ବୈଜୟନ୍ତଙ୍କୁ ମହଙ୍ଗା ପାକିସ୍ତାନ ମନ୍ତବ୍ୟ : ସବୁ ବର୍ଗରୁ ପ୍ରବଳ ବିରୋଧ , ରାଜ୍ୟଦ୍ରୋହୀ ମନ୍ତବ୍ୟ ପାଇଁ ସାଥ୍ ଦେଲାନି ଦଳ

1 min read

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା । ଶାନ୍ତିପ୍ରିୟ ଓଡ଼ିଶାକୁ ପାକିସ୍ତାନ ସହ ତୁଳନା କରିଥିଲେ । କେବଳ ଏତିକି ନୁହେଁ, ଏପରି ଭୁଲ୍ କରି ତାହାକୁ ଉଚିତ ଦର୍ଶାଇବାକୁ ଚେଷ୍ଟା କରିଚାଲିଲେ । ନିଜର ଭୁଲ୍ ଓ ଅକ୍ଷମଣୀୟ ଟୁଇଟ୍ କୁ ପ୍ରତ୍ୟାହାର କରିବା ଦୂରର କଥା । ତାହାକୁ ପିନ୍ଡ ଟୁଇଟ୍ କରି ରଖି ସମର୍ଥନ ଯୋଗାଡ଼ କରିବାରେ ଲାଗିଲେ । ଆଶ୍ଚର୍ଯ୍ୟର ବିଷୟ କେନ୍ଦ୍ରରେ କ୍ଷମତାସୀନ ଥିବା ଭାଜପାର ଉପସଭାପତି ହୋଇଥିଲେ ମଧ୍ୟ, ଦେଶର ବିଭିନ୍ନ ପ୍ରମୁଖ ପ୍ରସଙ୍ଗରେ ସ୍ପଷ୍ଟ ମତ ରଖୁନାହାନ୍ତି ବୈଜୟନ୍ତ । ହେଲେ ନିଜର କଳା ସାମ୍ରାଜ୍ୟ ବିରୋଧରେ ଟିକେ ସ୍ୱର ଉଠିଲେ, ତାହାକୁ ସହ୍ୟ କରି ପାରୁ ନାହାନ୍ତି ।


ନିଜକୁ ଲୋକ ପ୍ରତିନିଧି ବୋଲାଉ ଥିବା ପଣ୍ଡାବାବୁ ଅନ୍ୟ ଜଣେ ମହିଳା ଲୋକ ପ୍ରତିନିଧିଙ୍କ କରୁଣ ନିବେଦନକୁ କର୍ଣ୍ଣପାତ କରୁନାହାନ୍ତି । କେନ୍ଦୁଝର ଏମପି ତଥା ଦେଶର ସର୍ବକନିଷ୍ଠ ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କୁ ବଦନାମ କରିବା ପାଇଁ ଗତବର୍ଷ କେତେକ ଆପତ୍ତିଜନକ ପୋଷ୍ଟ ଓ ଭିଡିଓକୁ ସେୟାର କରାଯାଇଥିଲା । ଆଉ ଏହାକୁ ସେୟାର କରିବା ପଛରେ ମୁଖ୍ୟ କାର୍ପଟଦାର ରମେଶ ରଥ ଥିଲେ ବୋଲି ଅଭିଯୋଗ ହେଉଛି । ରମେଶ ରଥ ହେଉଛନ୍ତି ଓଟିଭି ସଂସ୍ଥାର ଜଣେ ପ୍ରମୁଖ କର୍ମଚାରୀ । ଏହି ସବୁ ଫଟୋ ଭିଡିଓ ସେୟାର କରି ଏମପିଙ୍କ ଭାବମୂର୍ତ୍ତି କ୍ଷୁର୍ଣ୍ଣ କରିବାକୁ ଚେଷ୍ଟା ହୋଇଥିଲା । ଏହାର ଉଦ୍ଦେଶ୍ୟ ଥିଲା ବିଜେଡି ପ୍ରାର୍ଥୀଙ୍କୁ ବଦନାମ କରି ବିଜେପି ପ୍ରାର୍ଥୀଙ୍କୁ ବିଜୟୀ କରିବା । ହେଲେ ନିୟତିର ନିୟମ ବିଚିତ୍ର ଥିଲା ଯେ ପାଞ୍ଚେ ପର ମନ୍ଦ, ତା’ ମନ୍ଦ ପାଞ୍ଚନ୍ତି ନ୍ୟାୟରେ ଭୋଟ ଧର୍ମଯୁଦ୍ଧରେ ଜିତିଲେ ଚନ୍ଦ୍ରାଣୀ । ଆଉ କେନ୍ଦ୍ରାପଡ଼ାରୁ ଲଢୁଥିବା ବୈଜୟନ୍ତ ହାରି ଯାଇଥିଲେ ନିର୍ବାଚନୀ ରାଜନୀତିକୁ ନୂଆ କରି ଓହ୍ଲାଇଥିବା ଅନୁଭବ ମହାନ୍ତିଙ୍କ ହାତରୁ ।


