ଜୟନାରାୟଣଙ୍କ ଦାଦାଗିରିକୁ ଘଣ୍ଟ ଘୋଡାଇଲା ରାଜ୍ୟ ବିଜେପି, ଅମାନିଆଙ୍କୁ ସଭାପତିଙ୍କ ସମର୍ଥନ

1 min read

ଭୁବନେଶ୍ୱର: ଉପକୂଳ ପରେ ପଶ୍ଚିମ । କରୋନା ମହାମାରୀ ସମୟରେ ବିଜେପି ନେତାଙ୍କ ମହାଭାରତ । ଥରେ କି ଦୁଇ ଥର ନୁହେଁ, ସାମାଜିକ ଦୂରତାକୁ ଦଳଚକଟି ବାରମ୍ବାର କରୁଛନ୍ତି ଶକ୍ତି ପ୍ରଦର୍ଶନ । ଅପରାଜିତା, ବୈଜୟନ୍ତଙ୍କ ପରେ ଅମାନିଆ ସମ୍ବଲପୁର ବିଜେପି ବିଧାୟକ ଜୟନାରାୟଣ ମିଶ୍ର । କୋଭିଡ୍ ଗାଇଡଲାଇନ୍‌କୁ ଫୁ କରି ଜିଲ୍ଲାପାଳ ଅଫିସ ଧସେଇ ପଶିଲେ ଜୟନାରାୟଣ । ଦାବି ଜଣାଇବା ବାହାନାରେ କଲେ ଜବରଦସ୍ତ ଦାଦାଗିରି ।

ନିୟମ ଅନୁସାରେ, ୭ରୁ ଅଧିକ ଲୋକ ଏକାଠି ହୋଇ ପାରିବେ ନାହିଁ । ହେଲେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦେବା ପାଇଁ ଶତାଧିକ ସମର୍ଥକଙ୍କୁ ଧରି ବାହାରିଥିଲେ । । ନା ଥିଲା ସମାଜିକ ଦୂରତା ନା ପଟୁଆର ନ କରିବା କଟକଣାର ଭୟ ।  ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ କୋଭିଡି ନିୟମ ପାଳନ ପାଇଁ ବାରମ୍ବାର ଅନୁରୋଧ କରୁଛନ୍ତି । ହେଲେ ତାଙ୍କ ଦଳୀୟ ହେଭିୱେଟ ନେତା ହି ଏହାକୁ ଉଲଂଘନ କରିବାରେ ବ୍ୟସ୍ତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶକୁ ଖୋଲାଖୋଲି ବେଖାତିର କରିଛନ୍ତି ଜୟନାରାୟଣ । ବାରଣ କରିବା ପରେ ପୋଲିସ ଡିଏସ୍‌ପିଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଧସେଇ ପଶିଥିଲେ ଜୟନାରାୟଣ ଆଣ୍ଡ କୋ । ଏପରି ଆଚରଣରେ ଆଶ୍ଚର୍ଯ୍ୟ ହେବା ପରେ ପୋଲିସ ଡିଏସପିଙ୍କୁ ଆଙ୍ଗୁଳି ଦେଖାଇଥିଲେ ଜୟନାରାୟଣ ।

