ରାଜଧାନୀରେ ଗେଷ୍ଟ ହାଉସ୍ ସିଲ୍ କଲା ବିଏମସି, ସନ୍ଧ୍ୟା ୬ ପରେ ହାଟ ମନା

ଭୁବନେଶ୍ୱର: କରୋନା ପାଇଁ ସରକାରୀସ୍ତରରେ ଅନେକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଏଥିପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ ଓ ସର୍ବସାଧାରଣଙ୍କ ପାଇଁ ଆଡଭାଇଜରୀ ଜାରି କରିଛି ବିଏମ୍‌ସି । ଏହା ସତ୍ତ୍ୱେ ଏସ୍‌ଓପି ପାଳନ କରିବାରେ ଅନେକ ଖିଲାପ କରୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ବିଏମ୍‌ସି ପକ୍ଷରୁ ଆରମ୍ଭ ହୋଇଛି ଚଢାଉ ଓ କାର୍ଯ୍ୟାନୁଷ୍ଠାନ । ସିଲ କରାଯାଇଛି ଏକାଧିକ ବେନିୟମ ତଥା ଖିଲାପକାରୀ ଗେଷ୍ଟ ହାଉସ୍‌ ।

ଭିଡ଼ ନିୟନ୍ତ୍ରଣ ପାଇଁ ଶିକ୍ଷାନୁଷ୍ଠାନ, ମଲ୍‌, ସୁଇମିଂ ପୁଲ୍ ଓ ଜିମ୍‌ ଉପରେ ସରକାର କଟକଣା ଲଗାଇଛନ୍ତି । ସାମାଜିକ ଦୂରତା ରକ୍ଷା କରିବାକୁ ଆହ୍ଵାନ ଦିଆଯାଇଛି । ଆଉ ଆଜି ଆରମ୍ଭ ହୋଇଛି ନିୟମ ଉଲ୍ଲଂଘନକାରୀଙ୍କ ଉପରେ ହୋଇଛି ରେଡ୍‌ । ଭୁବନେଶ୍ୱରସ୍ଥିତ ବିଭିନ୍ନ ହଷ୍ଟେଲ, ଗେଷ୍ଟ ହାଉସ ଓ ରେଷ୍ଟୁରାଣ୍ଟ ଉପରେ ଚଢାଉ କରାଯାଇଥିଲା । ଏପରିକି କିଛି ଷ୍ଟାର୍‌ ହୋଟେଲରେ ମଧ୍ୟ ବିଏମ୍‌ସି ଯାଞ୍ଚ କରିଛି। ତେବେ ଏହି ସମୟରେ ବେନିୟମ ଭାବେ ଚାଲିଥିବା ଗେଷ୍ଟ ହାଉସ୍‌କୁ ସିଲ୍ କରିଛନ୍ତି ବିଏମ୍‌ସି ଅଧିକାରୀ ।

ସେପଟେ ଗେଷ୍ଟ ହାଉସ୍‌ ମାଲିକ କହିଛନ୍ତି ଆଡ୍‌ଭାଇଜରୀ ସମ୍ପର୍କରେ ଅବଗତ ନଥିଲେ । ଏପରିକି ଗେଷ୍ଟ ହାଉସ୍‌ରେ ରହୁଥିବା ବ୍ୟକ୍ତିଙ୍କ ସବିଶେଷ ତଥ୍ୟ ପୋଲିସକୁ କିମ୍ବା ବିଏମ୍‌ସିକୁ ପ୍ରଦାନ କରିନଥିବା ନେଇ ସ୍ୱୀକାର କରିଛନ୍ତି । ସେପଟେ ଷ୍ଟାର୍‌ ହୋଟେଲ୍‌କୁ ଜାରି ହୋଇଥିବା ଆଡଭାଇଜରୀ ପାଳନ କରିବାକୁ ପରାମର୍ଶ ଦିଆଯାଇଛି ।

ଅନ୍ୟପଟେ ଆସନ୍ତାକାଲି ଠାରୁ ରାଜଧାନୀରେ ସନ୍ଧ୍ୟା ୬ଟା ପରେ ହାଟ ବନ୍ଦ ରଖିବାକୁ ବିଏମ୍‌ସି ନିର୍ଦ୍ଦେଶ ଜାରି କରିଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ହାଟ ଖୋଲା ରହିବ । ଭିଡ଼ ନିୟନ୍ତ୍ରଣ ପାଇଁ ଏଭଳି କଟକଣା ଲାଗୁ କରାଯାଇଛି । ମାର୍ଚ୍ଚ ୩୧ ଯାଏଁ ଏହି ନିୟମ ବଳବତ୍ତର ରହିବ ।

Leave a Reply