ବିଜୁ ଜନତା ଦଳ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆର୍ଶୀବାଦ ହିଁ ବୈଜୟନ୍ତଙ୍କୁ ୨ ଥର ରାଜ୍ୟ ସଭା , ୨ ଥର ଲୋକ ସଭାର ସଦସ୍ୟ କରାଇଥିଲା । କିନ୍ତୁ ବୈଜୟନ୍ତ ୨୦୧୪ ନିର୍ବାଚନ ପରେ ଦଳ ବିରୋଧୀ ଆଭିମୁଖ୍ୟ ଦେଖାଇବାରେ ଲାଗିଥିଲେ । ହିନ୍ଦୀରେ ଏକ ଢଗ ଅଛି ‘ଲୋଗ୍ ବଦଲତେ ନେହିଁ, ବେ ନକାବ ହୋତେ ହେଁ’’ ଏହାର ଅର୍ଥ ଲୋକ ବଦଳନ୍ତି ନାହିଁ, ନିଜର ଅସଲ ମୁଖା ଦେଖାଇ ଥାଆନ୍ତି । ୨୦୧୪ ନିର୍ବାଚନ ପରେ ନିଜ ଚ୍ୟାନେଲ ଦ୍ୱାରା ଏକ ସର୍ଭେ କରି ନିଜକୁ ବିଜେଡିର ଅନ୍ୟତମ ପ୍ରମୁଖ ଚେହେରା ବୋଲି ପ୍ରଦର୍ଶିତ କରାଇଥିଲେ । କେବଳ ସେତିକି ନୁହେଁ, ବିଜେଡି କୋଟାରୁ ଅର୍ଥ ସମ୍ବଦ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ କମିଟି ଚେୟାରମ୍ୟାନ ହେବା ପାଇଁ ମଧ୍ୟ ଇଚ୍ଛା ପ୍ରକାଶ କରିଥିଲେ । ଏଥିପାଇଁ ବିଜେଡି ତାଙ୍କ ନାଁ ସୁପାରିସ କରୁ ବୋଲି ସେ ଚାହିଁଥିଲେ । କେନ୍ଦ୍ରରେ କାହାକୁ କିପରି ପ୍ରବର୍ତ୍ତାଇ ହେବ, ସେ କଥା ସିଏ ବୁଝିବେ ବୋଲି ମଧ୍ୟ କହିଥିଲେ ।

୨୦୧୭ ମସିହା ପୂର୍ବରୁ ବିଜେଡିକୁ ଭାଙ୍ଗିବା ପାଇଁ ଚେଷ୍ଟା କରିଥିଲେ ବୈଜୟନ୍ତ । ସେ କରୁଥିବା ଦଳ ବିରୋଧୀ କାର୍ଯ୍ୟକୁ ଟୁଇଟରରେ ପ୍ରକାଶ କରିଥିଲେ ତତ୍କାଳୀନ ବିଜେଡି ଏମପି ତଥାଗତ ସତପଥୀ । ଏହା ପରେ ବୈଜୟନ୍ତଙ୍କ ବିଜେପି ପ୍ରେମ ବଢି ବଢି ଯାଇଥିଲା । ପଞ୍ଚାୟତନିର୍ବାଚନରେ ବିଜେଡିର ପ୍ରକୃତ ପ୍ରାର୍ଥୀଙ୍କ ବିରୋଧରେ କାର୍ଯ୍ୟ କଲେ । ଇଏ ତ କିଛି ନ ଥିଲା । ବୈଜୟନ୍ତ ପଣ୍ଡାଙ୍କ ଗ୍ରୁପ ହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟକୁ ନେଇ ଅତ୍ୟନ୍ତ ଅରୁଚିକର ସମ୍ବାଦ ପରିବେଷଣ କରିଥିଲେ । ଯାହା କୋଟି କୋଟି ଓଡ଼ିଆଙ୍କୁ ବ୍ୟଥିତ କରିଥିଲା ।

