ମିଛ ଅଶ୍ଳୀଳ ଭିଡିଓ ଭାଇରାଲ୍ ପ୍ରସଙ୍ଗରେ ନ୍ୟାୟ ମାଗିଲେ ବିଜେଡି ସାଂସଦ ଚନ୍ଦ୍ରାଣୀ ମୁର୍ମୁ

ଭୁବନେଶ୍ୱର: କେନ୍ଦୁଝରର ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କର ଛବିକୁ ସର୍ବସାଧାରଣରେ ଖରାପ କରିବା ପାଇଁ ସାଧାରଣ ନିର୍ବାଚନ ପୂର୍ବରୁ ଏକ ଅପପ୍ରଚେଷ୍ଟା ହୋଇଥିଲା । ଏକ ମିଥ୍ୟା ଭିଡିଓ ପ୍ରସାରଣ କରାଯାଇ, ଅଶ୍ଲୀଳତାକୁ ପ୍ରୋତ୍ସାହିତ କରିବା ସହ ଭିଡିଓରେ ଥିବା ମହିଳାଙ୍କୁ ଇନ୍ଦ୍ରାଣୀ ମୂର୍ମୁ ବୋଲି ଉଲ୍ଲେଖ କରାଯାଇଥିଲା । ଯାହା ଏକଦମ ଅସତ୍ୟ ଅଟେ । ଏଭଳି ଉଦ୍ୟମ ଓଟିଭିର ଜଣେ ସାମ୍ୱାଦିକ କରିଥିବା ଅଭିଯୋଗ ହୋଇଥିଲା । ତେବେ ଏହି ପ୍ରସଙ୍ଗରେ ଗତକାଲି ଓଟିଭି ସାମ୍ୱାଦିକ ରମେଶ ରଥଙ୍କୁ ପୋଲିସ ଗିରଫ କରିଥିଲା । ଏହି ଗିରଫଦାରୀକୁ ଓଟିଭି କର୍ତ୍ତୃପକ୍ଷ ରାଜନୈତିକ ରୂପ ଦେବାରେ ଲାଗିଛନ୍ତି । ନାରୀର ସମ୍ମାନ ଓ ସ୍ୱାଭିମାନ ଅପେକ୍ଷା ଏହାକୁ ନେଇ ମିଛ ଖବର ପରିବେଷଣ କରିବାରେ ଲାଗିଛନ୍ତି । ଏପରିକି  ଓଟିଭି ମାଲିକ ଜାଗି ମଙ୍ଗତ ପଣ୍ଡା ଏକ କୁକର୍ମ ପାଇଁ  ନିଜ ସାମ୍ୱାଦିକଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା ମଧ୍ୟ କରୁଛନ୍ତି ।

ଏବେ ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଏହି ପ୍ରସଙ୍ଗ ଉପରେ ମତ ରଖି ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ଭିଡିଓରେ ସେ କହିଛନ୍ତି ଯେ, ମିଛ ଭିଡିଓ ଭାଇରାଲ କରି ଓଟିଭି ସାମ୍ୱାଦିକ ମୋତେ ମାନସିକ ସ୍ତରରେ କ୍ଷତି ପହଞ୍ଚାଇଛନ୍ତି । ଏଭଳି ଅପପ୍ରଚାର ମୋତେ ମାନସିକ ଯନ୍ତ୍ରଣା ଓ ନିର୍ଯ୍ୟାତନା ଦେଇଛି  । ତେବେ ଏବେ ପୋଲିସ ସାମ୍ୱାଦିକଙ୍କୁ ଗିରଫ କରି କାର୍ଯ୍ୟାନୁଷ୍ଠାନ ନେବା ବେଳେ ଓଟିଭି ମାଲିକ ବୈଜୟନ୍ତ ପଣ୍ଡା ଓ ଜାଗି ମଙ୍ଗତ ପଣ୍ଡା ସାମ୍ୱାଦିକଙ୍କ ସପକ୍ଷରେ ମତ ରଖୁଛନ୍ତି । ସରକାର ଓଟିଭି ଉପରେ ଆକ୍ରୋଶ ରଖି ଏଭଳି କରୁଥିବା ପଣ୍ଡା ଦମ୍ପତି ଅଭିଯୋଗ କରୁଛନ୍ତି । ତେବେ ବାସ୍ତବରେ ଏହା କଣ ଠିକ ବୋଲି ସେ ପ୍ରଶ୍ନ କରିଛନ୍ତି ।

ବୈଜୟନ୍ତ ପଣ୍ଡାଙ୍କୁ ପାଲଟା ପ୍ରଶ୍ନ କରି ଚନ୍ଦ୍ରାଣୀ ମୁର୍ମୁ କହିଛନ୍ତି ଯେ ମୋ ସ୍ଥାନରେ ଆପଣଙ୍କ ଝିଅ ଥିଲେ, ଆପଣ କଣ ଏହା ହିଁ କରିଥାନ୍ତେ, ଯାହା ଏବେ କରୁଛନ୍ତି । ଜଣେ ସାମ୍ୱାଦିକ କଣ ଦାୟିତ୍ୱବାନ ହେବା ଉଚିତ୍ ନୁହେଁ କି? ସ୍ୱାଧୀନତା ନାମରେ ଜଣେ ସାମ୍ୱାଦିକ ଯାହା କିଛି କରାଯିବ । ପରେ ପୋଲିସ ଅପରାଧିକ କାର୍ଯ୍ୟକଳାପକୁ ବିରୋଧ କଲେ ଏହାକୁ ସାମ୍ୱାଦିକ ବିରୋଧୀ କାର୍ଯ୍ୟାନୁଷ୍ଠାନ ବୋଲି କୁହାଯିବ । ଏହା କେତେ ଦୂର ଯଥାର୍ଥ? ମୁଁ ଜଣେ ଆଦିବାସୀ ମହିଳା ଓ ସର୍ବସାଧାରଣରେ ମୋର ସମ୍ମାନହାନୀ ହୋଇଛି । ସବୁଠାରୁ ବଡ଼ କଥା ଏହା ଉଦ୍ଦେଶ୍ୟମୂଳକ ଭାବେ ହୋଇଛି । ତେଣୁ ମୁଁ ନ୍ୟାୟ ଆଶା କରିବା ଉଚିତ୍ ନୁହେଁ କି ?ଓଟିଭି ଭଳି ସଂସ୍ଥା ନିଜର ଜାତୀୟସ୍ତରରେ ଥିବା ଗଣମାଧ୍ୟମ ସହଯୋଗରେ ତଦନ୍ତକୁ ପ୍ରଭାବିତ କରୁଛନ୍ତି । ଜାତୀୟ ଗଣମାଧ୍ୟମରେ ସମ୍ପର୍କ ଥିବା ହେତୁ ଭୁଲ ସ୍ୱୀକାର କରିବା ପରିବର୍ତ୍ତେ ସଂପୃକ୍ତ ସାମ୍ୱାଦିକଙ୍କୁ ଘଣ୍ଟ ଘୋଡାଉଛନ୍ତି । ଯାହା ନିହାତି ପକ୍ଷେ ଦୁର୍ଭାଗ୍ୟଜନକ ଅଟେ  । ତେବେ ଉକ୍ତ ଭିଡିଓରେ ଜାତୀୟ ଗଣମାଧ୍ୟମକୁ ଓଟିଭି ସମର୍ଥନରେ ଖବର ପ୍ରସାରଣ ନକରିବା ପାଇଁ ଅପିଲ୍ କରିବା ସହ ନିଜ ପାଇଁ ନ୍ୟାୟ ଦାବି କରିଛନ୍ତି ।

 

Leave a Reply