ଚୋରି ହୋଇଥିଲା ବୁଲେଟ୍‌, ୩ ଘଣ୍ଟା ଭିତରେ ଫିଲ୍ମ ଷ୍ଟାଇଲ୍‌ରେ ଧରାପଡ଼ିଲା ଚୋର

Bolangi Bullet

ବଲାଙ୍ଗିର: ବୁଲେଟ ଚୋରି ହେବାର ତିନି ଘଣ୍ଟା ଭିତରେ ଚୋରକୁ କାବୁ କରିଛନ୍ତି ନିଜେ ବୁଲେଟ ମାଲିକ । ଗତ ତିନି ସପ୍ତାହ ହେବ ଏକ ନୂଆ ବୁଲେଟ କିଣିଥିଲେ ବଲାଙ୍ଗିର ସହରର ଲାଲଟିକ୍ରାର ବାସିନ୍ଦା ଦୀନବନ୍ଧୁ ବେହେରା ।

ସୋମବାର ଦିନ ୨ଟା ୩୦ମି ସମୟରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲକୁ କୌଣସି କାମରେ ଯାଇଥିଲେ ଓ ଅଧଘଣ୍ଟା ପରେ ଫେରିଲା ବେଳକୁ ତାଙ୍କ ବୁଲେଟ ଚୋରି ହୋଇଯାଇଥିଲା । ବହୁ ସମୟ ଧରି ଖୋଜା ଖୋଜି କରିବା ପରେ ଟାଉନ ଥାନାରେ ଏତଲା ଦେଇଥିଲେ ଦୀନବନ୍ଧୁ । ଏହା ପରେ ଦୀନବନ୍ଧୁ ଓ ତାଙ୍କ କିଛି ଜଣ ସାଙ୍ଗ ମିଶି ସବୁ ଆଡ଼େ ଖୋଜାଖୋଜି ଜାରି ରଖିଥିଲେ । ଠିକ ଏହି ସମୟରେ ସହରର ଶାନ୍ତିପଡ଼ାର ଏକ ମୋଟର ସାଇକେଲ ଗ୍ୟାରେଜରେ ବୁଲେଟ ଥିବା ନେଇ ଖବର ଦେଇଥିଲେ ଦୀନବନ୍ଧୁଙ୍କର ଜଣେ ବନ୍ଧୁ । ବୁଲେଟ୍‌ ଟାଙ୍କିରେ ଥିବା ନମ୍ବର ଦେଖି ସେ ଚିହ୍ନି ପାରିଥିଲେ ।

ବୁଲେଟ ଚୋରି କରିଥିବା ରାକେଶ ନାଗକୁ ସେଠାରେ ଦୀନବନ୍ଧୁ ଓ ତାଙ୍କ ସାଙ୍ଗମାନେ କାବୁ କରିଥିଲେ । ସେତେବେଳେ ଚୋରଟି ବୁଲେଟ୍‌ର ସବୁ ପାର୍ଟ୍ସ ଖୋଲି ଅଲଗା କରୁଥିଲା । ପରେ ଚୋରକୁ ଧରି ଟାଉନ ଥାନାରେ ଜିମା ଦେଇଛନ୍ତି ଦୀନବନ୍ଧୁ । ଚୋରି ବୁଲେଟ୍‌ ସହରରେ ଥିଲେ ହେଁ ଏତଲା ପରେ ପୋଲିସ ତତ୍ପରତା ପ୍ରକାଶ ନ କରିବାରୁ ନିଜ ସାଙ୍ଗ ମାନଙ୍କ ସହ ଚୋରି ହୋଇଥିବା ବୁଲେଟ ଖୋଜିଥିଲେ ଓ ସଫଳ ମଧ୍ୟ ହୋଇଥିଲେ ଦୀନବନ୍ଧୁ । ଏନେଇ ଟାଉନ ଥାନା ଅଧିକାରୀ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ହେଲେ ଚୋରକୁ ସାଙ୍ଗରେ ଧରି ପୋଲିସର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଘଟଣାର ତଦନ୍ତ କରିବା ସହ ଅନ୍ୟ ଚୋରିରେ ସମ୍ପୃକ୍ତ ଥିବା ନେଇ ପଚରାଉଚରା କରୁଛି । ଖାଲି ସେତିକି ନୁହେଁ ଏହି ବୁଲେଟ୍‌ ଚୋରିରେ ସମ୍ପୃକ୍ତ ଥିବା ଅନ୍ୟ ଚୋର ମାନଙ୍କୁ ଧରିବା ପାଇଁ ମଧ୍ୟ ପୋଲିସ ଚେଷ୍ଟା ଚଳାଇଛି ।

Leave a Reply