ବିହାର ନିର୍ବାଚନ, ରାଷ୍ଟ୍ରୀୟ ଦଳଠାରୁ ନୂଆ ଦଳର ସାହସ କମ୍‌ ନୁହେଁ !

Bihar Election

ପାଟନା: ବିହାର ନିର୍ବାଚନକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଚାଲିଛି । ହେଲେ ବିହାରରେ ଏଥର ଦେଖିବାକୁ ମିଳିଛି ନିଆରା ଦୃଶ୍ୟ । ବଡ଼ ବଡ଼ ରାଜନୈତିକ ଦଳ ଅପେକ୍ଷା ଛୋଟ ଛୋଟ ଏବଂ ନୂଆ ଦଳ ନିଜର ପ୍ରାଦୁର୍ଭାବ ବଢ଼ାଇବାରେ ଲାଗିଛନ୍ତି । ରାଜ୍ୟସ୍ତରୀୟ ତଥା ରାଷ୍ଟ୍ରୀୟ ଦଳ ଗୁଡ଼ିକ ମେଣ୍ଟ କରି ନିର୍ବାଚନ ଲଢ଼ୁଥିବା ବେଳେ ଏବେ ଏବେ ଜନ୍ମ ନେଇଥିବା ଦଳ ଗୁଡ଼ିକ ଏକା ମଇଦାନକୁ ଓହ୍ଲାଇଛନ୍ତି । ବିନା କୌଣସି ରାଜନୈତିକ ଦଳର ସହାୟତାରେ ଏହି ଦଳ ମାନେ ବିହାରର ପ୍ରାୟ ସମସ୍ତ ସିଟ୍‌ରେ ପ୍ରାର୍ଥୀ ଛିଡ଼ା କରିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲା, ଏହି ନିର୍ବାଚନରେ ୭୯ଟି ନୂଆ ରାଜନୈତିକ ଦଳ ପଞ୍ଜିକୃତ ହୋଇଛନ୍ତି । ଏନେଇ ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି ।

୮୭ଟି ନୂଆ ଦଳ ମଇଦାନରେ 

ନିର୍ବାଚନରେ ଏଥର ମୋଟ୍‌ ୮୭ଟି ନୂଆ ଦଳ ଅଂଶ ଗ୍ରହଣ କରିଛି । ସେଥିମଧ୍ୟରୁ ୭୯ଟି ଦଳ ପ୍ରଥମ ଥର ପାଇଁ ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ବେଳେ ଆଉ ୮ଟି ଦଳ ପୂର୍ବରୁ କୌଣସି ଏକ ନିର୍ବାଚନ ଲଢ଼ିସାରିଛନ୍ତି । ଏହି ୮୭ଟି ଦଳ ମଧ୍ୟରୁ ପ୍ରାୟ ୩୬ରୁ ଅଧିକ ଦଳ ବିହାରର ସମସ୍ତ ୨୪୩ ସିଟ୍‌ରେ ପ୍ରାର୍ଥୀ ଦେଇଛନ୍ତି । ହେଲେ ଦୁର୍ଭାଗ୍ୟବସତଃ କିଛି ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ ହୋଇସାରିଛି । ତଥାପି ଏହି ଦଳ ମାନଙ୍କର ସାହସ ମାନିବାକୁ ପଡ଼ିବ । କାରଣ ବିନା କୌଣସି ବଡ଼ ରାଜନୈତିକ ଦଳର ସହଯୋଗରେ ଏହି ଦଳମାନେ ରାଷ୍ଟ୍ରୀୟ ଦଳ ଓ ମେଣ୍ଟଦଳକୁ ଟକ୍କର ଦେଉଛନ୍ତି ।

ନିର୍ବାଚନ ଆୟୋଗଙ୍କ ସୂଚନାନୁଯାୟୀ, ଜୁନ୍ ମାସରେ ୧୮ଟି, ଜୁଲାଇରେ ୧୭, ଅଗଷ୍ଟରେ ୧୩ ଏବଂ ସେପ୍ଟେମ୍ବରରେ ୩୯ଟି ଦଳ ପଞ୍ଜିକରଣ କରିବା ପରେ ସେମାନଙ୍କୁ ନିର୍ବାଚନୀ ଚିହ୍ନ ଦିଆଯାଇଛି ।

