ପରଲୋକରେ ବିଜେଡିର ବରିଷ୍ଠ ନେତା ବିଷ୍ଣୁ ଦାସ

ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା । ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ତାଙ୍କର ଦେହାନ୍ତ ହୋଇଛି । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ । ଅସୁସ୍ଥତା କାରଣରୁ ତାଙ୍କୁ କିଛି ଦିନ ହେବ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସିତ ଅବସ୍ଥାରେ ତାଙ୍କର ସେଠାରେ ମୃତ୍ୟୁ ହୋଇଛି ।

Bishnu-das

ସେ ଛାତ୍ର ଜୀବନରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ସେ ଜଣେ ଉତ୍ତମ ସଂଗଠକ ମଧ୍ୟ ଥିଲେ । ୧୯୯୦ରୁ ଜଗତସିଂହପୁର ବିଧାନସଭା ଆସନରୁ ସେ ଲଗାତର ଭାବେ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଶେଷ ଥର ୨୦୧୪ରେ ସେହି ଜଗତସିଂହପୁର ଆସନରୁ କଂଗ୍ରେସ ପ୍ରାର୍ଥୀ ଚିରଞ୍ଜୀବ ବିଶ୍ୱାଳଙ୍କଠାରୁ ପରାଜିତ ହୋଇଥିଲେ ।

Bishnu-das

୧୯୯୦ ଓ ୧୯୯୫ରେ ସେ ଜନତା ଦଳର ଟିକେଟରୁ ଲଢ଼ି ଜଗତସିଂହପୁର ବିଧାନସଭା ଆସନରୁ ବିଧାୟକ ହୋଇଥିଲେ । ପରେ ୨୦୦୦, ୨୦୦୪ ଏବଂ ୨୦୦୯ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ ଟିକେଟରେ ଲଢ଼ି ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ଜଣେ ବରିଷ୍ଠ ଅଭିଜ୍ଞ ରାଜନୀତିଜ୍ଞ ହୋଇଥିବା ବେଳେ ଲୋକଙ୍କ ପ୍ରିୟ ନେତା ମଧ୍ୟ ଥିଲେ । ସେ ସବୁବେଳେ ଲୋକଙ୍କ ଦୁଃଖ ସୁଖରେ ସାମିଲ ହୋଇଥାନ୍ତି । ତାଙ୍କ ପରଲୋକ ଖବର ପାଇ ପରିବାରରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ତାଙ୍କ ପରଲୋକ ଖବର ଶୁଣି ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

Leave a Reply