 

ବୈଜୟନ୍ତଙ୍କ ଟ୍ୱିଟକୁ ନେଇ ରାଜ୍ୟରେ ଆକ୍ରୋଶ ଦେଖା ଯାଇଛି । ବିଜେଡି ତାଙ୍କ ବିରୋଧରେ ବୟାନ ଦେବା କିଛି ବଡ କଥା ନୁହେଁ । ବଡ କଥା ହେଉଛି ତାଙ୍କ ନିଜ ଦଳ ବିଜେପିରୁ ତାଙ୍କୁ ଖୋଲା ସମର୍ଥନ ମିଳୁନି । ଏହାର କାରଣ କ’ଣ ? ହୁଏତ ବିଜେପି ମଧ୍ୟ ଖୋଲାଖୋଲି ତାଙ୍କୁ ସମର୍ଥନ କରି ଲୋକଙ୍କ ସମର୍ଥନ ହରାଇବାକୁ ଚାହୁଁନି । କୌଣସି ଜଣେ ବି ବିଜେପି ନେତା ତାଙ୍କ ସପକ୍ଷରେ ମତ ରଖିନାହାନ୍ତି । ଦଳ ବୈଜୟନ୍ତଙ୍କ ସପକ୍ଷରେ ବାହାରିବା ଦୂରର କଥା, କୌଣସି ବରିଷ୍ଠ ନେତା ତାଙ୍କ ସପକ୍ଷରେ ମତ ଦେବାକୁ ରୋକଠୋକ୍ ମନା କରିଦେଇଛନ୍ତି ।କେତେକ ନେତା ତ ନିଜ ନାମ ଗୋପନ ରଖି କହିଛନ୍ତି, ଭାଜପାରେ କର୍ମକର୍ତ୍ତା ଭାବେ ଅଛୁ ରହିବୁ । ହେଲେ କେତେକ ତ ନିଜ ସ୍ୱାର୍ଥ ହାସଲ ପାଇଁ ଦଳରେ ମିଶିଛନ୍ତି । ନିଜର ଗୋଷ୍ଠୀ ତିଆରି କରିବାକୁ ଚେଷ୍ଟା କରୁଛନ୍ତି । ସଚ୍ଚୋଟ କର୍ମୀଙ୍କ ଅପେକ୍ଷା ନିଜର ବେପାର ସାମ୍ରାଜ୍ୟ ବୃଦ୍ଧି କରିବାକୁ ଚାହୁଁଛନ୍ତି । ସେମାନଙ୍କ ପାଇଁ ଦଳ ରାଜ୍ୟରେ ବଦନାମ ହୋଇଗଲାଣି ।

ଏହି ଖବର ଲେଖା ହେଲା ବେଳକୁ ସାରା ଓଡ଼ିଶାରେ ବୈଜୟନ୍ତ ପଣ୍ଡାଙ୍କ କୁଶପୁତ୍ତଳିକା ଦାହ କରାଯାଉଥିଲା । କିନ୍ତୁ ବିଜେପିର କୌଣସି ବଡ ନେତା ତାଙ୍କ ସପକ୍ଷରେ ମୁହଁ ଖୋଲୁନାହାନ୍ତି । ଏମିତିକି ଦଳର ବରିଷ୍ଠ ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ଓଡ଼ିଶାର ସ୍ୱାର୍ଥ ସ୍ୱାଭିମାନ ସହ କୌଣସି ପରିସ୍ଥିତିରେ ବି ସାଲିସ କରାଯିବ ନାହିଁ । ରାଜ୍ୟର ଅପମାନ ସହ୍ୟ କରାଯିବ ନାହିଁ ।

Leave a Reply