ଶ୍ରୀକ୍ଷେତ୍ରରେ ସମ୍ବିତ ପାତ୍ରଙ୍କ ବଗଲା ନାଟକ, ତଥ୍ୟ ପ୍ରମାଣ ନଥିବାରୁ ପ୍ରେସମିଟରେ ହେଲେ ହଟହଟା

1 min read

ପୁରୀ: ଶସ୍ତା ରାଜନୀତି ପାଇଁ ମହଙ୍ଗା ଯାତ୍ରା । ବଗଲା ଧର୍ମାଶାଳା ଜମି ଆବଣ୍ଟନ ପ୍ରସଙ୍ଗରେ କେବଳ ପ୍ରେସମିଟ୍ କରିବାକୁ କରୋନା କଟକଣାକୁ ଉଲ୍ଲଂଘନ କରି ଦିଲ୍ଲୀରୁ ଆସି ପୁରୀରେ ପହଞ୍ଚିଥିଲେ ବିଜେପି ନେତା ସମ୍ବିତ ପାତ୍ର । ନିର୍ବାଚନ ସମୟରେ ଜଗନ୍ନାଥକୁ ଅସ୍ତ୍ର କଲେ, ଚକୁଳି ଷ୍ଟଣ୍ଟ କରି ସୋସିଆଲ୍ ମିଡିଆରେ ଟ୍ରୋଲ୍ ହେଲେ । ନିର୍ବାଚନ ହାରିବା ପରେ ଏଥର ବିଭ୍ରାନ୍ତିକର ତଥ୍ୟ ଦେଇ ହଟହଟା ହୋଇଛନ୍ତି । କାରଣ ଜମି ପାଇଥିବା ବିସ୍ଥାପିତ କହିଛନ୍ତି, ଯଦି ଶ୍ରୀକ୍ଷେତ୍ରରେ କେହି ମିଛ ରାଜନୀତି କରେ, ତା ହେଲେ ନିଆଁ ଜଳିବ । ସେପଟେ ସରକାରୀ ଦସ୍ତାବିଜ୍ ସହ ସାମ୍ନାକୁ ଆସିଛି ପ୍ରଶାସନ । କହିଛି, ବଗଲା ଧର୍ମଶାଳାର ମାତ୍ର ୧୨ ପ୍ରତିଶତ ଜମି ବିସ୍ଥାପିତ ସେବାୟତଙ୍କୁ ଯୋଗାଇ ଦିଆଯାଉଛି । ଏପରିକି ପୁରୀରେ ୧୦ ହଜାର ଗରିବ ତୀର୍ଥଯାତ୍ରୀଙ୍କ ରହଣୀ ପାଇଁ ତିଆରି ହେବ ଧର୍ମଶାଳା ।

ଖାସ୍ ରାଜନୀତି ପାଇଁ ବିଜେପି ଭୂଲିଗଲା ନୀତି ନୈତିକତା । କରୋନା କଟକଣା ପାଇଁ ପ୍ରଧାନମନ୍ତ୍ରୀ ମୋଦି ପ୍ରତିଟି ବୈଠକ ଅନଲାଇନ୍‌ରେ କରୁଛନ୍ତି । ହେଲେ ନିର୍ବାଚନରେ ହାରିବା ପରେ କାଁ ଭାଁ ପୁରୀରେ ଦର୍ଶନ ଦେଉଥିବା ସମ୍ବିତ ପାତ୍ର, ଏକ ଅପ୍ରସଙ୍ଗକୁ ପ୍ରସଙ୍ଗ କରି ରାଜନୀତି କରିବାକୁ ଦିଲ୍ଲୀରୁ ଧାଇଁ ଆସିଛନ୍ତି ପୁରୀ । ବିକାଶ ବିରୋଧୀ ବିଜେପି ନେତାଙ୍କୁ ନେଇ କରୁଛନ୍ତି ବିକ୍ଷୋଭ ରାଜନୀତି । ଯାହାକୁ ନେଇ ଖୋଦ୍ ପୁରୀବାସୀ ବିରୋଧ କରିଛନ୍ତି । ବଗଲା ଧର୍ମଶାଳାର ମାତ୍ର ୧୨ପ୍ରତିଶତ ଜମି ବିସ୍ଥାପିତଙ୍କୁ ଦିଆଯାଉଛି । ସେ ପୁଣି ଭିତର ନିଯୋଗର ସେବାୟତଙ୍କୁ । ଯେଉଁମାନେ ଶହଶହ ବର୍ଷର ଭିଟାମାଟି ଛାଡ଼ି ଶ୍ରୀକ୍ଷେତ୍ର ସୌନ୍ଦର୍ଯ୍ୟକରଣ ଅଭିଯାନର ସାରଥୀ ସାଜିଛନ୍ତି ।

