ବଢ଼ୁଛି ସୀମା ବିବାଦ, ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଗାଁରେ ସଂଘର୍ଷ

1 min read

କୋରାପୁଟ: ଆନ୍ଧ୍ର ସହ ବଢୁଛି ସୀମା ବିବାଦ । ଜମିବାଡ଼ିକୁ ନେଇ ଆନ୍ଧ୍ର ଏବଂ ଓଡ଼ିଶାର କିଛି ଗାଁଲୋକଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି । କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ୍‌ ଅନ୍ତର୍ଗତ ତଥା ଆନ୍ଧ୍ର ସୀମାନ୍ତ ସମ୍ବାଇ ପଞ୍ଚାୟତର ସୁନାବେଡ଼ା ଗାଁ ନିକଟକରେ ଆନ୍ଧ୍ର ସହ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି । ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ଜିଲ୍ଲା ଡୁମୁରିଗୁଡ଼ା ବ୍ଲକ୍‌ର ବିତୃଗଣ୍ଡା, କାର୍ଲ।ପୁଟ, ଡେକାପର, ବଡ଼ଲ।ମ୍ବଗୁଡ଼ା ଓ ନିଟାଆମ୍ବ ଆଦି ୫ଟି ଗାଁ ଲୋକଙ୍କ ସହ ବିବାଦ ଉଗ୍ରରୂପ ନେବାକୁ ବସିଲାଣି । ଲୋକଙ୍କ ମଧ୍ୟରେ ହାତାହାତି ହୋଇଥିବା ଖବର ମଧ୍ୟ ସାମ୍ନାକୁ ଆସିଲାଣି ।

ଓଡ଼ିଶାର ଜାମୁଗୁଡା- ସୁନାବେଡ଼ା ଗ୍ରାମବାସୀ ଚାଷ ପାଇଁ ବିଲକୁ ଯାଇଥିବା ବେଳେ ଆନ୍ଧ୍ରର ଦେକାପାରୁ ଓ କର୍ଲାପୁଟ ଗ୍ରାମବାସୀ ଆକ୍ରମଣ କରିଛନ୍ତି । ଆନ୍ଧ୍ର ପକ୍ଷରୁ ପୁଣି ଜାମୁଗୁଡ଼ା ନିକଟରେ ପଥର ପକାଇ ଚୂନ ମାରି ସୀମା ଚିହ୍ନଟ କରାଯାଇଛି । ଫଳରେ ବିବାଦ ଥମିବାର ନାଁ ନେଉନାହିଁ ।

ଓଡ଼ିଶାର ଲୋକମାନେ ଦିନକୁ ଦିନ ଅଧିକ ସମସ୍ୟାରେ ପଡ଼ୁଛନ୍ତି । ସୀମାରେ ଆନ୍ଧ୍ରର ଦାଦାଗିରି ବଢ଼ିବାରେ ଲାଗିଛି । ତେବେ ସ୍ଥାନୀୟ ଲୋକଙ୍କ ପକ୍ଷରୁ ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ସରକାରଙ୍କ ନିକଟରେ ଦାବି କରାଯାଇଛି । ଏହି ସମସ୍ୟାର ସମାଧାନ ତୁରନ୍ତ ନକରାଗଲେ ପରିସ୍ଥିତି ଆଗକୁ ଆହୁରି ବିଗିଡ଼ିପାରେ ବୋଲି ଆଶଙ୍କା କରାଯାଉଛି ।

Leave a Reply