ବିଏମସି କମିଶନରଙ୍କ ପ୍ରେସମିଟ୍: ସଂକ୍ରମଣ ନିୟନ୍ତ୍ରଣରେ, ରାଜଧାନୀରେ ୬୦ ପ୍ରତିଶତ କୋଭିଡ୍ ଶଯ୍ୟା ଫାଙ୍କା…

ଭୁବନେଶ୍ୱର: ରାଜଧାନୀର ସଂକ୍ରମଣ ଏବେ ନିୟନ୍ତ୍ରଣରେ ଅଛି । ଏକଥା କହିଛନ୍ତି ବିଏମସି କମିଶନର ।  ବିଏମସି କମିଶନରଙ୍କ ଅନୁସାରେ, ଭୁବନେଶ୍ୱର ରାଜଧାନୀ ବୋଲି ବାହାରୁ  ଅଧିକ ରୋଗୀ ଆସୁଛନ୍ତି । ଟେଷ୍ଟିଂ ସମୟରେ ନିଜ ଠିକଣା ଓ ମୋବାଇଲ ନମ୍ୱର ଭୁଲଭାଲ୍ ଦେଉଛନ୍ତି । ଏଣୁ ରୋଗୀଙ୍କ ପ୍ରକୃତ ଠିକଣା ମିଳିବା ସମ୍ଭବପର ହେଉନି । ସେହିଭଳି କୋଭିଡ୍ ସଂକ୍ରମଣର ମାତ୍ରା ଖାଲି ପଡ଼ିଥିବା ଶଯ୍ୟା ସହ ଯୋଡ଼ି କମିଶନର କହିଛନ୍ତି ଯେ ରାଜଧାନୀରେ ଏବେ ମଧ୍ୟ ୬୦ ପ୍ରତିଶତ କୋଭିଡ୍ ଶଯ୍ୟା ଖାଲି ପଡ଼ିଛି ।

ଏଥିସହିତ ରାଜ୍ୟ ସରକାର ନିର୍ଦ୍ଦେଶ ଅନୁଯାୟୀ ଅଣକୋଭିଡ ହସ୍ପିଟାଲରେ ମଧ୍ୟ ୫୦ ପ୍ରତିଶତ ବେଡ୍ କୋଭିଡ୍ ରୋଗୀଙ୍କ ପାଇଁ ସଂରକ୍ଷିତ ରଖାଯାଇଛି । ସେହିଭଳି ରାଜଧାନୀରେ ଆଉ କନଣ୍ଟେମେଣ୍ଟ ଷ୍ଟ୍ରାଟେଜି ରହିବ ନାହିଁ । ଅର୍ଥାତ୍ ଅଧିକ ରୋଗୀ ଚିହ୍ନଟ ହେଉଥିବା ଏକ ନିର୍ଦ୍ଧିଷ୍ଟ କ୍ଷେତ୍ରକୁ ସରକାର ଆଇସୋଲେଟ କରିବେ ନାହିଁ । ଅନ୍ୟପକ୍ଷରେ ସେରୋ ସର୍ଭେଲାନ୍ସ ଡାଟା ଆଧାରରେ ବାହାବାହା ନେବାକୁ ମଧ୍ୟ ଭୁଲି ନାହାନ୍ତି ବିଏମସି କମିଶନର ।

ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି ଯେ, ଭୁବନେଶ୍ୱର ହୋଇଥିବା ସେରୋ ସର୍ଭେଲାଇନସରୁ ଜଣାପଡିଛି ଯେ, ରାଜଧାନୀରେ ମାତ୍ର ୫ରୁ ୧୦ ପ୍ରତିଶତ ଲୋକଙ୍କ ଠାରେ ଆଣ୍ଟିବଡି ସୃଷ୍ଟି ହୋଇଛି । ଏହା ସୂଚାଉଛି ଯେ, ସଂକ୍ରମଣ ନିୟନ୍ତ୍ରଣରେ ରହିଛି ।  ସେହିଭଳି ଭୁବନେଶ୍ୱରର ବସ୍ତିରେ ମଧ୍ୟ କରୋନା ନିୟନ୍ତ୍ରଣରେ ରହିଛି  ବୋଲି କମିଶନର କହିଛନ୍ତି । ସେହିଭଳି ଭୁବନେଶ୍ୱରକୁ ୬ଟି ଜୋନରେ ବିଭକ୍ତ କରାଯାଇଥିବା ବେଳେ ପ୍ରତି ଜୋନରେ ୩ ଜଣ ଲେଖାଏଁ ଡ଼ାକ୍ତରଙ୍କୁ ଦାୟିତ୍ୱ ମିଳିଛି । ସେହିଭଳି ବିଏମସି ଆସନ୍ତା ବିଧାନସଭା ଅଧିବେଶନ ପାଇଁ ସମସ୍ତ ବିଧାୟକ ଓ ବିଧାନସଭା କର୍ମଚାରୀଙ୍କର ଟେଷ୍ଟିଂ କରିବ । ଉଲ୍ଲେଖଯୋଗ୍ୟ ଯେ ବିଧାନସଭା ପରିସରକୁ ସମ୍ପୂର୍ଣ୍ଣ ଭାବେ ସାନିଟାଇଜ କରିବ ବିଏମସି ।

Leave a Reply