ସାଙ୍ଗଠନିକ ତାଲିକା ଘୋଷଣା କଲା ବିଜେଡି

1 min read

ଶାସକ ବିଜୁ ଜନତା ଦଳ ନିଜର ଦଳୀୟ ସଙ୍ଗଠନର ପୁର୍ନଗଠନ କରିଛି । ପୂର୍ବରୁ ଦଳର ସାଙ୍ଗଠନିକ ନିର୍ବାଚନ ଶେଷ ହୋଇଯାଇଥିବା ବେଳେ ଏବେ ଏନେଇ ବିଦ୍ଧିବଦ୍ଧ ଘୋଷଣା ହୋଇଛି । ତେବେ ଏହି ସାଙ୍ଗଠନିକ ନିର୍ବାଚନରେ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଭାପତି ଭାବେ ନିର୍ନ୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ । ସେହିଭଳି ପ୍ରଣବ ପ୍ରକାଶ ଦାସଙ୍କୁ ଦଳର ସାଙ୍ଗଠନିକ ସମ୍ପାଦକର ଦାୟିତ୍ୱ ପୂର୍ବରୁ ମିଳି ସାରିଛି  । ଏବେ ଦଳ ଉପସଭାପତି ଓ ବିଜେଡି କାର୍ଯ୍ୟାଳୟର ସାଧାରଣ ସମ୍ପାଦକଙ୍କ ନାମ ଘୋଷଣା କରିଛି ।

ତେବେ ଉପସଭାପତି ତାଲିକାରେ ବରିଷ୍ଠଙ୍କ ମଧ୍ୟରେ ଅନଙ୍ଗ ଉଦୟ ସିଂହଦେଓ, ପ୍ରସନ୍ନ ଆଚାର୍ଯ୍ୟ, ପ୍ରସନ୍ନ କୁମାର ପାଟ୍ଟଶାଣୀ, ପ୍ରଫୁଲ୍ଲ ସାମଲ, ବିଜୟଶ୍ରୀ ରାଉତରାୟ, ଲାଲ ବିହାରୀ ହିମିରିକା, ଅନନ୍ତ ଦାସ ଓ ବିମ୍ୱାଧର କୁଅଁର ରହିଛନ୍ତି । ସେହିଭଳି ଉପସଭାପତି ତାଲିକାରେ ଅନେକ ଯୁବଙ୍କୁ ମଧ୍ୟ ସୁଯୋଗ ଦିଆଯାଇଛି । ଆଦିବାସୀ ସଶକ୍ତିକରଣ ଓ ସଂଖ୍ୟାଲଘୁ ବ୍ୟାପାରର ଦାୟିତ୍ୱରେ ମଙ୍ଗଳ କିଷନଙ୍କୁ ଦାୟିତ୍ୱ ଦିଆଯାଇଛି । ସୌମ୍ୟ ରଞ୍ଜନ ପଟ୍ଟନାୟକ କଳା, ମାନବସମ୍ୱଳ ଓ ସଂସ୍କୃତି, ଦେବୀ ପ୍ରସାଦ ମିଶ୍ରଙ୍କୁ ‘ଓଡିଶା-ମୋ ପରିବାର’, ୱିକ୍ରମ କେଶରୀ ଆରୁଖଙ୍କୁ ପରିବେଶ, ଉଷା ଦେବୀଙ୍କୁ ସାମାଜିକ ବ୍ୟାପାର, ପ୍ରମିଳା ମଲ୍ଲିକଙ୍କୁ ନାରୀ ସଶକ୍ତିକରଣ, ବଦ୍ରି ନାରାୟଣ ପାତ୍ରଙ୍କୁ ଆଞ୍ଚଳିକ ବିକାଶ ଓ ପ୍ରଦୀପ କୁମାର ଅମାତଙ୍କୁ ସଶକ୍ତ ଓଡିଶା ଓ ପଦ୍ମନାଭ ବେହେରାଙ୍କୁ ଅନୁସୂଚିତ ଜାତି ସଶକ୍ତିକରଣ ବିଭାଗରେ ଦାୟିତ୍ୱ ମିଳିଛି ।

ଏମାନେ ନିଜ ନିଜ ବିଭାଗରେ ଦଳକୁ ତୃମମୂଳ ସ୍ତରରୁ ଶକ୍ତ କରିବା ପାଇଁ ପ୍ରୟାସ କରିବେ । ତେବେ ଦଳର ସାଧାରଣ ସମ୍ପାଦକ ପଦ ଜଣେ ଯୁବଙ୍କୁ ଦିଆଯାଇଛି । ଦଳୀୟ କାର୍ଯ୍ୟାଳୟର ସାଧାରଣ ସମ୍ପାଦକ ଭାବେ ସଞ୍ଜୟ କୁମାର ଦାସବର୍ମାଙ୍କୁ ଦାୟିତ୍ୱ ମିଳିଛି ।

Leave a Reply