ବିରୋଧୀ ଦଳ ଉପନେତାଙ୍କ ମନ୍ତବ୍ୟ ପ୍ରତ୍ୟାହାର ଦାବି କଲା ବିଜେଡି

ଭୁବନେଶ୍ୱର : ବିରୋଧୀଦଳ ଉପନେତା ତଥା ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ବୟାନକୁ ନେଇ କଡ଼ା ଆପତ୍ତି ପ୍ରକାଶ କରିଛି ବିଜେଡି । ଦଳୀୟ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ, ବିଧାୟକ ଶ୍ରୀ ସେଠୀ ଶାଳୀନତାର ସୀମା ଟପିଛନ୍ତି । ବିଧାୟକ ହିସାବରେ ନିଜର ପଦ ମର୍ଯ୍ୟାଦା ସହିତ ଗାରିମା ରକ୍ଷା ଦୃଷ୍ଟିରୁ ଶ୍ରୀ ସେଠି ଦେଇଥିବା ଆପତ୍ତିଜନକ ମନ୍ତବ୍ୟ ପ୍ରତ୍ୟାହାର ପାଇଁ ଦଳ ଦାବି କରିଛି ।

ଦୀର୍ଘବର୍ଷ ଧରି ଓଡ଼ିଶା ରାଜନୀତିରେ ଏଭଳି ଅଶାଳୀନ ଶବ୍ଦ ବ୍ୟବହାର ଆଦୌ ଲକ୍ଷ୍ୟ କରାଯାଇନଥିଲା କିମ୍ୱା କୌଣସି ସ୍ଥିତିରେ ଜଣେ ବିଧାୟକଙ୍କଠାରୁ ଏଭଳି ଆଶା କରାଯାଏ ନାହିଁ । ବିଧାୟକ ବିଷ୍ଣୁ ସେଠୀ ସାମ୍ବାଦିକ ସମ୍ମିଳନୀରେ ଯେଉଁ ପ୍ରସଙ୍ଗ ଉଠାଇଛନ୍ତି ସେଦିନ ବିଧାନସଭାରେ ମଧ୍ୟ ତାହା ଉଠାଇପାରିଥାନ୍ତେ ବୋଲି ଡ. ପାତ୍ର କହିଛନ୍ତି । ତେବେ ବିଧାନସଭା ଅଧିବେଶନ ସମୟରେ ଏଭଳି ନକରି ମୁଲତବୀ ପରେ ସାମ୍ବାଦିକ ସମ୍ମିଳନୀ କରିବା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ସେ କହିଛନ୍ତି ।

ସେହିପରି ଧାନ ସଂଗ୍ରହ ପାଇଁ ମଣ୍ଡିରେ ଦଲାଲଙ୍କ ପ୍ରାଦୃଭାବ ହ୍ରାସ ପାଇଁ ଟୋକନ୍ ବ୍ୟବସ୍ଥା ହୋଇଥିବା ବେଳେ ଶ୍ରୀ ସେଠୀ ଏହାକୁ ବିରୋଧ କରିଥିବା ବିଜେଡି କହିଛି । ଏହାଫଳରେ ଧାନ ବିକ୍ରୀରେ ଦଲାଲ ବ୍ୟବସ୍ଥାକୁ ବିରୋଧୀ ଦଳ ଉପନେତା ପ୍ରୋତ୍ସାହିତ କରୁଥିବା ସ୍ପଷ୍ଟ ହେଉଛି ବୋଲି ଡ. ପାତ୍ର କହିଛନ୍ତି ।

 

Leave a Reply