ଓଡ଼ିଶା ମୋ ପରିବାରର ରକ୍ତ ସଂଗ୍ରହ ଅଭିଯାନ, କ୍ରାନ୍ତି ଦିବସରୁ ସପ୍ତାହବ୍ୟାପୀ ଚାଲିବ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

ଭୁବନେଶ୍ୱର: କ୍ରାନ୍ତି ଦିବସରୁ ବିଜେଡିର ‘ଓଡ଼ିଶା ମୋ ପରିବାର’ ପକ୍ଷରୁ ସପ୍ତାହବ୍ୟାପୀ ଜୀବନବିନ୍ଦୁ ରକ୍ତଦାନ ଶିବିର ଆରମ୍ଭ ହେବ ।  ସାରା ରାଜ୍ୟରେ ଚାଲିବ ଏହି ସ୍ୱତନ୍ତ୍ର ଅଭିଯାନ । ଅଗଷ୍ଟ ୯ ତାରିଖରୁ ୧୫ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଅଭିଯାନ ରାଜ୍ୟର ସମସ୍ତ ଜିଲ୍ଲାରେ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ କାହାକୁ ଯେମିତି ରକ୍ତର ଅଭାବ ନରୁହେ । କୋଭିଡ୍ ସଂକଟରେ ଛୋଟ ଛୋଟ କ୍ୟାମ୍ପ ଗୁଡିକର ଆୟୋଜନ କରି କ୍ରାନ୍ତି ଦିବସରୁ ସ୍ୱାଧୀନତା ଦିବସ ଯାଏଁ ଏହି ୭ ଦିନ ୩୨ଟି ସ୍ଥାନରେ ରକ୍ତଦାନ ଅଭିଯାନ ଆରମ୍ଭ ହେବ । ଏଥିରେ ଆଗ୍ରହ ଥିବା ବ୍ୟକ୍ତି ସବୁ ସାମିଲ ହୋଇପାରିବେ । ଏଥିପାଇଁ ମୋ ଓଡିଶା ପକ୍ଷରୁ ସବୁ ପ୍ରକାର ନିର୍ଦ୍ଦେଶନା ଦିଆଯାଇଛି । କୋଭିଡ୍ ନିୟମ ସହ ୭ ଦିନ ଧରି ଏହି ଅଭିଯାନ ଚାଲିବ ।

ଏ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ପାଇଁ ସ୍ୱେଚ୍ଛାସେବୀଙ୍କୁ ଉତ୍ସାହିତ କରାଯିବ । ‘ଓଡ଼ିଶା ମୋ ପରିବାର’ ପକ୍ଷରୁ ଏହି ସୂଚନା ଦିଆଯାଇଛି । ରାଜ୍ୟରେ ପାଖାପାଖି ୨ ଲକ୍ଷ ୟୁନିଟ ରକ୍ତ ସଂଗୃହୀତ ହେଉଥିବା ବେଳେ, କରୋନା ପାଇଁ ରକ୍ତଭଣ୍ଡାରରେ ସଂକଟ ଦେଖାଦେଇଛି । ଏଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ‘ଓଡ଼ିଶା ମୋ ପରିବାର’ ପକ୍ଷରୁ ଏ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଉଛି । ପ୍ରତି ଜିଲ୍ଲାର ବିଧାୟକ, ସାସଂଦ, ଜନପ୍ରତିନିଧି, ସ୍ୱେଚ୍ଛାସେବୀ, ମହିଳା ସଂଗଠନଙ୍କୁ ଆହ୍ୱାନ ଦିଆଯାଇଛି । ସାମ୍ବାଦିକ ସମ୍ମିଳନୀରେ ‘ଓଡ଼ିଶା ମୋ ପରିବାର’ ଆବାହକ ଅରୂପ ପଟ୍ଟନାୟକ, ମୁଖ୍ୟ ସଂଯୋଜକ ଦେବୀ ପ୍ରସାଦ ମିଶ୍ର ଏବଂ ସହ ମୁଖ୍ୟ ସଂଯୋଜକ ଅତନୁ ସବ୍ୟସାଚୀ ନାୟକ ଯୋଗଦେଇ ରକ୍ତ ସଂକଟ ଦୂର କରିବାକୁ ଆହ୍ୱାନ ଦେଇଥିଲେ ।

Leave a Reply