ନୂଆ କରି ପଞ୍ଜିକୃତ ହୋଇଥିବା ଦଳ ଗୁଡ଼ିକର ନାଁ ମଧ୍ୟ ଅତ୍ୟନ୍ତ ଆକର୍ଷଣୀୟ । ଅସଲି ଦେଶ ପାର୍ଟି, ଜାଗୋ ହିନ୍ଦୁସ୍ତାନ, ଓ୍ୱାଜିବ୍‌ ଅଧିକାର ପାର୍ଟି, ସମଗ୍ର ଉତ୍ଥାନ ପାର୍ଟି, ଲୋଗ୍‌ ଜନ୍‌ ପାର୍ଟି, ଭାରତୀୟ ସବ୍‌ଲୋଗ୍‌ ପାର୍ଟି, ରାଷ୍ଟ୍ରୀୟ ସବ୍‌ଜନଶକ୍ତି ପାର୍ଟି, ଉଦାରବାଦୀ ସମରସତ୍ତା ପାର୍ଟି, ଟିପୁ ସୁଲ୍‌ତାନ୍‌ ପାର୍ଟି, ଫୌଜୀ କିଷାନ୍‌ ପାର୍ଟି, ରାଣୀ ଲକ୍ଷ୍ମୀବାଇ କ୍ରାନ୍ତିକାରୀ ପାର୍ଟି ଭଳି ମଜାଦାର ନାଁ ଏଥିରେ ସାମିଲ ରହଛି । ଏମାନଙ୍କୁ ମାଇକ୍‌, ଚିମିନି, ତକିଆ, ତରଭୂଜ, ଚକ୍କୀ, ବାଲ୍ଟି, ଇଟା ଏବଂ ବ୍ରେଡ୍‌ ଭଳି ଚିହ୍ନ ଦିଆଯାଇଛି ।

BJP Mediator AIADMK Sasikala Merger May 2021 Assembly Elections Tamilnadu

ବଡ଼ ଦଳର ସ୍ଥିତି

ବିଜେପି ପୂର୍ବରୁ ବିହାରରେ ୧୬୮ଟି ଆସନ ପ୍ରତିଦ୍ୱନ୍ଦ୍ୱିତା କରିସାରିଛି । କିନ୍ତୁ ଏଥର ବିଜେପି କୋଟାରେ ୧୨୧ଟି ଆସନ ରହିଛି । ତେବେ ଏହି ୧୨୧ରୁ କିଛି ସିଟ୍‌ ବିକାଶ ଶୀଳ ଇନ୍‌ସାନ୍‌ ପାର୍ଟି ସହ ସେୟାର କରିଛି ।

୨୦୦୦  ମସିହା ନିର୍ବାଚନରେ ​​କଂଗ୍ରେସ ୩୨୪ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା । ହେଲେ ଏଥର ସେ ମାତ୍ର ୭୦ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି

୨୦୧୦ରେ ଜେଡିୟୁ ସର୍ବାଧିକ ୧୪୧ଟି ସିଟ୍‌ରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା । ହେଲେ ଏବେ ଏହାର ସଂଖ୍ୟା ହ୍ରାସ ପାଇଁ ୧୨୨ରେ ପହଞ୍ଚିଛି । ଏଥିରୁ କିଛି ସିଟ୍ ସେ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚାକୁ ଦେଇଛି

ସେହିଭଳି ୨୦୦୦ ମସିହାରେ ଆର୍‌ଜେଡି ୨୯୩ ସିଟ୍‌ରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା । ରାଜ୍ୟ ବିଭାଜନ ପରେ ୨୦୦୫ ରୁ ଆଜି ସୁଦ୍ଧା ସେ ସର୍ବାଧିକ ୧୭୫ଟି ସିଟ୍‌ରେ ଲଢ଼ିଛି । କିନ୍ତ ଏହି ନିର୍ବାଚନରେ ଏବେ ସେହି ସଂଖ୍ୟା ହ୍ରାସ ପାଇ ୧୪୪ରେ ପହଞ୍ଚିଛି ।

Leave a Reply