ତେଲେଙ୍ଗାନା ଅସୁରକ୍ଷିତ ବୋଲି ଲୋକେ କହିଲେଣି । ମୁଖ୍ୟମନ୍ତ୍ରୀ କେସିଆର୍ ରାଜ୍ୟର ଆଇନ ଶୃଙ୍ଖଳାକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଥିବା ଜଣାପଡ଼ିଛି ।

Leave a Reply