ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଆଗରେ ଫିକା ପଡ଼ିଲା ମୋଦି ମନ୍ତ୍ର, ବାଲେଶ୍ୱର ତିର୍ତ୍ତୋଲରେ ବିଜେଡିକୁ ବିପୁଳ ସମର୍ଥନ

ବାଲେଶ୍ୱର/ତିର୍ତ୍ତୋଲ: ଉପନିର୍ବାଚନରେ ବିଜୟ ବାନା ଉଡ଼ାଇଲା ବିଜେଡି । ସାଧାରଣ ନିର୍ବାଚନର ଦେଢ ବର୍ଷ ପରେ ବିଜେଡି ଲୋକପ୍ରିୟତାରେ ଏକ ନମ୍ବର ରହିଛି  । କାମ ଦେଲାନି ମୋଦି ମନ୍ତ୍ର । ନବୀନ ମନ୍ତ୍ରରେ ବାୟା ପୁରା ଓଡ଼ିଶା । ନବୀନ ତାଙ୍କର ସମସ୍ତ ପ୍ରତିଶ୍ରୁତିକୁ ଠିକ ଠିକ୍‌ ଭାବରେ ପୁରା କରନ୍ତି । ଆଉ ସେହି ପ୍ରତିଶ୍ରୁତିବଦ୍ଧତାର ପରିଣାମ ସ୍ୱରୁପ ଆଜି ଲୋକେ ତାଙ୍କର ପ୍ରମାଣ ଦେଇଛନ୍ତି । ବାଲେଶ୍ୱର ସଦର, ତିର୍ତ୍ତୋଲ ଉପନିର୍ବାଚନରେ ବାଜିମାତ ଏହାର ସ୍ପଷ୍ଟ ସଂକେତ ଦେଇଛି । ବଜେଡିକୁ ବିପୁଳ ପରିମାଣରେ ଭୋଟ ଦେଇ ଜିତାଇଛନ୍ତି । ଉଭୟ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଆସନରେ ବାଜିମାତ କରିଛି ବିଜେଡି । ବିଜେଡି ଉପସଭାପତି ଦେବୀପ୍ରସାଦ ମିଶ୍ରଙ୍କ କହିବା କଥା ହେଉଛି, ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱକୁ ଭଲ ପାଇ ଲୋକେ ବିଜେଡିକୁ ଜିତାଇଛନ୍ତି ।ଏହାସହ ରାଜ୍ୟ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟକ୍ରମ ଆମ ଦଳର ବିଜୟ ମନ୍ତ୍ର ବୋଲି ସେ କହିଛନ୍ତି  ।  ତିର୍ତ୍ତୋଲ ଆସନ ବଜାୟ ରଖିବା ସହ ବିଜେପି ହାତରୁ ବାଲେଶ୍ୱର ସଦର ଛଡ଼ାଇ ନେଇଛି ଦଳ ।

ତିର୍ତ୍ତୋଲରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ନିକଟତମ ପ୍ରତିଦ୍ୱନ୍ଦୀ ରାଜକିଶୋର ବେହେରାଙ୍କ ଠାରୁ ୪୧ ହଜାର୪୯୩  ଖଣ୍ଡ ଅଧିକ ଭୋଟ ପାଇ ବିପୁଳ ବିଜୟ ହାସଲ କରିଛି । ଦଳ ମୋଟ ୮୮ ହଜାର ଭୋଟ ପାଇଛି । ବିଜେପିର ରାଜକିଶୋର ବେହେରା ଓ କଂଗ୍ରେସର ହିମାଂଶୁ ଭୂଷଣ ମଲ୍ଲିକ ଯଥାକ୍ରମେ ୪୬ ହଜାର ୫୦୭ ଖଣ୍ଡ ଏବଂ ୨୮ ହଜାର ୭୫୦ ଖଣ୍ଡ ଭୋଟ ପାଇ ଦ୍ୱୀତୀୟ ଓ ତୃତୀୟ ସ୍ଥାନରେ ରହିଛି । ସେପଟେ ବାଲେଶ୍ୱରରେ ୧୩ ହଜାର ୩୫୧ ଖଣ୍ଡ ଅଧିକ ଭୋଟ ପାଇ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ବିଜୟୀ ହୋଇଛନ୍ତି । ଦଳକୁ ମିଳିଛି ୮୩,୪୩୭ ଖଣ୍ଡ ଭୋଟ ପାଇଛି । ବିଜେପିର ମାନସ ଦତ୍ତ  ୭୦ ହଜାର ୨୦୭ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ପାଇଛି ମାତ୍ର ୪,୯୧୧ ଭୋଟ ।

ସେପଟେ ପରାଜୟ ପରେ ଉଭୟ ବିଜେପି ଓ କଂଗ୍ରେସ ଆତ୍ମସମୀକ୍ଷା ଆରମ୍ଭ କରିଛନ୍ତି  । ପ୍ରାର୍ଥୀ ଚୟନଠାରୁ ଆରମ୍ଭ କରି ନିର୍ବାଚନ ପରିଚାଳନା ସଠିକ ହୋଇନଥିବା ଯୋଗୁଁ ବିଜେପି ଏପରି ପରାଜୟର ସମ୍ମୁଖୀନ ହୋଇଛି ବୋଲି ବିଜେପି ନେତା ଖାରବେଳ ସ୍ବାଇଁ କହିଛନ୍ତି  । ଦଳ ପରାଜୟର କାରଣ କେନ୍ଦ୍ରୀୟ ନେତାଙ୍କୁ ଅବଗତ କରାଯିବ ବୋଲି ସେ କହିଛନ୍ତି  । ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ଉଭୟ ଆସନରେ ଆମେ ଭଲ ପ୍ରାର୍ଥୀ ଦେଇଥିଲୁ  । ହେଲେ ଆମେ ଲୋକଙ୍କ ମତକୁ ସମ୍ମାନ ଜଣାଇ ପରାଜୟକୁ ଗ୍ରହଣ କରୁଛୁ  । ଖୁବଶୀଘ୍ର ପରାଜୟର କାରଣ ନେଇ ଦଳ ଆତ୍ମସମୀକ୍ଷା କରିବ ବୋଲି ତାରା କହିଛନ୍ତି  ।

Leave a Reply