ବଲାଙ୍ଗିର ଡକାୟତି ଗାଙ୍ଗକୁ ଧରିଲା ପୋଲିସ, ପିସ୍ତଲ ସମେତ ୪ କୁଖ୍ୟାତ ଅପରାଧୀ ଗିରଫ…

ବଲାଙ୍ଗିର: ବଲାଙ୍ଗିର ସହରରେ ଗତ କିଛି ଦିନ ତଳେ ଏୟାରଟେଲ୍ ଅଫିସ ଓ ମେହେର ବ୍ୟାଟ୍ରୀ ଦୋକାନରୁ ବନ୍ଧୁକ ଦେଖାଇ ଡକାୟତି ଘଟଣା ସାମ୍ନାକୁ ଆସିଥିଲା । ଏବେ ଏହି ଘଟଣାରେ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ବଲାଙ୍ଗିର ଟାଉନ୍ ପୋଲିସ୍ ୪ ଅଭିଯୁକ୍ତଙ୍କ ପାଖରୁ ଗୋଟିଏ ଦେଶୀ ପିସ୍ତଲ, ତିନୋଟି ଜୀବନ୍ତ ଗୁଳି, ୭ଟି ମୋବାଇଲ୍  ଫୋନ୍ , ୨ଟି ବ୍ୟାଟ୍ରୀ ଓ ୩ ଟି ବାଇକ୍ ଜବତ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ପଶ୍ଚିମ ଓଡିଶାର କୁଖ୍ୟାତ ଅପରାଧି ସମ୍ବଲପୁରର ବଣ୍ଟି ଓରଫ୍ ରାଧେ ଓରଫ ବିଭୁତିଭୁଷଣ ସୁନା, ବୌଦ୍ଧ ଜିଲ୍ଲା ପେଙ୍ଗାଲବେଡା ଗାଁର ମଙ୍ଗଲୁ ଓରଫ୍ ଅମିତ ଝାଙ୍କର, ବଲାଙ୍ଗିର ସହର ଜୁହାଁଡିହି ପଡାର ମମିଲ୍ ମହାଲିଙ୍ଗ ଓ ମେଘନାଦପଡାର ମହାଦେବ ସାହୁ ରହିଥିବା ନେଇ ଟାଉନ ପୋଲିସ ସୂଚନା ଦେଇଛି ।

ଗତ ଜାନୁୟାରୀ ୨୦ ତାରିଖ ରାତି ୮ଟା ସମୟରେ ବଲାଙ୍ଗିର ରେଳ ଷ୍ଟେସନ ରାସ୍ତାରେ ଥିବା ଏୟାରଟେଲ୍ ଅଫିସରୁ ବନ୍ଧୁକ ଦେଖାଇ ୪ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ସେହିପରି  ମେହେର ବ୍ୟାଟ୍ରୀ ଦୋକାନରୁ ଗତ ସେପ୍ଟେମ୍ବର ୧୩ ତାରିଖ ରାତି ପ୍ରାୟ ୮ ଟା ୩୦ ମିନିଟରେ ବନ୍ଧୁକ ମୁନରେ ୪୦ ଗ୍ରାମ ଓଜନର ଏକ ସୁନାଚେନ୍, ସୁନାମୁଦି ଓ ୫ ହଜାର ଟଙ୍କା ଡକାୟତି ହୋଇଥିଲା । ବଲାଙ୍ଗିର ଟାଉନ୍ ପୋଲିସ ଉଭୟ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ବଲାଙ୍ଗିର ସହର ଜୁନ୍ହାଡିହିପଡାର ମମିଲ ମହାଲିଙ୍ଗ ନାମକ ଅଭିଯୁକ୍ତ ଉଭୟ ଲୁଟ୍ ଓ ଡକାୟତି ଘଟଣାରେ ସଂପ୍ରୁକ୍ତ ରହିଥିବା ପୋଲିସ ତଦନ୍ତରୁ ଜଣାପଡିଥିଲା ।

ସେହିପରି ଘଟଣାର ମୁଖ୍ୟ ଅଭିଯୁକ୍ତ ସମ୍ବଲପୁର ଷ୍ଟେସନ୍ ରୋଡର କୁଖ୍ୟାତ ଅପରାଧି  ବଣ୍ଟି ଓରଫ ରାଧେ ଓରଫ ବିଭୁତିଭୁଷଣ ସୁନା ବ୍ୟାଙ୍କ ଲୁଟ୍, ଗୁଳି ଚାଳନା ସହ ହତ୍ୟା ଘଟଣାରେ ସଂପୃକ୍ତ ରହିଥିବା ନେଇ ପୋଲିସ ସୂଚନା ଦେଇଛି । ଏହି  ଦୁଇଟି ଯାକ ଲୁଟ୍ ଓ ଡକାୟତି ଘଟଣାରେ ୨ଜଣ ବିହାରୀ ଅପରାଧୀଙ୍କ ସମେତ  ୫ ଅଭିଯୁକ୍ତ ଫେରାର୍ ରହିଥିବା ନେଇ ବଲାଙ୍ଗିର ଟାଉନଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗିର ଏସଡିପିଓ ଶ୍ରୀମନ୍ତ ବାରିକ ସୂଚନା ଦେଇଛନ୍ତି ।

Leave a Reply