ବିହାର ବିଧାନସଭା ନିର୍ବାଚନ: ପ୍ରସ୍ତୁତି ଆରମ୍ଭ କଲାଣି ଭାଜପା

1 min read

୨୦୧୫ ମସିହାରେ ହୋଇଥିବା ବିହାର ବିଧାନସଭା ନିର୍ବାଚନର କାର୍ଯ୍ୟକାଳ ଚଳିତ ବର୍ଷ ଶେଷ ଆଡକୁ ସମାପ୍ତ ହେବାକୁ ଯାଉଛି । ସାରା ଦେଶ ଏବେ ବିଶ୍ୱ ମହାମାରୀ କରୋନାର ମୁକାବିଲା କରୁଛି । ତେଣୁ ବିହାର ବିଧାନସଭା ନିର୍ବାଚନ ଧାର୍ଯ୍ୟ ସମୟରେ ହେବ କି ନାହିଁ, ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ । ହେଲେ ନିର୍ବାଚନକୁ ନେଇ ଭାଗୁଆଳିରେ ଶାସନ କ୍ଷମତା ପାଇଥିବା ଭାଜପା ପ୍ରସ୍ତୁତି ଆରମ୍ଭ କରିଛି । ଦିଲ୍ଲୀସ୍ତରୀୟ ଶୀର୍ଷ ନେତୃତ୍ୱଠାରୁ ଆରମ୍ଭ କରି ବିହାର ଗ୍ରାମାଞ୍ଚଳର ବୁଥସ୍ତର ପର୍ଯ୍ୟନ୍ତ ଏହି ପ୍ରସ୍ତୁତି ଜାରି ରହିଛି । କିଛିଦିନ ହେବ କେତେକ ଜାତୀୟ ଗଣମାଧ୍ୟମରେ ମଧ୍ୟ ଏନେଇ ଖବର ପ୍ରକାଶ ପାଇବା ସହ ରାଜନୈତିକ ଚର୍ଚ୍ଚା ଆରମ୍ଭ ହେଲାଣି ।

ଜାତୀୟ ଗଣମାଧ୍ୟମରେ ଆରମ୍ଭ ହେଲାଣି ଚର୍ଚ୍ଚା

ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ ତେବେ ଭାଜପା ବିହାରରେ ନିଜର ନିଜସ୍ୱ ସଙ୍ଗଠନ ବୃଦ୍ଧି କରିବାକୁ ଚାହୁଁଛି । ବିହାର ରାଜନୈତିକ ପରିସ୍ଥିତି ଏପରି ଯେ, କୌଣସି ଦଳ ଏକାକୀ ସଂଖ୍ୟାଗରିଷ୍ଠତା ହାସଲ କରିପାରୁ ନାହାନ୍ତି । ଏକାଧିକ ଦଳ ମିଶିଲେ ହିଁ ସରକାର ଗଠନ ହେଉଛି । ଅତୀତରେ ଜେଡିୟୁ-ଭାଜପା-ଏଲ୍ ଜି ପି କ୍ଷମତାରେ ରହିଥିଲେ । ପରବର୍ତ୍ତୀ ସମୟରେ ଜେଡିୟୁ-ଆରଜେଡି-କଂଗ୍ରେସ ମଧ୍ୟ ଏକାଠି ହୋଇଥିଲେ । ଏକ ବିଶେଷ ପରିସ୍ଥିତିରେ ନିର୍ବାଚନୀ ମିତ୍ର ଆରଜେଡିକୁ ତ୍ୟାଗ କରି ଜେଡିୟୁ ଭାଜପା ସହ ହାତ ମିଳାଇଥିଲା । ହେଲେ ନୀତିଶଙ୍କ ବ୍ୟକ୍ତିତ୍ୱ ଏବଂ ରାଜନୈତିକ ଚତୁରତା ଭାଜପାକୁ ଅଡୁଆ ହେଉଛି । ଅନେକ କଥା ନୀତିଶ କୁମାର ଭାଜପାକୁ ଅଡୁଆରେ ପକାଉଛନ୍ତି । ତେଣୁ ଦଳ ଯେପରି ସହଯୋଗୀ ଉପରେ ଅଧିକ ନିର୍ଭରଶୀଳ ନ ହେବ, ସେଥି ପ୍ରତି ଯଥାସମ୍ଭବ ଧ୍ୟାନ ଦିଆଯାଉଛି । ଏବେ ବି ଭାଜପା ବିହାରରେ ଜେଡିୟୁ ଏବଂ ଏଲଜିପି ସହ ନିର୍ବାଚନ ଲଢ଼ିବା ପାଇଁ ମନ ସ୍ଥିର କରିଛି । ହେଲେ ଟିକେ ଅଧିକ ସାଙ୍ଗଠନିକ ଶକ୍ତି ସହ ।

