ଯୁବ ବିଜେଡି କାର୍ଯ୍ୟକାରିଣୀ ବୈଠକ ଆରମ୍ଭ: ପଞ୍ଚାୟତ ନିର୍ବାଚନ ପୂର୍ବରୁ ମଜଭୁତ ହେବ ବିଜେଡିର ସଂଗଠନ

ଭୁବନେଶ୍ୱର: ଆସନ୍ତା ୨୬ ତାରିଖରେ ବିଜେଡିର ପ୍ରତିଷ୍ଠା ଦିବସ ପୂର୍ବରୁ ଆଜି ବସିଛି ଯୁବ ବିଜେଡି କାର୍ଯ୍ୟକାରିଣୀ । ଏଥିରେ ରାଜନୈତିକ ପ୍ରସ୍ତାବ ନେଇ ଆଲୋଚନା ହୋଇଛି । ଯେଉଁଠି ବର୍ଷ ଯାକର ଖସଡ଼ା ପ୍ରସ୍ତୁତ କରାଯିବ । ଗାଁକୁ ଯାଇ ଲୋକଙ୍କ ପାଖରେ ରାଜ୍ୟ ସରକାରଙ୍କ ଯୋଜନା ପହଞ୍ଚାଇବେ ନବୀନଙ୍କ ଯୁବ ବ୍ରିଗେଡ୍‌ । ଏନେଇ ବୈଠକରେ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ ହେବ । ତୃଣମୂଳସ୍ତରରେ ଦଳକୁ ଅଧିକ ସଦୃଢ଼ କରିବା ଲକ୍ଷ୍ୟରେ ଯୁବକର୍ମୀଙ୍କୁ ଦିଆଯିବ ଗୁରୁଦାୟିତ୍ବ । ମହାମାରୀ ସମୟରେ ଲୋକଙ୍କ ପାଖରେ କିପରି ସେବା ପହଞ୍ଚିପାରିବ, ତାହା ଯୁବ ବିଜେଡି କର୍ମୀ ବୁଝିବେ । ସେହିପରି ଡିସେମ୍ବର ୨୦ରେ ବିଜେଡିର କାର୍ଯ୍ୟକାରିଣୀ ବସିବ । ଦଳର ସଭାପତିଙ୍କ ସମେତ ୮୧ ଜଣ ସଦସ୍ୟ ଯୋଗଦେବେ । ରାଜ୍ୟ ସରକାରଙ୍କ କଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ପାଇଁ ଦାୟିତ୍ବ ଦେବେ ସଭାପତି । ଡିସେମ୍ବର ୨୧ରେ ୩୫୦ ରାଜ୍ୟ ପରିଷଦ ସଦସ୍ୟଙ୍କ ବୈଠକ ନେବେ ନବୀନ ।

ଓଡ଼ିଶାର ଯୁବକ ଯୁବତୀଙ୍କ ଭବିଷ୍ୟତ ନିର୍ଦ୍ଧାରଣ ପାଇଁ ବୈଷୟିକ ଶିକ୍ଷା ଓ ତାଲିମ କ୍ଷେତ୍ରକୁ ଅଗ୍ରାଧିକାର ଦେବା ପାଇଁ ସରକାରଙ୍କୁ ନିବେଦନ କରାଯାଇଛି । ଓଡ଼ିଶାର ଐତିହ୍ୟ, ସଂସ୍କୃତି ଓ ବଳିଷ୍ଠ ଇତିହାସକୁ ପାଥେୟ କରି ଓଡ଼ିଶାର ଯୁବପିଢିକୁ ଅନୁପ୍ରାଣିତ କରିବା ପାଇଁ ଏବଂ ଓଡ଼ିଶା ଅଭିଯାନରେ ଅଗ୍ରଣୀ ଭୂମିକାରେ ସ୍ଥାନ ନିରୁପଣ କରିବାକୁ ସରକାରଙ୍କ ନିକଟରେ ଦାବି ରଖାଯାଇଛି । ଓଡ଼ିଶା ହେଉଛି କୃଷି ପ୍ରଧାନ ରାଜ୍ୟ ।

କୃଷି ହେଉଛି ଓଡ଼ିଶାର ଅର୍ଥନୀତି ଓ ସଂସ୍କୃତିର ମୂଳଭିତ୍ତି । ରାଜ୍ୟ ସରକାର କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ବହୁ ବୈଷୟିକ ପରିବର୍ତ୍ତନ ଆଣିଛନ୍ତି । କୃଷି କ୍ୟାବିନେଟ, ସ୍ୱତନ୍ତ୍ର କୃଷି ବଜେଟ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଗଠନ ଆଦି ଯୁଗାନ୍ତକାରୀ ପଦକ୍ଷେପ କୃଷିକୁ ଏକ ସମ୍ମାନଜନକ ପେସାରେ ପରିଣତ କରାଇପାରିଛି । ତେଣୁ ଅଧିକରୁ ଅଧୁକ ଯୁବପିଢ଼ିଙ୍କୁ ବୈଷୟିକ କୃଷି ପ୍ରତି ଆକୃଷ୍ଟ କରିବା ପାଇଁ ପ୍ରୋତ୍ସାହନ ଦେବାକୁ ସରକାରଙ୍କୁ ଅନୁରୋଧ କରାଯାଇଛି ।

ରାଜ୍ୟରେ ଆଞ୍ଚଳିକ ବୈଷମ୍ୟ ଦୂର ଏବଂ ସାମାଜିକ କଲ୍ୟାଣ କ୍ଷେତ୍ରରେ ଯୁବଶକ୍ତିର ଅଗ୍ରଣୀ ଭୂମିକା ରହିବ । ତେଣୁ ଯୁବଶକ୍ତିର ଉପଯୁକ୍ତ ବ୍ୟବହାର କ୍ଷେତ୍ରରେ ସରକାର ଦୃଷ୍ଟି ଦେବେ । କ୍ରମାଗତ ଭାବେ କେନ୍ଦ୍ର ସରକାର ଓଡ଼ିଶାକୁ ଅବହେଳା କରିଆସିଛନ୍ତି । କୋଇଲା ରୟାଲ୍‌ଟି, ରେଳପଥର ବିକାଶ, ପରିବେଶ ସେସ୍ ଓ ଶିଳ୍ପ କରିଡର ନିର୍ମାଣ କ୍ଷେତ୍ରରେ ଓଡ଼ିଶାକୁ ସଂପୂର୍ଣ୍ଣ ଅଣଦେଖା କରାଯାଉଛି । ଆଗାମୀ ଦିନରେ ବିଜୁ ଯୁବ ଜନତା ଦଳ ଏହା ବିରୋଧରେ ରାଜନୈତିକ କାର୍ଯ୍ୟପନ୍ଥା ଗ୍ରହଣ କରିବ ବୋଲି ଯୁବ ବିଜେଡି କାର୍ଯ୍ୟକାରିଣୀରେ ନିଷ୍ପତ୍ତି ନିଆଯାଇଛି।

Leave a Reply