Sushant Singh Rajput Case: ତାଲା ଭାଙ୍ଗିଲା ପରେ ରୁମ ଭିତରକୁ ଚାହିଁବ ନାହିଁ, ସୁଶାନ୍ତଙ୍କ ବେଡ୍‌ରୁମ୍ ଖୋଲିଥିବା ବ୍ୟକ୍ତିଙ୍କୁ ଏମିତି କୁହାଯାଇଥିଲା

1 min read

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ତଦନ୍ତର ଗତିକୁ ତୀବ୍ର କରିଛି ସିବିଆଇ । ଏମିତିକି ସୁଶାନ୍ତଙ୍କ ମୃତ୍ୟୁ ଘଟଣା ସହ ଜଡ଼ିତ ଥିବା ପ୍ରାୟ ସମସ୍ତଙ୍କୁ ଜେରା କରିସାରିଲାଣି ସିବିଆଇ । ତବେ ସବୁଠାରୁ ବଡ଼ କଥା ହେଉଛି, ସୁଶାନ୍ତଙ୍କ ମୃତ୍ୟୁ ପରେ ପ୍ରଥମେ ଯେଉଁ ବ୍ୟକ୍ତି ତାଲା ଭାଙ୍ଗି କବାଟ ଖୋଲିଥିଲେ, ଏବେ ସେହି ବ୍ୟକ୍ତିଙ୍କୁ ସିବିଆଇ ଜେରା କରିବାକୁ ଯାଉଛି । ଏହି ବ୍ୟକ୍ତି ଜଣକୁ ଜେରା କରାଯିବା ପରେ ସିବିଆଇ ହାତରେ ଅନେକ ଗୁରୁତ୍ୱପୁର୍ଣ୍ଣ ତଥ୍ୟ ଲାଗିପାରେ ବୋଲି କୁହାଯାଉଛି । ଏନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ମଧ୍ୟ ପ୍ରକାଶ ପାଇଛି । ଅନ୍ୟପଟେ ଏକ ନିର୍ଦ୍ଧିଷ୍ଟ ଜାତୀୟ ଗଣମାଧ୍ୟମକୁ ତାଲା ଭାଙ୍ଗିଥିବା ଏହି ବ୍ୟକ୍ତି ଜଣକ ଦେଇଥିବା ବୟାନ୍‌ରୁ ଜଣାପଡ଼ିଛି ଯେ, ସିବିଆଇକୁ ଅନେକ ତଥ୍ୟ ମିଳିପାରିବ ।

ସୁଶାନ୍ତ ସିଂ ରାଜପୁତ ମାମଲାରେ ସିବିଆଇ ଏବଂ ଇଡି ଜୋରଦାର୍‌ ତଦନ୍ତ ଜାରି ରଖିଛନ୍ତି । ଏହି ସମୟରେ, ସୋସିଆଲ ମିଡିଆ ଏବଂ ନ୍ୟୁଜ୍ ଚ୍ୟାନେଲଗୁଡିକ ମଧ୍ୟ ଅନେକ ଆଶ୍ଚର୍ଯ୍ୟଜନକ ଖୁଲାସା କରୁଥିବା ଦେଖାଯାଉଛି । ସେହିପରି ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସୁଶାନ୍ତଙ୍କ କୋଠରୀର ତାଲା ଭାଙ୍ଗିଥିବା ମହମ୍ମଦ ରଫି ଅନେକ ଗୁରୁତ୍ୱପୁର୍ଣ୍ଣ ତଥ୍ୟ ପ୍ରକାଶ କରିଛି । ଗଣମାଧ୍ୟମ ସମ୍ମୁଖରେ ମହମ୍ମଦ, ସିଦ୍ଧାର୍ଥ ପଠାନିଙ୍କ ଠାରୁ ଆରମ୍ଭ କରି ପୋଲିସର ଡାକରା ପର୍ଯ୍ୟନ୍ତ ସବୁ କଥା କହିଛନ୍ତି ।

ରିପୋର୍ଟ ଅନୁଯାୟୀ, ରଫି କହିଛନ୍ତି ଯେ ତାଙ୍କୁ ସେହିଦିନ ୧.୦୫ରେ କଲ ଆସିଥିଲା । ସେତେବେଳେ ସେ ଜାଣିନଥିଲେ ଯେ କଲ୍‌ କରିଥିବା ବ୍ୟକ୍ତି ସିଦ୍ଧାର୍ଥ ପଠାନି । ରଫିଙ୍କୁ କଲ୍‌ କରାଯାଇ କୁହାଯାଇଥିଲା କି, ଜଣେ ବ୍ୟକ୍ତି ଦୀର୍ଘ ସମୟ ଧରି କଲ୍‌ ରିସିଭ୍‌ କରୁନାହିଁ କି, ନିଜ ରୁମ୍‌ କବାଟ ଖୋଲୁ ନାହିଁ । ତୁମେ ଯଥାଶୀଘ୍ର ଆସ ।

