ବସ୍ତିରେ ସଂକ୍ରମଣ ରୋକିବା ପାଇଁ ବିଏମସିର ପ୍ରୟାସ, ପ୍ରତି ବସ୍ତିକୁ ସ୍ୱଚ୍ଛତା ମିଶନ ପାଇଁ ୫ ହଜାର…

ଭୁବନେଶ୍ୱର: ରାଜଧାନୀ ସଂକ୍ରମଣ ମାତ୍ରା କ୍ରମାଗତ ଭାବେ ରାଜ୍ୟ ପାଇଁ ଚିନ୍ତା ବଢ଼ାଉଛି । ବିଶେଷ ଭାବେ ଅନଲକ୍ ୪.୦ ପରେ ଭୁବନେଶ୍ୱରରେ ସଂକ୍ରମଣ ନିୟନ୍ତ୍ରଣ ବାହାରକୁ ଗଲା । ତେବେ ରାଜଧାନୀର ବସ୍ତି ଅଞ୍ଚଳରେ ସଂକ୍ରମଣ କମାଇବା ପାଇଁ ବିଏମସି ସ୍ୱତନ୍ତ୍ର ପ୍ରସ୍ତୁତି ଆରମ୍ଭ କରିଛି । ସମୁଦାୟ ୪୨୮ଟି ବସ୍ତି ଥିବା ବେଳେ ସବୁ ବସ୍ତିରେ ସ୍ୱଚ୍ଛତା ମିଶନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ଏଥିପାଇଁ ପ୍ରତି ବସ୍ତି କମିଟିକୁ ବିଏମସି ୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦେଇଛି । ସେହିଭଳି ରାଜଧାନୀର ପ୍ରାୟ ସମସ୍ତ ବସ୍ତିରେ କରୋନା ସଂକ୍ରମଣ ହୋଇ ସାରିଥିବା ବେଳେ କେବଳ ୧୭ ନମ୍ୱର ଓାର୍ଡର ତାରିଣୀ ବସ୍ତିରେ ଏଯାବତ ଜଣେ ମଧ୍ୟ ସଂକ୍ରମିତ ଚିହ୍ନଟ ହୋଇନାହାଁନ୍ତି । ସୂଚନାଯୋଗ୍ୟ ଯେ ବିଏମସି ସ୍ୱଚ୍ଛତା ମିଶନ ଏହି ବସ୍ତିରୁ ହିଁ ପ୍ରଥମେ କାର୍ଯ୍ୟକାରୀ ହେବା ଆରମ୍ଭ ହୋଇଥିଲା ।

ବସ୍ତିରେ ସ୍ୱଚ୍ଛତା ଆଣିବା ପାଇଁ ବିଏମସିର ପଦକ୍ଷେପକୁ ବସ୍ତିବାସିନ୍ଦାମାନେ ପ୍ରଶଂସା କରିଛନ୍ତି । ତେବେ ବସ୍ତିକୁ ସ୍ୱଚ୍ଛ ରଖିବାର ଦାୟିତ୍ୱ ବାସିନ୍ଦାଙ୍କର ଅଟେ । ନିଜ ପରିବେଶକୁ ପରିସ୍କାର ରଖିପାରିଲେ କରୋନା ସଂକ୍ରମଣରୁ ରକ୍ଷା ପାଇହେବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।

Leave a Reply