ଭୁବନେଶ୍ୱର ପରେ ବୋଲଗଡ଼ ଅଞ୍ଚଳରେ କୋଭିଡ଼ ନିୟମ ଭାଙ୍ଗିଲେ ଭାଜପା ଏମପି ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲା ବୋଲଗଡ଼ ଥାନାରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଦଳୀୟ ମିଶ୍ରଣ ପର୍ବ ଆଳରେ କୋଭିଡ଼ ନିୟମକୁ ସମ୍ପୂର୍ଣ୍ଣ ଅଣଦେଖା କରି ଭିଡ଼ ଜୁଟାଇବା ପାଇଁ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ସ୍ଥାନୀୟ ଅଞ୍ଚଳର ରାଜନେତା ରାଇ ମୋହନ ପରିଡ଼ା ଏହି ଅଭିଯୋଗ କରିଛନ୍ତି । ସେ କହିଛନ୍ତି ପୋଲିସ କେବଳ ମାମଲା ରୁଜୁ କରି ଚୁପ୍ ହୋନ ରହୁ । କାର୍ଯ୍ୟାନୁଷ୍ଠାନ ନିଆଯାଉ । ନଚେତ ଶାନ୍ତିପୂର୍ଣ୍ଣ ଭାବେ ବିରୋଧ ପ୍ରଦର୍ଶନ କରାଯିବ । ବୋଲଗଡ଼ ଥାନା ଅନ୍ତର୍ଗତ ପାଟପୁର ଶାସନ, ଆଳିକମ, ଶ୍ରୀରାମପୁର ଅଞ୍ଚଳରେ ସାଂସଦ ଏପରି ଭିଡ କରି କୋଭିଡ ନିୟମ ଭାଙ୍ଗିଥିବା ଅଭିଯୋଗ ହୋଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱର ଭାଜପା ସାଂସଦ ଅପରାଜିତା ଷଡଙ୍ଗୀ । କରୋନା ସମୟରେ କୋଭିଡ଼ ନିୟମ ଭାଙ୍ଗିବା ପାଇଁ ବେଶ୍ ଚର୍ଚ୍ଚାରେ ରହି ହୋଇ ଆସୁଛନ୍ତି ।  ନିକଟରେ ଅପରାଜିତାଙ୍କ ଜନ୍ମ ଦିନ ତାଙ୍କ ପଳାସପଲ୍ଲୀସ୍ଥିତ ଅଫିସରେ ପାଳନ ହୋଇଥିଲା । ଏଥିରେ ସାଂସଦଙ୍କ ସମେତ ଯୋଗଦାନ କରିଥିବା ମହିଳା ଏବଂ ଯୁବକମାନେ ତଲ୍ଲୀନ ହୋଇ ନୃତ୍ୟରେ ମଜି ଯାଇଥିଲେ, ତାହା ପୁଣି ଆଧୁନିକ ଗୀତର ତାଳେତାଳେ । ଗୀତରେ ନାଚିବା ଅଥବା ଗୀତ ଗାଇବା ଖରାପ କଥା ନୁହେଁ । ହେଲେ ସାରା ବିଶ୍ୱ କରୋନା ମହାମାରୀ ଦ୍ୱାରା କବଳିତ । ମାନବ ସମାଜ ପାଇଁ ଭ୍ୟାକ୍ସିନ ଆସିନାହିଁ । ତେଣୁ ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଅପରାଜିତାଙ୍କ ସେହି ଜନ୍ମଦିନ ଉତ୍ସବରେ ନା ଥିଲା କାହା ମୁହଁରେ ମାସ୍କ, ନା ଥିଲା ସାମାଜିକ ଦୂରତା । ଏହି ଭିଡିଓ ଭାଇରାଲ ହୋଇଥିଲା ସାମାଜିକ ଗଣମାଧ୍ୟମରେ । ଯାହାକୁ ନେଇ  ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ବୁଦ୍ଧିଜୀବୀ ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଏହା ପରେ ଭୁବନେଶ୍ୱର ମହାନଗର ନିୟମ ପକ୍ଷରୁ ସାଂସଦ ମହୋଦୟାଙ୍କ କାର୍ଯ୍ୟାଳୟ ସିଲ୍ କରାଯାଇଥିଲା ।

ଏହାକୁ ଅପରାଜିତା ପ୍ରତିବାଦ କରିବା ସହ ଏକ ସାମ୍ବାଦିକ ସମ୍ମିଳନୀ ଡାକି ପ୍ରଶାସନ ଉପରେ ବର୍ଷିଥିଲେ । ଏପରି କି ଶାସକ ଦଳର କିଛି ଫଟୋଚିତ୍ର ପ୍ରଦର୍ଶନ କରି ଆକ୍ଷେପ କରିଥିଲେ । ଆଗାମୀ ୧୫ ଦିନ ରାଜଧାନୀର ବିଭିନ୍ନ ସ୍ଥାନରେ ଜନଶୁଣାଣି କରିବେ ବୋଲି କହିଥିଲେ । କେବଳ ସେତିକି ନୁହେଁ, ରବିବାର ଲକ୍ଷ୍ମୀସାଗର ଅଞ୍ଚଳରେ ଏପରି କରିଥିବା ମଧ୍ୟ ଅଭିଯୋଗ ହୋଇଛି ।

Leave a Reply