କମଳନାଥଙ୍କୁ ‘କମରନାଥ’ ବୋଲି କହିଲେ ବିଜେପି ସାଂସଦ, ଜାଣନ୍ତୁ କାହିଁକି…

ଇନ୍ଦୋର: ମଧ୍ୟପ୍ରଦେଶରେ ୨୮ ଆସନରେ ଉପନିର୍ବାଚନ ତାରିଖ ପାଖେଇବା ସହିତ ରାଜନୈତିକ ବୟାନବାଜି ମଧ୍ୟ ଜୋର ଧରୁଛି । ଏପରିକି ଏସବୁ ଏବେ ବ୍ୟକ୍ତିଗତ ସ୍ତରକୁ ମଧ୍ୟ ଗଲାଣି । ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥ କିଛି ଦିନ ତଳେ ଏକ ବିଜେପି ନେତ୍ରୀଙ୍କୁ ଆଇଟମ୍ କହି ଚର୍ଚ୍ଚାକୁ ଆସିଥିଲେ । ଏହାପରେ ତାଙ୍କୁ ସବୁ ବର୍ଗରୁ ସମାଲୋଚନା ସହିବାକୁ ପଡିଥିଲା । ଦଳର ହାଇକମାଣ୍ଡ ରାହୁଲଗାନ୍ଧୀ ମଧ୍ୟ କମଳନାଥଙ୍କ ମନ୍ତବ୍ୟ ଉପରେ କ୍ଷୋଭ ପ୍ରକାଶ କରିବା ସହ କ୍ଷମାପ୍ରାର୍ଥନା କରିଥିଲେ । ତେବେ ଏବେ ପୁଣି ଏକ ବୟାନ ଚର୍ଚ୍ଚାକୁ ଆସିଛି । ଏଥର କିନ୍ତୁ ବୟାନ କମଳନାଥ ରଖିନାହାନ୍ତି । ବରଂ କମଳନାଥଙ୍କ ବିରୋଧରେ ଜଣେ ବିଜେପି ସାଂସଦ ଏଭଳି କରିଛନ୍ତି ।

ଇନ୍ଦୋରର ସାଂସଦ ତଥା ବିଜେପି ନେତା ଶଙ୍କର ଲାଲବାନୀ କମଳନାଥଙ୍କୁ କମରନାଥ ବୋଲି ସମ୍ୱୋଧିତ କରିଛନ୍ତି । ସେ ଏଭଳି କରିବା ପଛରେ କାରଣ ଦର୍ଶାଇ ଏକ ଫଟୋକୁ ସାମ୍ୱାଦିକ ସମ୍ମିଳନୀରେ ଦେଖାଉଛନ୍ତି । ଯେଉଁ ଫଟୋରେ କମଳନାଥ ବଲିଉଡ ଅଭିନେତ୍ରୀ ଜାକଲିନ୍ ଫର୍ନାଣ୍ଡିସଙ୍କ ଅଣ୍ଟାକୁ ଧରି ପୋଜ୍ ଦେଉଥିବା ଦେଖିବାକୁ ମିଳିଛି । ଶଙ୍କର ଲାଲବାନୀ କହିଛନ୍ତି ଯେ କଂଗ୍ରେସର ପୂର୍ବ ମୁଖ୍ୟମନ୍ତ୍ରୀ କମଳନାଥ ନୁହନ୍ତି ବରଂ କମରନାଥ ଅଟନ୍ତି । ଦେଖନ୍ତୁ କିଭଳି ଭାବେ ତାଙ୍କ ହାତ ଅଭିନେତ୍ରୀଙ୍କର ଅଣ୍ଟା ଉପରେ ରହିଛି । ଏସବୁ ଆମେ ନୁହେଁ ବରଂ ମଧ୍ୟପ୍ରଦେଶର ଜାଗୃକ ଭୋଟର କହୁଛନ୍ତି ।

ଅନ୍ୟପକ୍ଷରେ ବିଜେପି ସାଂସଦଙ୍କର ଏହି ଅଶୋଭନୀୟ ଟିପ୍ପଣୀ ଉପରେ ପ୍ରତିକ୍ରିୟାଶୀଳ ହୋଇଛି କଂଗ୍ରେସ । କଂଗ୍ରେସ ପକ୍ଷରୁ ଉକ୍ତ ବିଜେପି ସାଂସଦଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ ପତ୍ର ଦିଆଯାଇଛି । କଂଗ୍ରେସ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛି ଯେ, ରାଜ୍ୟରେ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଦ୍ଧି ଲାଗୁ ହୋଇଯାଇଥିବା ବେଳେ କୌଣସି ବ୍ୟକ୍ତିଙ୍କ ବିରୋଧରେ ବ୍ୟକ୍ତିଗତ ଭାବେ ଅଶୋଭନୀୟ ଓ ଅଭଦ୍ର ଟିପ୍ପଣୀ କରିବା ଗ୍ରହଣୀୟ ନୁହେଁ । ଏସବୁ ଆଇନତଃ ମଧ୍ୟ ଗ୍ରହଣୀୟ ନୁହେଁ । ଏଣୁ ନିର୍ବାଚନ କମିଶନ ଏଭଳି ଆଚରଣ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କଂଗ୍ରେସ ଦାବି କରିଛି ।

Leave a Reply