ବାହାଘର ପୂର୍ବରୁ ବରକୁ ଲୁଟି କନିଆ ଫେରାର୍

ଲକ୍ଷ୍ନୌ:  ବିବାହ ପୂର୍ବରୁ ଭାବିସ୍ୱାମୀଙ୍କଠୁ ଲକ୍ଷ ଲକ୍ଷ ଟଙ୍କା ଲୁଟ୍ କରି ଫେରାର୍ କନିଆ । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ୟୁପିର ଲକ୍ଷ୍ନୌ ସହରରେ। ମନୋଜ ଅଗ୍ରୱାଲ ନାମକ ଜଣେ ବ୍ୟକ୍ତିଙ୍କର ଡିସେମ୍ବର ୧୬ରେ ବାହାଘର ହୋଇଥାନ୍ତା ହେଲେ ବାହାଘର ପୂର୍ବରୁ ହିଁ ଘରେ କଳାକନା ବୁଲାଇଦେଲେ ଭାବିପତ୍ନୀ।

ବାସ୍ତବରେ, ମନୋଜ ମାଟ୍ରିମୋନିଆଲ୍ ୱେବସାଇଟ୍ ‘ଜୀନ୍ ସାଥି ଡଟ୍ କମ୍’ ମାଧ୍ୟମରେ ଅଗଷ୍ଟ ୧୫ରେ ପ୍ରିୟଙ୍କା ସିଂହ ନାମକ ଜଣେ ଝିଅ ସହିତ ପରିଚିତ ହୋଇଥିଲେ। ପରେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା। ଯୁବତୀ ଜଣକ  କହିଥିଲେ ଯେ ସେ  ବିହାରର ଓ ତାଙ୍କ ମାତାପିତାଙ୍କ ଦେହାନ୍ତ ହୋଇଯାଇଛି । ଆଉ ସେ ମାଉସୀଙ୍କ ସହ ଦିଲ୍ଲୀରେ ରହି ପଢ଼ନ୍ତି। ଅଭିଯୋଗ ଅନୁଯାୟୀ, ମନୋଜଙ୍କ ପରିବାର ସଦସ୍ୟ ଏବଂ ପ୍ରିୟଙ୍କାଙ୍କ ମାଉସୀ ବୁଝାମଣା କରି ସେମାନଙ୍କ ବାହାଘର ଠିକ୍ କରିଥିଲେ।

ମନୋଜଙ୍କୁ ଯୁବତୀ ଜଣକ କହିଥିଲେ ଯେ ସେ ଆଇଏଏସ୍ (ୟୁପିଏସସି) ପାଇଁ ପ୍ରସ୍ତୁତ ହେଉଛନ୍ତି ଏବଂ ଖୁବ ଶୀଘ୍ର ଚୟନ ବି ହୋଇଯିବ। ମନୋଜଙ୍କ ଅନୁଯାୟୀ,  ଯୁବତୀ ଜଣକ ଏହି ବାହାନାରେ ଟଙ୍କା ମାଗିବା ଆରମ୍ଭ କରିଥିଲେ। ପାଠପଢ଼ା ପାଇଁ ସେ  କେବେ ୧୦ ହଜାର କେବେ ୨୦ ହଜାର ତ ପୁଣି କେବେ ୫୦ ହଜାର ଟଙ୍କା ମାଗୁଥିଲେ। ଆଉ ମନୋଜ ବି ତାଙ୍କ ଭାବି ପତ୍ନୀ ଭାବି ଟଙ୍କା ଦେଉଥିଲେ। ଏହିପରି ଭାବରେ ମନୋଜ ଘର ନିର୍ମାଣ ପାଇଁ ଜମା ହୋଇଥିବା ପ୍ରାୟ ୬ ଲକ୍ଷ ଟଙ୍କା ପ୍ରିୟଙ୍କାଙ୍କୁ ଦେଇଦେଥିଲେ।

ଗତ ୬ ମାସ ଧରି ସେମାନେ ପରସ୍ପର ସହ କଥାବାର୍ତ୍ତା ହେଉଥିଲେ। ଶେଷରେ ଡିସେମ୍ବର ୧୬ରେ ଉଭୟଙ୍କ ବାହାଘର ଚୂଡ଼ାନ୍ତ ହେଲା। ମନୋଜ ବେଶ୍ ଖୁସି ଥିଲେ ଓ ବାହାଘରର ପ୍ରସ୍ତୁତି ବି ଆରମ୍ଭ କରିଦେଇଥିଲେ। ପ୍ରିୟଙ୍କାଙ୍କୁ ଫ୍ଲାଇଟ୍ ଖର୍ଚ୍ଚ ଦେଇ ଲକ୍ଷ୍ନୌକୁ ଭେଟିବା ପାଇଁ ଡକେଇଥିଲେ। ସେଠାରେ ତାଙ୍କୁ ୨ ଲକ୍ଷ ଟଙ୍କାର ସପିଂ ବି କରାଇଥିଲେ । ହେଲେ ସେଠୁ ଦିଲ୍ଲୀ ଫେରିବା ପରେ ପ୍ରିୟଙ୍କାଙ୍କର ଆଉ ଫୋନ୍ ଲାଗି ନଥିଲା । ଏପରିକି ତାଙ୍କ ମାଉସୀଙ୍କ ଫୋନ୍ ବି ଲାଗିନଥିଲା। ସେ ଦେଇଥିବା ଆଧାର କାର୍ଡ଼ ଓ ପରିଚୟ ପତ୍ର ଯାଞ୍ଚ କରାଇବାରୁ ସେ ବି ନକଲି ବୋଲି ଜଣାପଡ଼ିଥିଲା। ଯାହାପରେ ମନୋଜ ଲୁଟ୍ ର ଶିକାର ହୋଇଥିବା ଅନୁଭ କରିଥିଲେ ଓ ଯୁବତୀଙ୍କ ବିରୋଧରେ ଲକ୍ଷ୍ନୌର ହଜରତଗଞ୍ଜ ଥାନାରେ ମାମାଲା ରୁଜ୍ଜୁ କରିଥିଲେ । ବର୍ତ୍ତମାନ ପୋଲିସ୍ ଏ ନେଇ ତଦନ୍ତ କରୁଛି।

Leave a Reply