ତୃଣମୂଳ ସଙ୍ଗଠନକୁ ଗୁରୁତ୍ୱ

ନାମ ଗୋପନ ରଖି ବିଭିନ୍ନ ଜାତୀୟ ଗଣମାଧ୍ୟମକୁ ମତାମତ ଦେଇଥିବା ବିହାର ଭାଜପା ନେତାଙ୍କ କହିବାନୁଯାୟୀ, ବୁଥସ୍ତରୀୟ ସଙ୍ଗଠନକୁ ହିଁ ସର୍ବାଧିକ ପ୍ରାଥମିକତା ଦିଆଯାଉଛି । କରୋନା ପ୍ରଭାବିତଙ୍କୁ ରିଲିଫ୍ ପ୍ରଦାନ କାର୍ଯ୍ୟ ସହ ସମାନ୍ତରାଳ ଭାବେ ନିର୍ବାଚନ ପ୍ରସ୍ତୁତି ମଧ୍ୟ ଚାଲିଛି । ରାଜ୍ୟର ସମସ୍ତ ସଙ୍ଗଠନକୁ ୭୨,୭୨୭ ବୁଥରେ ବିଭକ୍ତ କରାଯାଇଛି । ଏହି ବୁଥ୍ ସ୍ତରୀୟ ସାଙ୍ଗଠନିକ କାର୍ଯ୍ୟ ପାଇଁ ସପ୍ତର୍ଷି ସୂତ୍ର ପ୍ରୟୋଗ କରାଯାଉଛି । ଏହି ସୂତ୍ର ଅନୁଯାୟୀ, ପ୍ରତି ବୁଥରେ ୭ ଜଣ ଦଳୀୟ କାର୍ଯ୍ୟକର୍ତ୍ତା ରହିବେ । ସେଥିରେ ଜଣେ ମୁଖ୍ୟ, ଜଣେ ଉପମୁଖ୍ୟଙ୍କ ସହ ମହିଳା, ଅନୁସୂଚିତ ଜାତି ଏବଂ ଅତିପଛୁଆ ବର୍ଗର ଜଣେ ଜଣେ ପ୍ରତିନିଧି ରହିବେ ବୋଲି ଜଣାପଡିଛି । ସେହିପରି ୧୦୯୯ ମଣ୍ଡଳସ୍ତରୀୟ ସଙ୍ଗଠନ ନିର୍ବାଚନ ପାଇଁ ପ୍ରସ୍ତୁତି ହୋଇଥିବା ଜଣାପଡିଛି । ଏହା ପରେ ୯୫୪୭ ସଙ୍ଗଠନ ଶକ୍ତି କେନ୍ଦ୍ର ରୂପେ ତୃଣମୂଳରେ କାର୍ଯ୍ୟ କରିବ ବୋଲି ଜଣାପଡିଛି । ପ୍ରତି ବିଧାନସଭାରେ ଜଣେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି ।

