Nitish Kumar’s Minister Quits : ମନ୍ତ୍ରୀ ହେବାର ଦୁଇ ଦିନ ପରେ ପଦରୁ ଇସ୍ତଫା ଦେଲେ ମେଓ୍ୱାଲାଲ

Mewalal Chaudhry

ପାଟନା: ରାଜତିଳକକୁ କିଛି ଦିନ ହୋଇଥିଲା । ବହୁ ଚର୍ଚ୍ଚିତ ବିହାର କ୍ୟାବିନେଟରେ ମିଳିଥିଲା ଶିକ୍ଷା ବିଭାଗ । ହେଲେ ସବୁ କିଛି ଠିକ୍ ଗଲା ନାହିଁ । ମନ୍ତ୍ରୀପଦ ପାଇଁ ତାଙ୍କ ନାଁ ଘୋଷଣା ମାତ୍ରେ ଗୁଞ୍ଜରଣ ହୋଇଥିଲା ଅତୀତର ଦୁର୍ନୀତି । ଛାପା ଗଣମାଧ୍ୟମ ହେଉ କି ବୈଦ୍ୟୁତିକ ଗଣମାଧ୍ୟମ । ମେୱାଲାଲ ଚୌଧୁରୀଙ୍କୁ ସିଧାସଳଖ ପ୍ରଶ୍ନ କରିଥିଲେ ଖବରଦାତା । ଦୁର୍ନୀତି ବିରୋଧୀ ସୁଶାସନର ଡିଣ୍ଡିମ ପିଟୁଥିବା ନୀତିଶ କୁମାରଙ୍କ ଏନଡିଏ ସରକାର ଗୋଟେ ଦାଗୀକୁ କେମିତି ମନ୍ତ୍ରୀ କରିପାରିଲା । ଆଉ ଏହି ଅସନ୍ତୋଷ ନୀତିଶଙ୍କୁ କଲା ଅସ୍ତବ୍ୟସ୍ତ । ସିଟ୍ ହ୍ରାସ ଜନିତ ପୀଡାରେ ଜର୍ଜରିତ ନୀତିଶ ଆଉ ରିସ୍କ ନେବାକୁ ଚାହିଁଲେ ନାହିଁ । ଠିକ୍ ସେଇଆ ହେଲା ମନ୍ତ୍ରୀ ହିସାବରେ ଫାଇଲ ଦେଖିବା ପୂର୍ବରୁ ତାଙ୍କୁ ଇସ୍ତଫା ଦେବାକୁ ପଡିଲା ।   ବିହାରର ନୂଆ ଶିକ୍ଷା ମନ୍ତ୍ରୀ ମେଓ୍ୱାଲାଲ ଚୌଧରୁ ନିଜ ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି । ତାଙ୍କ ବିରୋଧରେ ଦୁର୍ନୀତି ଓ ଭ୍ରଷ୍ଟାଚାରର ଆରୋପ ଲାଗିଛି । ଗୁରୁବାର ଅନେକ ବିରୋଧ ଓ ହଙ୍ଗାମା ସତ୍ତ୍ୱେ ଶିକ୍ଷାମନ୍ତ୍ରୀ ଭାବେ ନୂଆ ଦାୟିତ୍ୱ ଗ୍ରହଣ କରିଥିଲେ ମେଓ୍ୱାଲାଲ୍‌ ।

ଅନ୍ୟପଟେ ଆର୍‌ଜେଡି ,କଂଗ୍ରେସ ଏବଂ ବାମଦଳ ଗୁଡିକ ପକ୍ଷରୁ ଗତ ଦୁଇ ଦିନ ଧରି ମେଓ୍ୱାଲାଲ୍‌ଙ୍କୁ ବିରୋଧ କରାଯାଉଥିଲା । ତା‌ଙ୍କ ବିରୋଧରେ ଦୁର୍ନୀତି ଓ ଭ୍ରଷ୍ଟାଚାର ଅଭିଯୋଗ ଆଣିବା ସହ ତାଙ୍କ ପତ୍ନୀଙ୍କ ରହସ୍ୟଜନକ ମୃତ୍ୟୁରେ ମଧ୍ୟ ସମ୍ପୃକ୍ତି ଅଭିଯୋଗ କରି, ମାମଲାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରିଛି ଆର୍‌ଜେଡି ।

ସୂଚନାଯୋଗ୍ୟ, ୨୦୧୭ରେ ମେଓ୍ୱାଲାଲ ଚୌଧୁରୀ ଭାଗଲପୁରର ସବୌର କୃଷି ବିଶ୍ୱବିଦ୍ୟାଳୟର କୁଳପତି ଦାୟିତ୍ୱରେ ଥିବା ବେଳେ ଅନେକ ହେରଫେର୍‌ କରିଥିବା ଅଭିଯୋଗ ରହିଛି । ସେହି ସମୟରେ ସେ ବେଆଇନ୍‌ ଭାବେ ୧୬୧ ଜଣ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ନିଯୁକ୍ତି ଦେଇଥିଲେ । ଏହି ମାମଲା ପାଇଁ ତାଙ୍କ ବିରୋଧରେ ଏଫ୍ଆଇଆର୍ ମଧ୍ୟ ପଞ୍ଜୀକୃତ ହୋଇଥିଲା । ତତ୍କାଳୀନ ବିହାର ରାଜ୍ୟପାଳ ରାମନାଥ କୋବିନ୍ଦ ମେଓ୍ୱାଲାଲ ଚୌଧୁରୀଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ତଦନ୍ତରୁ ମେଓ୍ୱାଲାଲ ଚୌଧୁରୀଙ୍କ ବିରୋଧରେ ଆସିଥିବା ଅଭିଯୋଗ ସତ୍ୟ ବୋଲି ପ୍ରମାଣିତ ମଧ୍ୟ ହୋଇସାରିଛି ।

ଖାଲି ସେତିକି ନୁହେଁ ବିଶ୍ୱବିଦ୍ୟାଳୟର କୋଠା ନିର୍ମାଣରେ ମଧ୍ୟ ମେଓ୍ୱାଲାଲ୍‌ ଅନେକ ଘୋଟାଲା କରିଥିବା ଅଭିଯୋଗ ହୋଇଛି । ତେବେ ଏଭଳି ଅଭିଯୋଗକୁ ମେଓ୍ୱାଲାଲ ଚୌଧୁରୀ ସମ୍ପୂର୍ଣ୍ଣ ଖଣ୍ଡନ କରିବା ସହ ତାଙ୍କ ବିରୋଧରେ କୌଣସି ଚାର୍ଜସିଟ୍‌ ହୋଇନଥିବା ସେ କହିଛନ୍ତି । ଏମିତିକି କୋର୍ଟରେ ମଧ୍ୟ ସେ ଦୋଷୀ ସାବ୍ୟସ୍ଥ ହୋଇନାହାନ୍ତି ବୋଲି ଦାବି କରିଛନ୍ତି ।

Leave a Reply