ବିଧାନସଭା ନିର୍ବାଚନ ପୂର୍ବରୁ ଗୋଟି ଚଳାଇଲେ ନୀତିଶ, ୨୨ ପ୍ରତିଶତ ବଢ଼ିଲା ଶିକ୍ଷକଙ୍କ ଦରମା

ପାଟଣା: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ନୀତିଶ ସରକାର ବଡ଼ ଘୋଷଣା କରିଛନ୍ତି । ନୀତିଶ କ୍ୟାବିନେଟରେ ନିୟୋଜିତ ଶିକ୍ଷକଙ୍କ ଦରମା ବୃଦ୍ଧି ନେଇ ନିଷ୍ପତ୍ତି ହୋଇଛି । ମଙ୍ଗଳବାର ବସିଥିବା ରାଜ୍ୟ କ୍ୟାବିନେଟ୍ ଏହା ଉପରେ ମୋହର ମାରିଛି । ନିୟୋଜତ ଶିକ୍ଷକଙ୍କ ଦରମା ୨୨ ପ୍ରତିଶତ ବୃଦ୍ଧି କରିବାକୁ ଅନୁମୋଦନ ଦେଇଛି ରାଜ୍ୟ କ୍ୟାବିନେଟ୍ ।

ନିୟୋଜିତ ଶିକ୍ଷକଙ୍କୁ ୨୦୨୧ ଏପ୍ରିଲ୍ ୧ରୁ ବର୍ଦ୍ଧିତ ବେତନ ମିଳିବ । ଏହି ନିଷ୍ପତ୍ତି ପରେ ସରକାର ରାଜକୋଷରୁ ଅତିରିକ୍ତ ୨୭୬୫ କୋଟି ଟଙ୍କା ବ୍ୟୟ କରିବେ । କ୍ୟାବିନେଟରେ ନିୟୋଜିତ ଶିକ୍ଷକଙ୍କ ସେବା ସର୍ତ୍ତ ଓ ନିୟମାବଳି ଉପରେ ମଧ୍ୟ ରାଜ୍ୟ ସରକାର ମୋହର ମାରିଛନ୍ତି ।

ନୂଆ ସେବା ସର୍ତ୍ତ ନିୟମାବଳି ଲାଗୁ ହେବା ପରେ ନିୟୋଜିତ ଶିକ୍ଷକ ପ୍ରମୋସନ ପାଇବା ସହ ଅନ୍ୟତ୍ର ବଦଳି ସୁବିଧା ପାଇବେ । କୁହାଯାଉଛି ସେପ୍ଟେମ୍ବର ୫ ତାରିଖରେ ଶିକ୍ଷକ ଦିବସ ଅବସରରରେ ନୂଆ ସେବା ସର୍ତ୍ତ ନିୟମାବଳିର ନିୟମର ଅଧିସୂଚନା ଜାରି ହେବ । ବିହାର କ୍ୟାବିନେଟର ଏହି ନିଷ୍ପତ୍ତି ଫଳରେ ପାଖାପାଖି ୩.୫ ଲକ୍ଷ ନିୟୋଜିତ ଶିକ୍ଷକ ଉପକୃତ ହେବେ ।

ବିହାର ନିର୍ବାଚନର ଠିକ୍ ପୂର୍ବରୁ ନିୟୋଜିତ ଶିକ୍ଷକଙ୍କ ପୁରୁଣା ଦାବିକୁ ନୀତିଶ କୁମାର ମାନି ନେଇ ନିର୍ବାଚନୀ ଗୋଟି ଚାଳନା କରିଛନ୍ତି । କୁହଯାଉଛି ନୀତିଶଙ୍କ ଏହି ନିଷ୍ପତ୍ତି ନିର୍ବାଚନରେ ଭଲ ଫଳ ଦେବ ।

୩ ଦିନରେ ଜାରି ହେବ ଗାଇଡଲାଇନ୍

ମହାମାରୀ କରୋନା ସଂକଟ ଭିତରେ ଆସନ୍ତା କିଛି ମାସ ଭିତରେ ବିହାରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନ ଆୟୋଗ ବିହାର ଭୋଟ୍ ପାଇଁ ଆସନ୍ତା ୩ ଦିନ ଭିତରେ ଗାଇଡଲାଇନ୍ ପ୍ରସ୍ତୁତ କରିବେ । ୩ ଦିନ ମଧ୍ୟରେ ନିର୍ବାଚନ ଗାଇଡଲାଇନ୍ ନେଇ ବିସ୍ତୃତ ସୂଚନା ଦିଆଯିବ ବୋଲି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ମଙ୍ଗଳବାର ନିର୍ବାଚନ ଆୟୋଗଙ୍କ ବୈଠକ ବସିଥିଲା । ଯେଉଁଥିରେ ବିଭିନ୍ନ ରାଜନୈତିକ ଦଳର ପରାମର୍ଶ ଉପରେ ଆଲୋଚନା ହୋଇଥିଲା ।

Leave a Reply