ବଳ କଷୁଛି ଶୀର୍ଷ ନେତୃତ୍ୱ

କିଛିଦିନ ତଳେ  ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରାଜ୍ୟର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି, କେନ୍ଦ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ, ଭାଜପାର ରାଜ୍ୟ ସଭାପତି ଡକ୍ଟର ସଞ୍ଜୟ ଯଶୱାଲ, ଭାଜପାର ଜାତୀୟ ସାଧାରଣ ସମ୍ପାଦକ ବି.ଏଲ୍ ସନ୍ତୋଷ ଏବଂ ଭୂପେନ୍ଦ୍ର ଯାଦବ ପ୍ରମୁଖ ଉପସ୍ଥିତ ରହିଥିଲେ । ଏଥିରେ ନିର୍ବାଚନ ସମୟକୁ ନେଇ ଦ୍ୱନ୍ଦ୍ୱ ନ ରହି ସାଙ୍ଗଠନିକ କାର୍ଯ୍ୟ ଯଥାରୀତି ଜାରି ରଖିବାକୁ ନିର୍ଦ୍ଦେଶ ରହିଛି । ଗତ ଏପ୍ରିଲ ୨୯ରେ ଦଳ ଏକ ବିଶେଷ ବୈଠକରେ ଭିଡିଓ କନଫରେନ୍ସିରେ ଭାଜପାର କେତେକ ସାଂସଦ ଭାଗୁଆଳି ଦଳର ନେତା ତଥା ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଆଭିମୁଖ୍ୟ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ଦିଲ୍ଲୀ ନିର୍ବାଚନରେ ପରାଜୟ ପରେ ଝାଡଖଣ୍ଡରେ କ୍ଷମତା ଯିବା ପରେ ଭାଜପା ବାରଗେନ୍ ରାଜନୀତିରେ ପଛୁଆ ପଡି ଯିବାର ଆଶଙ୍କା ରହୁଛି ।

ରାଜ୍ୟସ୍ତରୀୟ ଚେହେରାର ଅଭାବ

ଏତେ ସବୁ ପରେ ବି ଭାଜପାର ଆଉ ଏକ ଅସୁବିଧା ରହିଛି । ତାହା ହେଉଛି ରାଜ୍ୟସ୍ତରୀୟ ଚେହେରା । ଜେଡିୟୁରେ ନୀତିଶ, ଆରଜେଡିରେ ତେଜସ୍ୱୀ ଯାଦବଙ୍କ ପରି ଭାଜପାର କୌଣସି ନିର୍ଦ୍ଦିଷ୍ଟ ଚେହେରା ନାହିଁ । ଯାହାକୁ ଆଗକୁ ରଖି ଭାଜପା ନିର୍ବାଚନ ବୈତରଣୀ ପାର ହେବ । ସୁଶୀଲ ମୋଦି ବିହାର ଉପମୁଖ୍ୟମନ୍ତ୍ରୀ ରହିଛନ୍ତି, ହେଲେ ସାରା ରାଜ୍ୟ ସଙ୍ଗଠନରେ ଗ୍ରହଣୀନୟତା ନାହିଁ । ରାଜ୍ୟ ସଭାପତି ଯଶୱାଲଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିବା ସପକ୍ଷରେ ଦଳ ଗୋଟିଏ ଗୋଷ୍ଠୀ ଚାହୁଁ ନାହାନ୍ତି । କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ବିବାଦୀୟ ଚେହେରା  ହୋଇଥିବା ବେଳେ ନିତ୍ୟାନନ୍ଦ ରାୟ ଏବଂ ରବିଶଙ୍କର ପ୍ରସାଦଙ୍କୁ ନେଇ ମଧ୍ୟ ଦଳରେ ଦ୍ୱନୱଦ୍  ରହିଛି । ତେଣୁ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପଡୋଶୀ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡାଙ୍କ ଉପରେ ଦଳ ନିର୍ଭର ରହିବାକୁ ହେବ । ଆଉ ଯଦି ଜେଡିୟୁ ସହ ମେଣ୍ଟ ଯଥସମ୍ଭାବ ରହିଲା, ତେବେ ବିହାର ବିଧାନସଭାରେ ନୀତିଶ କୁମାରଙ୍କ ପ୍ରଚାର ଉପରେ ମଧ୍ୟ ନିର୍ଭର କରିବାକୁ ପଡିବ ବୋଲି ସମୀକ୍ଷକମାନେ କହିଛନ୍ତି ।

Leave a Reply