ତାଣ୍ଡବ’ ୱେବ୍ ସିରିଜକୁ ନେଇ ବିବାଦ, ରାସ୍ତାକୁ ଓହ୍ଲାଇଲା ବିଜେପି

ମୁମ୍ବାଇ: ତାଣ୍ଡବ ୱେବ୍ ସିରିଜରେ ହିନ୍ଦୁ ଧର୍ମୀୟ ଭାବନାକୁ ଅପମାନିତ କରାଯାଇଥିବା ଅଭିଯୋଗରେ ବିରୋଧ ଆରମ୍ଭ ହୋଇଛି । ମୁମ୍ବାଇରେ ବିଜେପି ପକ୍ଷରୁ ଏନେଇ ଆମାଜନ ପ୍ରାଇମ୍ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ସିରିଜରେ ଜାଣିଶୁଣି ହିନ୍ଦୁ ଭାବନାକୁ ଆଘାତ କରାଯାଇଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ ହୋଇଛି ।

ତାଣ୍ଡବର ପ୍ରଥମ ଏପିସୋଡର ଏକ ଦୃଶ୍ୟରେ ଭଗବାନ ଶିବଙ୍କୁ ନେଇ ଖରାପ ସଂଳାପ ପ୍ରୟୋଗ କରାଯାଇଥିବା ଅଭିଯୋଗ ହୋଇଛି । ଆମାଜନ ଏହି ସିରିଜ ପ୍ରସାରଣ ତୁରନ୍ତ ବନ୍ଦ କରୁ ବୋଲି ବିଜେପି ଦାବି କରୁଛି । ବିଜେପି ନେତା କପିଳ ମିଶ୍ର ମଧ୍ୟ ଆମାଜନକୁ ଲିଗାଲ ନୋଟିସ ପଠାଇଛନ୍ତି । ସିରିଜର ଅଭିନେତା, ଲେଖକ ଓ ନିର୍ଦ୍ଦେଶକଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ ଅନୁଯାୟୀ ମାମଲା ରୁଜ୍ଜ ପାଇଁ ବିଜେପି ଦାବି କରୁଛି ।

ସୂଚନାଯୋଗ୍ୟ ଯେ, ଆମାଜନର ଏହି ସିରିଜ ଏକ ପଲିଟିକାଲ ଡ୍ରାମା । ଯେଉଁଥିରେ ସୈଫ ଅଲ୍ଲୀ ଖାନ୍ ଓ ଡିମ୍ପଲ କପାଡିଆଙ୍କ ସହ ତିଗମଂଶୁ ଧୁଲିଆ ଅଭିନୟ କରୁଛନ୍ତି । ଏଥିରେ ସୈଫ୍ ଓ ଡିମ୍ପଲଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ପଦ ଓ ରାଜନୈତିକ ପ୍ରତିପତି ପାଇଁ ଲଢେଇକୁ ଦେଖାଯାଇଛି ।

ତାଣ୍ଡବକୁ ନେଇ ରାଜନୈତିକ ବିରୋଧ ଭିତରେ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ମୁମ୍ବାଇ ସ୍ଥିତ ଘର ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ବିରୋଧ କରୁଥିବା ସଂଗଠନ କାଳେ ସୈଫଙ୍କ ଘର ଉପରେ ଆକ୍ରମଣ କରିବେ ସେହି ଭୟରେ ସୁରକ୍ଷା ଯୋଗାଇ ଦିଆଯାଇଛି ।

Leave a Reply