ବଡ଼ ଆରୋପ ଆଣିଲେ ସୁଖବୀର, କହିଲେ ବିଜେପି ହିଁ ଦେଶର ‘ଟୁକେଡ଼େ ଟୁକ୍‌ଡ଼େ ଗ୍ୟାଙ୍ଗ’

ନୂଆଦିଲ୍ଲୀ: ସାରା ଦେଶରେ ଏବେ ଚାଷୀ ଆନ୍ଦୋଳନ ଜୋର ଧରିଛି । ଏହାରି ଭିତରେ ଶିରୋମଣି ଅକାଳୀ ଦଳ ମୁଖ୍ୟ ସୁଖବୀର ସିଂହ ବାଦଲ ଭାରତୀୟ ଜନତା ପାର୍ଟିକୁ କଡ଼ା ସମାଲୋଚନା କରିଛନ୍ତି । ସେ ସିଧା ସଳଖ କହିଛନ୍ତି ଦେଶରେ ବିଜେପି ହିଁ ପ୍ରକୃତ ଟୁକ୍‌ଡ଼େ ଟୁକ୍‌ଡ଼େ ଗ୍ୟାଙ୍ଗ୍‌ । କୃଷକ ଆନ୍ଦୋଳନ ସମୟରେ ବିଜେପି ଜାତୀୟ ଏକତାକୁ ଭାଙ୍ଗିବାକୁ ଚେଷ୍ଟା କରୁଛି ବୋଲି ସୁଖବୀର କହିଛନ୍ତି ।

ସୁଖବୀର ଆହୁରି ଅଭିଯୋଗ କରିଛନ୍ତି ଯେ, ଲଜ୍ଜାଜନକ ଭାବେ ହିନ୍ଦୁମାନଙ୍କୁ ମୁସଲମାନମାନଙ୍କ ବିରୁଦ୍ଧରେ ଉକ୍‌ସାଉଛି ବିଜେପି ଏବଂ ଏବେ ଶିଖ୍‌ ଭାଇମାନଙ୍କ ବିରୁଦ୍ଧରେ ସମାନ ପନ୍ଥା ଆପଣାଉଛି । ଦେଶପ୍ରେମୀ ପଞ୍ଜାବକୁ ବିଜେପି ସାମ୍ପ୍ରଦାୟିକ ନିଆଁକୁ ଠେଲିବାକୁ ଚେଷ୍ଟା କରୁଛି ।

ଚାଷୀଙ୍କୁ ଦେଶଦ୍ରୋହୀ କହିବାର ସାହସ କୋଉଠୁ ଆସିଲା ?

ନିକଟ ଅତୀତରେ ସୁଖବୀର ସିଂ ବାଦଲ ଏହି ଆନ୍ଦୋଳନରେ ଖାଲିସ୍ତାନର ଉପସ୍ଥିତି ବିଷୟରେ ଗୁଜବ ପ୍ରତି ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଥିଲେ । ସେ କହିଥିଲେ, ଏହି ଆନ୍ଦୋଳନରେ ଅନେକ ବୃଦ୍ଧା ସାମିଲ ଅଛନ୍ତି । ସେ କ’ଣ ଖାଲିସ୍ତାନୀ ଭଳି ଲାଗୁଛନ୍ତି  କି ? ଦେଶର କୃଷକମାନଙ୍କୁ ସମ୍ବୋଧିତ କରିବା ପାଇଁ ଏହା କ’ଣ ନୂଆ ଉପାୟ ? ଏଭଳି କହିବା ଚାଷୀଙ୍କ ପ୍ରତି ବଡ଼ ଅପମାନ ।

ବାଦଲ କହିଥିଲେ ଯେ, ସେ ଆମ କୃଷକମାନଙ୍କୁ ଦେଶଦ୍ରୋହୀ ବୋଲି କହିବାକୁ କେମିତି ସାହସ କଲେ ? ଚାଷୀମାନଙ୍କୁ ଦେଶଦ୍ରୋହୀ କହିବାର ଅଧିକାର ସେମାନଙ୍କୁ କିଏ ଦେଲା ? କୃଷକମାନେ ସାରା ଜୀବନ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି । ଯେଉଁମାନେ ସେମାନଙ୍କୁ ଦେଶଦ୍ରୋହୀ କହୁଛନ୍ତି, ସେମାନେ ହିଁ ପ୍ରକୃତ ଦେଶଦ୍ରୋହୀ ।

ହରସିମ୍‌ରତ କୌର ଦେଇଥିଲେ ଇସ୍ତଫା 

ସୂଚନାଯୋଗ୍ୟ, ବାଦଲ ପରିବାର ପକ୍ଷରୁ କୃଷି ଆଇନକୁ ବିରୋଧ କରାଯାଉଛି । ନୂଆ କୃଷି ଆଇନ୍‌ ଆଣିବା ପରେ ହରିସିମ୍‌ରତ କୌର କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଏବଂ ଏହି ନୂଆ ନିୟମକୁ କୃଷକମାନଙ୍କ ସହ ଏକ ବଡ଼ ଧୋକା ବୋଲି ବର୍ଣ୍ଣନା କରିଥିଲେ । ଖାଲି ସେତିକି ନୁହେଁ ଅକାଳି ଦଳ ଏନ୍‌ଡିଏଠାରୁ ଅଲଗା ହୋଇ ପଞ୍ଜାବ ନିର୍ବାଚନରେ ଏକା ଲଢ଼ିବ ବୋଲି ​​ସୁଖବୀର ସିଂହ ବାଦଲ ପୂର୍ବରୁ ଘୋଷଣା କରିଥିଲେ ।

Leave a Reply