ଏହାପରେ ରଫି ଠିକଣା ପଚାରିଥିଲେ ଏବଂ ବନ୍ଦ କବାଟର ଫଟୋ ମାଗିଥିଲେ । ହେଲେ ତାଙ୍କୁ ଯେଉଁ କବାଟର ଫଟୋ ହ୍ୱାଟ୍‌ସଆପ୍‌ କରାଯାଇଥିଲା । ଯାହାକି ପୂର୍ବରୁ ଖୋଲାଥିଲା । କିନ୍ତୁ ଯେଉଁ କବାଟ ବନ୍ଦ ଥିଲା ସେହି ଫଟୋ ତାଙ୍କୁ ଦିଆଯାଇନଥିଲା । ରଫି ତାଙ୍କୁ ପୁଣି ବନ୍ଦ କବାଟର ଫଟୋ ମାଗିବା ପରେ ପ୍ରକୃତ ଫଟୋ ପାଇଥିଲେ ।

ସେହି କବାଟର ଫଟୋ ଦେଖିବା ପରେ ରଫି ଜାଣିପାରିଥିଲେ ଯେ, ଏହା କମ୍ପ୍ୟୁଟରାଇଜଡ୍ ଲକ୍ ।  ତେବେ ଅନ୍ୟ କବାଟର ଫଟୋ କାହିଁକି ପଠାଇଥିଲ ବୋଲି ପଚାରିବାରୁ ତାଙ୍କୁ ଉଭୟ କବାଟର ତାଲା ଏକା ଭଳି ବୋଲି କୁହାଯାଇଥିଲା ।

ରଫିଙ୍କ କହିବାନୁଯାୟୀ, ତାଙ୍କୁ ଯାଥାଶୀଘ୍ର କବାଟ ଖୋଲିବା ପାଇଁ କୁହାଯାଇଥିଲା । ହେଲେ କବାଟ ଖୋଲିବାକୁ ପ୍ରାୟ ଏକ ଘଣ୍ଟା ଲାଗିବ ବୋଲି ରଫି ଉତ୍ତର ଦେବା ପରେ ତାଙ୍କୁ ତାଲା ଭାଙ୍ଗିବାକୁ କୁହାଯାଇଥିଲା । ତାଲା ଭାଙ୍ଗିବା ସମୟରେ ସମସ୍ତେ କବାଟରେ କାନ ଦେଇ ଶୁଣୁଥିଲେ । ତେବେ ତାଲା ଭାଙ୍ଗିବା ପରେ ରଫିଙ୍କୁ ତୁରନ୍ତ ସେହି ସ୍ଥାନ ଛାଡ଼ି ଚାଲିଯିବାକୁ କୁହାଯାଇଥିଲା । ଏମିତିକି ରୁମ୍‌ ଭିତରେ କ’ଣ ରହିଛି କିମ୍ବା କିଭଳି ପରିସ୍ଥିତି ରହିଛି ତାହା ଦେଖିବାକୁ ମଧ୍ୟ ଦିଆଯାଇନଥିଲା ।

ରଫି ଆହୁରି ମଧ୍ୟ କହିଛନ୍ତି ଯେ, ସେ କବଟାର ତାଲା ଭାଙ୍ଗୁଥିବା ବେଳେ ସେଠାରେ ଉପସ୍ଥିତ ଥିବା ଅନ୍ୟ ୩-୪ ଜଣ ଯାକ ବ୍ୟକ୍ତିଙ୍କ ମଧ୍ୟରୁ କେହି ମଧ୍ୟ ଚିନ୍ତାରେ ଥିବା ଭଳି ଦେଖାଯାଉନଥିଲେ । ସମସ୍ତେ ଆରମ୍‌ ଏବେ ଶାନ୍ତ ଥିଲେ । ତେବେ ତାଲା ଭାଙ୍ଗିବା ପରେ ସେଠାରୁ ରଫି ତୁରନ୍ତ ଚାଲିଆସିଥିଲେ ବୋଲି କହିଛନ୍ତି । ଏହି ଘଟଣାର ପ୍ରାୟ ଦେଢ଼ ଘଣ୍ଟା ପରେ ଯେତେବେଳେ ପୋଲିସର ଫୋନ୍‌ କଲ୍‌ ଆସିଥିଲା ସେ ଜାଣିବାକୁ ପାଇଥିଲେ ଯେ, ତାହା ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଘର ଥିଲା ।

ରଫି ନିଜର ବୟାନ୍‌ ପୂର୍ବରୁ ପୋଲିସ ଆଗରେ ରଖିସାରିଛନ୍ତି ଏବେ ସିବିଆଇ ପକ୍ଷରୁ ତାଙ୍କୁ ଡକରା ଆସିଛି । ସେ ସିବିଆଇ ପାଖରେ ମଧ୍ୟ ନିଜ ବୟାନ ରଖିବେ । ରଫି ଏହା ସ୍ପଷ୍ଟ କରିଛନ୍ତି ଯେ, ରୁମ୍‌ର କବାଟ ଭିତରୁ ବନ୍ଦ ରହିଥିଲା ।

Leave a Reply