୮ ବର୍ଷର ବାଳକକୁ ଗିଳି ଦେଲା କୁମ୍ଭୀର, ପେଟ ଚିରି ବାହାର କଲେ…

ଇଣ୍ଡୋନେସିଆରେ ଗୋଟିଏ କୁମ୍ଭୀର ୮ ବର୍ଷର ଶିଶୁକୁ ସମ୍ପୂର୍ଣ୍ଣ ଗିଳି ଦେବା ଭଳି ଖବର ଶୁଣିବାକୁ ମିଳିଛି । ଏମିତିକି ଘଟଣା ଘଟିବା ପରେ ୨୬ ଫୁଟ୍ ଲମ୍ବର ଏହି କୁମ୍ଭୀରକୁ ଲୋକମାନେ ଧରିବା ସହ ତା’ ପେଟ ଚିରି ଶିଶୁର ମୃତଦେହକୁ ବାହାର କରିଥିଲେ ।

ଦ ସନର ରିପୋର୍ଟ ମୁତାବକ ମୃତ ଶିଶୁର ନାମ ଦିମସ ମୁଲ୍କାନ ସପୁତ୍ରା ବୋଲି ଜଣାପଡିଛି। ଦିମସ୍ ନିଜ ବାପାଙ୍କ ସହ ମାଛ ମାରିବା ପାଇଁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଥିଲା।

ସୂଚନା ଅନୁଯାୟୀ,  ମାଛ ଧରୁଥିବା ବେଳେ ପାଣି ଭିତରୁ ଅଚାନକ କୁମ୍ଭୀର ବାହାରି ଛୁଆଟିକୁ ପାଣି ଭିତରକୁ ଟାଣି ନେଇଥିଲା । ଏହି ଘଟଣାଟି ଇଣ୍ଡୋନେସିଆର ବେଗ୍ନେଲୋନ୍ ଜିଲ୍ଲାରେ ବୁଧବାର ଘଟିଥିଲା ।

ଛୁଆକୁ ଟାଣି ନେଇଥିବା ଦେଖି ଦିମସର ପିତା ସୁବଲିଆସ୍ୟାହ କୁମ୍ଭୀରର ପିଛା କରିଥିଲେ । ପହଁରି ପହଁରି କୁମ୍ଭୀର ପାଖରେ ପହଞ୍ଚିବା ସହ ପୁଅକୁ ଛଡାଇବାକୁ ଚେଷ୍ଟା କରିଥିଲେ । ହେଲେ ତାକୁ ବଞ୍ଚାଇ ପାରିନଥିଲେ।

ତେବେ ଘଟଣାର ଗୋଟିଏ ଦିନ ପରେ କୁମ୍ଭୀରକୁ ଧରା ଯାଇଥିଲା । ପରେ ତାକୁ ପିଟିପିଟି ମାରିବା ସହ ପେଟ ଚିରି ମୃତଦେହକୁ ବାହାର କରିଥିଲେ । ଏହାର କିଛି ସପ୍ତାହ ପୂର୍ବରୁ ଇଣ୍ଡୋନେସିଆରେ ଏକ ଛୁଆକୁ କୁମ୍ଭୀର ମାରି ଦେଇଥିଲା ।

Leave a Reply