କୋଭିଡ ନିୟମ ଉଲଙ୍ଘନ ସହ ଅସଦାଚରଣ ଅଭିଯୋଗରେ ତାଙ୍କ ବିରୋଧରେ ସଂଗୀନ ମାମଲା ବି ରୁଜୁ ହୋଇଛି । ଏପିଡେମିକ୍ସ ଆକ୍ଟର ଧାରା ୭ରେ ମାମଲା ରୁଜୁ ହୋଇଛି । ତେବେ ସମ୍ବଲପୁର ବିଧାୟକଙ୍କ ବିରୋଧରେ ନିୟମ ଭଙ୍ଗ ଅଭିଯୋଗ ନୂଆ ନୁହେଁ । କେତେବେଳେ ୧୪୪ ଧାରାରେ ଖଣ୍ଡାଚାଳନ କରି ଜେଲ୍ ଯାଇଛନ୍ତି ତ ପୁଣି କେତେବେଳେ ରାଜନୈତିକ ହିଂସା ଅଭିଯୋଗରେ ଗିରଫ୍ ହୋଇଛନ୍ତି ଜୟନାରାୟଣ । ୨୦୧୮ ବିଜେପୁର ଉପ-ନିର୍ବାଚନ ସମୟରେ ଜଣେ ବିଜେଡି କର୍ମୀଙ୍କ ହତ୍ୟା ଅଭିଯୋଗରେ ବି ଗିରଫ ହୋଇଥିଲେ । ଏପରିକି ନିଜ ଦଳ ନେତାଙ୍କୁ ନାଲିଆଖି ଦେଖାଇବାକୁ ବି ପଛାଇ ନାହାନ୍ତି ଜୟନାରାୟଣ । ସମୀର ମହାନ୍ତି ଅବଜର୍ଭର ହେଇ ଯାଇଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା ।

ବିଜେପି ପାଇଁ ଅମାନିଆ ନେତା ନୂଆ ନୁହନ୍ତି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିନା ମାସ୍କ ପଟୁଆରା ବା ସାମାଜିକ ଦୂରତା ଉଲଂଘନ ଭିଡିଓ ସବୁ ସମୟରେ ଚର୍ଚ୍ଚାର ବିଷୟ ପାଲଟିଛି । ସେହିପରି ପୂର୍ବତନ କେନ୍ଦ୍ରପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ବିରାଟ ବାଇକ ରାଲି ବି କରିବାକୁ ପଛାଇ ନଥିଲେ ।

ତେବେ ପ୍ରଶ୍ନ ଉଠୁଛି, ଏଭଳି ଆଚରଣ ପରେ କାହିଁକି ଗିରଫ ହେବେନି ଜୟନାରାୟଣ? ସାତ ଜଣରୁ ଏକାଠି ହେବାର ନିୟମକୁ କାହିଁକି ଭଙ୍ଗ କଲେ ? ପ୍ରଶାସନ ଯଦି ରୋକିବାକୁ ଚାହିଁଲା ତେବେ କାହିଁକି ଅପେକ୍ଷା କଲେନି ଜୟନାରାୟଣ ? ଦାଦାଗିରି ଦେଖାଇ କଣ ପ୍ରମାଣ କରିବାକୁ ଚାହୁଁଛନ୍ତି ଜୟନାରାୟଣ ? ଦଳୀୟ ସଭାପତିଙ୍କ ସମର୍ଥନ କେତେ ଦୂର ଯୁକ୍ତିଯୁକ୍ତ ? ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକୁ ଦଳୀୟ ନେତାଙ୍କ ବେଖାତିର କାହିଁକି ? ବାରମ୍ବାର ବିଜେପି ନେତା ଏପରି ଅମାନିଆ ହେବାର କାରଣ କଣ? ଏକାସାଙ୍ଗରେ ୨୦ ଜଣ ଯିବା କଣ ନିହାତି ଜରୁରୀ ଥିଲା ? ଗୁଣ୍ଡାଗର୍ଦ୍ଦି କଣ ବିଜେପିର ନୂଆ ପରିଚୟ ? ଏପର୍ଯ୍ୟନ୍ତ ତାଙ୍କୁ କାହିଁକି ଗିରଫ କରାଯାଇନି? ଲୋକ ସଂକ୍ରମଣ ସହ ଯୁଝୁଛନ୍ତି, ତଥାପି ରାଜନୀତିର ଭାଷା କାହିଁକି କହୁଛନ୍ତି ରାଜନେତା? କରୋନା ସମୟରେ ରାଜନୀତି କରିବାକୁ ଏତେ ବିକଳ କାହିଁକି ବିଜେପି ?

କୋଭିଡ୍ ନିୟମ ଉଲଙ୍ଘନ କରି ଅଡୁଆରେ ବିଜେପି ନେତା, ଜୟନାରାୟଣ ମିଶ୍ରଙ୍କ ନାମରେ ଏତଲା…….

Leave a Reply