ଅମାନିଆ ବିଜେପି ନେତା, ଜୟ ନାରାୟଣଙ୍କ ପରେ ଏହି ନେତା ଭାଙ୍ଗିଲେ କୋଭିଡ୍‌ ନିୟମ…

Kusum Tete

ସୁନ୍ଦରଗଡ଼: ବାରମ୍ବାର ଅମାନିଆ ହେଉଛନ୍ତି ବିଜେପି ନେତା । ଦଳର ସର୍ବୋଚ୍ଚ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶ ମଧ୍ୟ ମାନୁ ନାହାନ୍ତି ରାଜ୍ୟ ବିଜେପି ନେତା । ମଙ୍ଗଳବାର ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର କୋଭିଡ୍‌ ନିୟମ ଭାଙ୍ଗି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାଦାଗିରି ଦେଖାଇଥିବା ବେଳେ ଏବେ ପୁଣି ଆଉ ଜଣେ ବିଜେପି ନେତାଙ୍କ ଅମାନିଆ ପଣ ସାମ୍ନାକୁ ଆସିଛି ।

ସୁନ୍ଦରଗଡ଼ ବିଧାୟିକା କୁସୁମ୍‌ ଟେଟେ ମଧ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧସେଇ ପସିଛନ୍ତି । ଆଉ ସାଥିରେ ନିଜ କର୍ମୀଙ୍କୁ ମଧ୍ୟ ନେଇଛନ୍ତି । କୋଭିଡ୍‌ ନିୟମ ଅନୁଯାୟୀ କୌଣସି ସ୍ଥାନରେ ଗହଳି କରିବାକୁ ବାରଣ କରାଯାଇଥିବା ବେଳେ ବାରମ୍ବାର ବିଜେପି ନେତା ମାନେ ଅମାନିଆ ହେଉଥିବା ନଜିରକୁ ଆସୁଛି ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଅଭିଯୋଗ ଦାଖଲ କରିବା ପାଇଁ ଏକ ବାକ୍ସ ରଖାଯାଇଛି, ହେଲେ ସେହି ବାକ୍ସରେ ଅଭିଯୋଗ ପତ୍ର ନପାକଇ ଜୋର ଜବରଦସ୍ତ କାର୍ଯ୍ୟାଳୟ ଭିତରେ ପଶିବା କ’ଣ ଆବଶ୍ୟକ ବୋଲି ଏବେ ଲୋକଙ୍କ ମନରେ ପ୍ରଶ୍ନ । କରୋନା ଭଳି ମହାମାରୀ ସମୟରେ ସାରା ଦେଶ ସମେତ ରାଜ୍ୟ ହାହାକାର କରୁଥିବା ବେଳେ ବିଜେପି ନେତାଙ୍କ ଏଭଳି ଅମାନିଆ ପଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

Kusum Tete

ଖାଲି କୁସୁମ୍‌ ଟେଟେ ନୁହେଁ ତଲସରା ବିଧାୟକ ମଧ୍ୟ ନିଜ କର୍ମୀଙ୍କୁ ସାଙ୍ଗରେ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପଶି ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ନିଜର ପାରିବା ପଣିଆ ଦେଖାଇଛନ୍ତି ।

ତେବେ ଗେଟ୍‌ ଛୋଟ ଛୋଟ ଥିବାରୁ ସାମାଜିକ ଦୂରତ୍ୱ ରକ୍ଷା କରି ହେଲାନି ବୋଲି ଅଜବ ଯୁକ୍ତି ବାଢ଼ିଛନ୍ତି ତଲସରା ବିଧାୟକ ତଥା ବିଜେପି ସୁନ୍ଦରଗଡ଼ ଜିଲା ସଭାପତି ଭବାନୀ ଭୋଇ । ଅନ୍ୟପଟେ କଟକଣା ଭଙ୍ଗ କରିଥିବାରୁ ଜିଲାପାଳଙ୍କ ସହ ଆଲୋଚନା କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲାପାଳ ।

Leave a Reply