ବିହାର କ୍ଷମତା ଦଖଲ ପାଇଁ ରଣନୀତି, ବିଜେପି ନାଆରେ ନିର୍ବାଚନ ବୈତରଣୀ ପାର୍ ହେବେ କି ନୀତୀଶ ?

1 min read

ନୂଆଦିଲ୍ଲୀ: ବିହାରରେ ଆର୍‌ପାର୍‌ ବ୍ୟାଟେଲ୍ । କ୍ଷମତା ଦଖଲ ପାଇଁ ପ୍ରଚାର ପଲିଟିକ୍ସ । ନୀତୀଶଙ୍କ ଉପରେ ଭାରି ପଡୁଛନ୍ତି ଲାଲୁଲାଲା । ବିହାରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ କ୍ଷମତା ବଜାୟ ରଖିବା ପାଇଁ ନୀତୀଶଙ୍କ ଆଖିରେ ନିଦ ନାହିଁ  । ବିଜେପି ସହ ମିଶି ନିର୍ବାଚନ ବୈତରଣୀ ପାର ହେବା ପାଇଁ ଆଶା ବାନ୍ଧିଛନ୍ତି ନୀତୀଶ । ଆଜି ୪ଟି ଜନସଭାକୁ ସମ୍ବୋଧିତ କରି ନିଜ ସରକାରର ସଫଳତା ବଖାଣିଥିଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣକୁ ଆସିଛି । ଶିକ୍ଷା, ରୋଜଗାର, ସ୍ୱାସ୍ଥ୍ୟ କ୍ଷେତ୍ରରେ ବିହାର ଆଗରେ ଥିବା ନୀତୀଶ କହିଛନ୍ତି  ।

ଡବଲ ଇଞ୍ଜିନ ସରକାରର ବିକାଶ କଥା କହୁଥିବା ଜେଡୟୁ – ବିଜେପି ମେଣ୍ଟ ଉପରେ ଭାରି ପଡୁଛନ୍ତି ଆର୍‌ଜେଡିର ଯୁବନେତା ତେଜସ୍ୱୀ ଯାଦବ । ନିର୍ବାଚନୀ ସଭାରେ ଭିନ୍ନମୁଦ୍ରାରେ ନୀତୀଶଙ୍କୁ ଶାଣିତ ଆକ୍ରମଣ କରିବା ସହ ବିକାଶର ହିସାବ ମାଗୁଛନ୍ତି । କ୍ଷମତାକୁ ଆସିଲେ ୧୦ ଲକ୍ଷ ଯୁବକଙ୍କୁ ରୋଜଗାର, କୃଷିଋଣ ଛାଡ଼, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବିହାର ପ୍ରଗତିର ଶୀର୍ଷ ଛୁଇଁବ ବୋଲି ପ୍ରତିଶ୍ରୁତି ଦେଉଛନ୍ତି ତେଜସ୍ୱୀ ।

ନୀତୀଶଙ୍କ ବିରୋଧରେ ଜନଆକ୍ରୋଶ ବଢିବାରେ ଲାଗିଛି । ତେଣୁ ଏଥର ଆର୍‌ଜେଡିକୁ ଲୋକ କ୍ଷମତା ଦେବେ ବୋଲି ତେଜସ୍ୱୀ କହିଛନ୍ତି । ସେହିପରି ନୀତୀଶଙ୍କ ପାଇଁ ଚିନ୍ତାର କାରଣ ହୋଇଛନ୍ତି LJP ମୁଖ୍ୟ ଚିରାଗ ପାଶଓ୍ୱାନ । ଚିରାଗ କହିଛନ୍ତି, କ୍ଷମତାକୁ ଆସିଲେ ଅଯୋଧ୍ୟାର ରାମ ମନ୍ଦିରଠାରୁ ସୀତାମାଢିରେ ସୀତାଙ୍କ ବଡ଼ ମନ୍ଦିର ହେବ  ।

ବିହାରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ପ୍ରଚାର ଶେଷ ହେବ । ଏହା ପୂର୍ବରୁ ଭୋଟରଙ୍କୁ ନିଜ ସପକ୍ଷରେ ଆଣିବା ପାଇଁ ଲାଗି ପଡ଼ିଛନ୍ତି ସମସ୍ତ ରାଜନୈତିକ ଦଳ  ।

Leave a Reply