ରାଜ୍ୟସଭାରେ କୃଷି ବିଲକୁ ବିରୋଧ କଲା ବିଜେଡି, ଚୟନ କମିଟିକୁ ପଠାଇବାକୁ ଦାବି

1 min read
Biju Janata Dal has opposed the Farm Bills in Rajya Sabha

ନୂଆଦିଲ୍ଲୀ: କୃଷି ବିଲକୁ ଦେଶର ବିଭିନ୍ନ ସ୍ଥାନର ବିରୋଧ କରାଯାଉଛି । ବିରୋଧ ଭିତରେ କେନ୍ଦ୍ରର ମୋଦି ସରକାର କୃଷି ବିଲକୁ ଆଜି ରାଜ୍ୟସଭାରେ ଉପସ୍ଥାପନ କରିଛନ୍ତି । ଯାହାକୁ ବିରୋଧ କରିଛି ବିଜୁ ଜନତା ଦଳ (ବିଜେଡି) । ଏହି ବିଲରେ କ୍ଷୁଦ୍ର, ନାମମାତ୍ର ଚାଷୀ ଏବଂ ଭାଗଚାଷୀଙ୍କ ସୁରକ୍ଷା ଲାଗି ପର୍ଯ୍ୟାପ୍ତ ବ୍ୟବସ୍ଥା ନାହିଁ । ଏହି ବିଲରେ ସୁଧାର ପାଇଁ ସରକାର ଏହାକୁ ଚୟନ କମିଟିକୁ ପଠାଇବା ଲାଗି ବିଜେଡି ଦାବି କରିଛି । ଦଳ ପକ୍ଷରୁ ରାଜ୍ୟସଭାରେ ଏନେଇ ସାଂସଦ ଅମର ପଟ୍ଟନାୟକ ଦାବି ଉପସ୍ଥାପନ କରିଥିଲେ ।

Biju Janata Dal has opposed the Farm Bills in Rajya Sabha

କୃଷି ସମ୍ପର୍କିତ ୨ଟି ବିଲକୁ ରାଜ୍ୟସଭାରେ ଆଜି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଆଗତ କରିଥିଲେ । କହିଥିଲେ- ଏହି ୨ଟି ବିଲ୍ କୃଷକଙ୍କ ଜୀବନରେ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିବ । ତେବେ, ଏହି ବିଲକୁ ବିଜେଡି ସହ କଂଗ୍ରେସ ଓ ଆପ୍ ପକ୍ଷରୁ ବିରୋଧ କରାଯାଇଛି । ଏହି ବିଲକୁ ବିରୋଧ କରି ପୂର୍ବରୁ ଏନଡିଏ ସହଯୋଗୀ ଅକାଳୀ ଦଳର ସାଂସଦ ହରସିମରତ କୌର ବାଦଲ କେନ୍ଦ୍ର ମନ୍ତ୍ରୀପଦରୁ ଇସ୍ତଫା ଦେଇଥିଲେ ।

କଂଗ୍ରେସ ବିଲକୁ କୃଷକଙ୍କ ଆତ୍ମା ଉପରେ ଆକ୍ରମଣ ବୋଲି କହୁଥିବା ବେଳେ ଆମ୍ ଆଦମୀ ପାର୍ଟି (ଆପ୍) ବିଲକୁ କଳା ଆଇନ୍ ବୋଲି କହିଛି । ତେବେ, ଏସବୁ ଭିତରେ ଗୃହରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି । କଂଗ୍ରେସ ସାଂସଦ ପ୍ରତାପ ସିଂହଙ୍କ ମନ୍ତବ୍ୟର ଜବାବରେ ବିଜେପି ସାଂସଦ ଭୁପେନ୍ଦ୍ର ସିଂହ କଂଗ୍ରେସକୁ ପ୍ରଶ୍ନ କରିଛନ୍ତି । କଂଗ୍ରେସ ପ୍ରଥମେ କହୁ ୬୦ ବର୍ଷ ମଧ୍ୟରେ କୃଷକଙ୍କ ଆୟ କାହିଁକି କମିଛି । କଂଗ୍ରେସ କେବଳ କୃଷକଙ୍କ ପାଇଁ କଥା କୁହେଁ, କାମ କିଛି କରେ ନାହିଁ ବୋଲି ବିଜେପି ଅଭିଯୋଗ କରିଛି ।

ଅନ୍ୟପଟେ ସମାଜବାଦୀ ପାର୍ଟି ସାଂସଦ ରାମଗୋପାଳ ଯାଦବ କହିଛନ୍ତି- ସରକାର କେବଳ ବିଲକୁ ପାସ୍ କରିବାକୁ ଚାହୁଁଛନ୍ତି, ଆଲୋଚନା ଚାହୁଁନାହାଁନ୍ତି । ଟିଆରଏସ୍ କହିଛି- ବିଲ୍ ରାଜ୍ୟର ଅଧିକାର ଉପରେ ଆକ୍ରମଣ ଅଟେ । ସରକାର ଦେଶର କୃଷି ସଂସ୍କୃତିକୁ ପରିବର୍ତ୍ତନ କରୁଥିବା ଟିଆରଏସ୍ ସାଂସଦ କେଶବ ରାଓ ଅଭିଯୋଗ କରିଛନ୍ତି । ୱାଇଏସ୍ଆର କଂଗ୍ରେସ, ଜେଡିୟୁ,ବିଲକୁ ସମର୍ଥନ କରିଛନ୍ତି ।

Biju Janata Dal has opposed the Farm Bills in Rajya Sabha

ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି- ଦେଶର ୭୦ ପ୍ରତିଶତ ଲୋକ ଚାଷ ସହ ଜଡ଼ିତ । ଦେଶରେ ଲକଡାଉନ୍ ଲାଗୁ ହୋଇଥିବା ବେଳେ କ୍ଷେତରେ କେବଳ କୃଷକ କାମ କରୁଥିଲେ । କଣ ସରକାର ଭରସା ଦେଇପାରିବେ ବିଲ୍ ଲାଗୁ ହେଲେ କୃଷକଙ୍କ ଆୟ ଦ୍ୱିଗୁଣିତ ହୋଇଯିବ । ଆଗକୁ ଦେଶରେ କୌଣସି କୃଷକ ଆତ୍ମହତ୍ୟା କରିବେ ନାହିଁ । ଯଦି ବିଲ୍ କୃଷକ ବିରୋଧୀ ନୁହେଁ ତାହେଲେ ଦେଶ ସାରା କାହିଁକି ବିରୋଧ ହେଉଛି । ଦେଶବ୍ୟାପୀ ବିରୋଧ ଅର୍ଥାତ୍ ବିଲକୁ ନେଇ ଦ୍ୱନ୍ଦ୍ୱ ରହିଛି । ପିଏମ୍ ମୋଦି କହିଥିଲେ- ବିଲକୁ ମିଛ ପ୍ରଚାର କରାଯାଉଛି । ତେବେ କଣ ମିଛ ପ୍ରଚାର ଯୋଗୁଁ ଜଣେ କେନ୍ଦ୍ର ମନ୍ତ୍ରୀ ଇସ୍ତଫା ଦେଇଦେଲେ ବୋଲି ସେ ପ୍ରଶ୍ନ କରିଥିଲେ ।

Leave a Reply