ମାତ୍ର ୩ ମିନିଟ ପାଇଁ ଚାଲିଲା ଗୃହ: ୧୧.୩୦ ମିନିଟ ଯାଏଁ ମୁଲତବୀ

ଭୁବନେଶ୍ୱର: ବିଧାନସଭାରେ ପୁଣି ହୋହଲ୍ଲା। ଚାଷୀ ପ୍ରସଂଗରେ ଉଭୟ କଂଗ୍ରେସ ଓ ବିଜେପି ପ୍ଲାକାର୍ଡ ଦେଖାଇ କଲେ ନାରାବାଜି। ଗୃହ ଆରମ୍ଭ ରୁ ହୋହଲ୍ଲା। ୩ମିନିଟ ଚାଲିବା ପରେ ଗୃହ ମୁଲତବୀ । ଶନିବାର ରାଜ୍ୟ ବଜେଟ୍ ଅଧିବେଶନର ତୃତୀୟ ଦିବସ ଥିବା ବେଳେ ଧାନ କିଣା ସମ୍ପର୍କରେ ଆଜି ଗୃହରେ ଉତ୍ତର ରଖିବେ ସମବାୟ ମନ୍ତ୍ରୀ । ୭ଦିନ ପରେ ଧାନ କିଣାରେ ଅଗ୍ରଗତି ସମ୍ପର୍କରେ ଗୃହକୁ ଅବଗତ କରାଇବେ। ଗତକାଲି ଦ୍ୱିତୀୟ ଦିନରେ ଗୃହରେ ବାରମ୍ବାର ଅଚଳାବସ୍ଥା ଲାଗି ରହିବାରୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ । ଏହାପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହରେ ରୁଲିଂ ଦେଇଥିଲେ  । ଏହାପରେ ବି ହଟ୍ଟଗୋଳ ବନ୍ଦ ହୋଇ ନଥିଲା  । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ବେଳେ ଗୃହର ମଧ୍ୟଭାଗରେ ଧାନମଣ୍ଡି ପ୍ରସଙ୍ଗକୁ ନେଇ ବିଜେପି ଓ କଂଗ୍ରେସର ହଟ୍ଟଗୋଳ କରିଥିଲେ । ବାଚସ୍ପତିଙ୍କ ପୋଡିୟମ ଉପରେ ଚଢ଼ିବାକୁ ବିରୋଧୀ ଉଦ୍ୟମ କରିଥିଲେ  । ପୋଡିୟମରେ ଲାଗିଥିବା ଫାଇବାରକୁ ଖସାଇଦେଇଥିଲେ ବିରୋଧୀ। ମାଇକ୍ ମଧ୍ୟ ଭାଙ୍ଗିଛନ୍ତି ବିରୋଧୀ  । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଯୋଗୁ ବିଜେପି ଆଲୋଚନାକୁ ଡ଼ରୁଥିବାରୁ ଗୃହକୁ ଚଳାଇ ଦେଉନାହିଁ ବୋଲି ଶାସକ ବିଜେଡି ଅଭିଯୋଗ କରିଛି । ଗୃହ ଚାଲିପାରୁନଥିବାରୁ ବିରୋଧୀଙ୍କୁ ସମାଲୋଚନା କରିଛି ଶାସକ ବିଜେଡି । ତେବେ ଆଜି ତୃତୀୟ ଦିନରେ ମଧ୍ୟ ଗୃହରେ ସମାନ ପରିସ୍ଥିତି ଲାଗିରହିଥିବା ଦେଖିବାକୁ ମିଳିଛି ।

 

Leave a Reply