କରୋନା କବଳରେ ବଲିଉଡ… ଧିରେ ଧିରେ ସୁଧୁରୁଛି ଅମିତାଭ ବଚ୍ଚନଙ୍କ ସ୍ୱାସ୍ଥ୍ୟବସ୍ଥା

ମୁମ୍ବାଇ: କରୋନା କବଳରେ ଏବେ ବଲିଉଡ ଇଣ୍ଡଷ୍ଟ୍ରି । ନାନାବତୀ ହସ୍ପିଟାଲରେ ବିଗ ବି ଓ ଅଭିଷେକ । ଅମିତାଭ ଓ ଅଭିଷେକ ବଚ୍ଚନ କରୋନା ସଂକ୍ରମିତ ହୋଇ ନାନାବତୀ ହସ୍ପିଟାଲର ସ୍ୱତନ୍ତ୍ର ଆଇସୋଲେସନ ୱାର୍ଡରେ ଚିକିତ୍ସାଧିନ ଅଛନ୍ତି । ତେବେ ଗତ କାଲି ଗୋଟିଏ ଦିନରେ ବଲିଉଡରୁ ଆହୁରି କରୋନା ସଂକ୍ରମିତଙ୍କ ଖବର ସାମ୍ନାକୁ ଆସିଥିଲା । ପ୍ରତି ଘଣ୍ଟାରେ ଡାକ୍ତର ତାଙ୍କର ଯାଞ୍ଚ କରୁଛନ୍ତି । ଗୋଟିଏ ୱାର୍ଡରେ ପାଖାପାଖି ବେଡରେ ସେମାନଙ୍କୁ ଆଡମିଟ୍ କରାଯାଇଛି । ସେମାନଙ୍କ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଧିରେ ଧିରେ ଉନ୍ନତି ଆସୁଛି ।

ଅନ୍ୟପକ୍ଷରେ ଐଶ୍ୱର୍ଯ୍ୟା ରାୟ ଓ ଝିଅ ଆରାଧ୍ୟା ହୋମ ଆଇସୋଲେସନରେ ରହିଛନ୍ତି । ସେମାନଙ୍କ ପାଇଁ ଘରେ ସମସ୍ତ ବ୍ୟବସ୍ଥା କରାଯାଇଛି । ଦ୍ୱିତୀୟ ଥର ଟେଷ୍ଟ କରିବା ପରେ ଐଶ୍ୱର୍ଯ୍ୟା ଓ ତାଙ୍କ ଝିଅ ଆରାଧ୍ୟା କରୋନା ସଂକ୍ରମିତ ହୋଇଛନ୍ତି ବୋଲି ଜଣାପଡିଥିଲା । କିନ୍ତୁ ଜୟା ବଚ୍ଚନଙ୍କ ଦ୍ୱିତୀୟ ରିପୋର୍ଟ ମଧ୍ୟ ନେଗେଟିଭ୍ ଆସିଛି । ବଚ୍ଚନ ପରିବାରରୁ କରୋନା ଭୂତାଣୁ ଠାବ ପରେ ତାଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି । ଗତ ୧୦ ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଷରେ ଆସିଥିବା ବ୍ୟକ୍ତିଙ୍କୁ କୋଭିଡ ପରୀକ୍ଷା କରିବାକୁ ବିଗ ବି ଅନୁରୋଧ କରିଛନ୍ତି ।

ଏହା ପରେ ଅନୁପମ ଖେରଙ୍କ ମାଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ତାଙ୍କ ମା’ଙ୍କ ସମେତ ତାଙ୍କ ଭାଇ, ଭାଉଜ ଏବଂ ଝିଆରୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି । ଏନେଇ ନିଜେ ଟୁଇଟ କରି ଜଣାଇଛନ୍ତି ଅଭିନେତା ଅନୁପମ ଖେର । ସମସ୍ତଙ୍କ ସ୍ୱାବ ନମୁନା ରିପୋର୍ଟ ପଜିଟିଭ ଆସିଥିବା ବେଳେ ସମସ୍ତଙ୍କ ପାଖରେ ସାମାନ୍ୟ ଲକ୍ଷଣ ଥିବା କଥା ପ୍ରକାଶ କରିଛନ୍ତି ଅନୁପମ ଖେର । ସମସ୍ତଙ୍କୁ ଚିକିତ୍ସା ପାଇଁ କୋକିଲାବେନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଅନୁପମ ଖେରଙ୍କ ସ୍ୱାବ ନମୁନା ରିପୋର୍ଟ ନେଗେଟିଭ ଆସିବା ନେଇ ସେ ନିଜେ ସୂଚନା ଦେଇଛନ୍ତି ।

ଏହା ସହ ରେଖାଙ୍କ ବଙ୍ଗଳା ମଧ୍ୟ ସିଲ୍ କରାଯାଇଛି । ରେଖାଙ୍କ ଘରର ଦୁଇଜଣ ସୁରକ୍ଷା କର୍ମୀ କରୋନା ସଂକ୍ରମିତ ହେବା ପରେ ତାଙ୍କ ବଙ୍ଗଳା ସିଲ୍ କରାଯାଇଛି । ରେଖାଙ୍କ ବଙ୍ଗଳା ଥିବା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଅମିତାଭ କରୋନା ପଜିଟିଭ ଆସିବା ପରେ ଅଭିନେତା ରଣବୀର କପୁର, ମାଆ ନିତୁ କପୁର ଓ ଫିଲ୍ମ ନିର୍ଦ୍ଦେଶକ କରନ ଜୋହର କରୋନା ସଂକ୍ରମିତ ଥିବା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ତେବେ ଏହା ଏକ ଗୁଜବ ବୋଲି ଇନଷ୍ଟାଗ୍ରାମରେ ପୋଷ୍ଟ କରି ସ୍ପଷ୍ଟ କରିଛନ୍ତି ରିଦ୍ଧିମା କପୁର । କିଛି ଦିନ ତଳେ ଆମୀର ଖାନଙ୍କ ଷ୍ଟାଫ୍ କରୋନା ସଂକ୍ରମିତ ଥିବା ନେଇ ସେ ଟ୍ୱିଟରରେ ପୋଷ୍ଟ କରି ଜଣାଇଥିଲେ । ତାଙ୍କ ଷ୍ଟାଫ୍ କରୋନା ପଜିଟିଭ୍ ବାହାରିଛନ୍ତି କିନ୍ତୁ ପରିବାରର ବାକି ସଦସ୍ୟଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ୍ ବାହାରିଥିବା ସୂଚନା ସେ ଦେଇଛନ୍ତି । ତାଙ୍କର ବ୍ୟକ୍ତିଗତ ଷ୍ଟାଫଙ୍କ ମଧ୍ୟରୁ ୭ ଜଣ କରୋନା ପଜିଟିଭ୍ ବାହାରିଛନ୍ତି ।

Leave a Reply