ବଗଲା ଧର୍ମଶାଳା ଜମି ପ୍ରସଙ୍ଗରେ ପୁରୀ ଜିଲ୍ଲାପାଳ ଦେଇଛନ୍ତି ସ୍ପଷ୍ଟୀକରଣ । ବଳଗଣ୍ଡି ଗାଁରେ ଥିବା ଧର୍ମଶାଳା ଖାତା ନଂ-୨୪୨ ଓ ୧୫୦, ମୋଟ୍ ୨.୭୩୮ ଏକର ଜମି । ଧର୍ମଶାଳାରେ ମାତ୍ର ୨ ଶହ ଜଣ ରହିବାର ବ୍ୟବସ୍ଥା ଥିଲା । ଜିଲ୍ଲାପାଳ ସଫା ସଫା କହିଛନ୍ତି, ଧର୍ମଶାଳା ଜମିକୁ ଘରୋଇ ଲଜ୍ ମାଲିକଙ୍କୁ ବିକ୍ରି ଖବର ମିଛ । ମାତ୍ର ୧୨% ଜମି ସେବାୟତଙ୍କ ଥଇଥାନରେ ଉପଯୋଗ ହୋଇଛି । ଅନ୍ୟପକ୍ଷରେ ଏବେ ପୁରୀରେ ୨ହଜାର ଲୋକଙ୍କ ରହଣୀ ପାଇଁ କାମ ଚାଲିଛି । ପରେ ଆଉ ୮ ହଜାର ଗରିବ ଭକ୍ତଙ୍କ ରହଣୀର ବ୍ୟବସ୍ଥା କରାଯିବ । ସେପଟେ ପୁରୀର ପୂର୍ବତନ ବିଧାୟକ ମହେଶ୍ୱର ମହାନ୍ତି କହିଛନ୍ତି, ବିଜେପି ଏଭଳି ହୀନ ରାଜନୀତି ଠାରୁ କ୍ଷାନ୍ତ ରହୁ ।

ଏବେ ପ୍ରଶ୍ନ ଉଠୁଛି, ଯେଉଁମାନଙ୍କ ତ୍ୟାଗ ଯୋଗୁଁ ଶ୍ରୀକ୍ଷେତ୍ରରେ ବିକାଶ ନକ୍ସା ଅଙ୍କା ଯାଉଛି, ସେମାନଙ୍କୁ ଥଇଥାନ କରିବା କଣ ଭୂଲ୍ ? ଅଧିକ ସଂଖ୍ୟକ ତୀର୍ଥଯାତ୍ରୀଙ୍କ ରହଣୀ ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା କରିବା କଣ ଭୂଲ୍ ? ପୁରୀ ଐତିହ୍ୟ ପ୍ରକଳ୍ପ ଏବେ ଯୁଦ୍ଧକାଳୀନ ଗତିରେ ଆଗେଇ ଚାଲିଛି । ଏଭଳି ସମୟରେ ଲୋକଙ୍କୁ ବିଭ୍ରାନ୍ତି କରିବା କେତେ ଦୂର ଯୁକ୍ତିଯୁକ୍ତ ?

ବଗଲା ଧର୍ମଶାଳା ଜମି ଲଜ୍ ମାଲିକଙ୍କୁ ବିକ୍ରି ଅଭିଯୋଗ ମିଛ

Leave a Reply