ରାଜଧାନୀରେ ୩ୟ ପର୍ଯ୍ୟାୟ ସେରୋ ସର୍ଭେ; ତିନି ଦିନରେ ୧୫ ଶହ ନମୁନା ସଂଗ୍ରହ ଲକ୍ଷ୍ୟ…

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ସେରୋ ସର୍ଭେକୁ ଗୁରୁତ୍ୱ ମିଳୁଛି । ଏହି ସର୍ଭେ ତିନି ଦିନ ହେବ । ୨୫ଟି ୱାର୍ଡରୁ ୧୫ ଶହ ନମୁନା ସଂଗ୍ରହ କରିବା ନେଇ ଲକ୍ଷ୍ୟ ରଖାଯାଇଛି । ପ୍ରେସ ମିଟ୍ କରି ଏହି ସୂଚନା ଦେଇଛନ୍ତି ବିଏମସି କମିଶନର ।  ବିଏମସି ଓ ଆରଏମଆରସିର ୫ଟି ସ୍ୱତନ୍ତ୍ର ଟିମ୍ ନମୁନା ସଂଗ୍ରହରେ ଲାଗିଛି । । ପୂର୍ବରୁ ହୋଇଥିବା ଦୁଇଟି ପର୍ଯ୍ୟାୟରେ ଯଥାକ୍ରମେ ଶତକଡା ୧.୪ ଓ ୫.୧ ପ୍ରତିଶତ ଲୋକଙ୍କ ମଧ୍ୟରେ ଆଣ୍ଟିବଡି ସୃଷ୍ଟି ହୋଇଥିବା ଜଣାପଡିଥିଲା ।

ବର୍ତ୍ତମାନ ତୃତୀୟ ପର୍ଯ୍ୟାୟ ସର୍ଭେରେ ଭୁବନେଶ୍ବରରେ କେତେ ପରିମାଣର ଲୋକଙ୍କ ମଧ୍ୟରେ ଆଣ୍ଟିବଡି ସୃଷ୍ଟି ହୋଇଛି ତାହା ସ୍ପଷ୍ଟ ହେବ ।ସେହିଭଳି ପୂର୍ବ ଅପେକ୍ଷା ରାଜଧାନୀରେ ଲୋକେ ସୋତପ୍ରୋତ ଭାବେ ଟେଷ୍ଟିଂ ପାଇଁ ଆଗଭର ହେଉଛନ୍ତି । ଏହା ଭଲ ସଙ୍କେତ ବୋଲି ବିଏମସି କମିଶନର କହିଛନ୍ତି । ଏବେ ଭୁବନେଶ୍ୱରରେ ସ୍ଥିତି ସାମାନ୍ୟ ବଦଳିଛି । ଲୋକଙ୍କ ସଚେତନ ମନୋଭାବ ଯୋଗୁଁ ବିଏମସିର ଉଦ୍ୟମ ସଫଳ ହେଉଛି ।

ଆଗକୁ ପାର୍ବଣ ଋତୁ ଆସୁଛି । ଏଣୁ ସଂକ୍ରମଣର ଆଶଙ୍କା ବଢିଛି । ରାଜଧାନୀବାସୀ ଏସବୁ ପ୍ରସଙ୍ଗକୁ ଗୁରୁତ୍ୱ ଦେଇ ଅଧିକ ସଚେତନ ରହିବା ପାଇଁ କମିଶନର ଅପିଲ୍ କରିଛନ୍ତି । ଉଲ୍ଲେଖଯୋଗ୍ୟ ରାଜଧାନୀକୁ ବାଦ ଦେଲେ, ବ୍ରହ୍ମପୁରରେ ଶତକଡା ୩୧, ରାଉରକେଲାରେ ଶତକଡା ୨୫, ମାଲକାନଗିରିରେ ଶତକଡା ୫୦ ଓ ପାରଳାଖେମୁଣ୍ଡିରେ ସର୍ବାଧିକ ଶତକଡା ୬୫ପ୍ରତିଶତ ଲୋକଙ୍କ ନିକଟରେ ଆଣ୍ଟିବଡି ସୃଷ୍ଟି ହୋଇଥିବା ଜଣାପଡିଛି ।

Leave a Reply