ଫଟୋରେ ଫଟୋରେ ପ୍ରବାସୀଙ୍କ ଦୁଃଖ: ରାସ୍ତା ସରୁନି, ଦୁଃଖ ଅସରନ୍ତି…ମୁଣ୍ଡରେ ବୋଝ

1 min read

ପାଟନା: ଏହି ଲକଡାଉନ୍ ଯୋଗୁଁ ଦେଶରେ ପ୍ରବାସୀ ଶ୍ରମିକମାନେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି । କାମ ଧନ୍ଦା ବନ୍ଦ ହେବା ପରେ ଯେତେବେଳେ ସବୁ ସଞ୍ଚୟ ଶେଷ ହୋଇଗଲା, ଆଉ ଦୁଇ ଓଳି ଦୁଇ ମୁଠା ଖାଇବା ପାଇଁ ମିଳିଲା ନାହିଁ ସେତେବେଳେ ପ୍ରବାସୀ ଶ୍ରମିକ ନିଜ ଭିଟାମାଟିକୁ ଫେରିବାକୁ ଚାହିଁଲେ । କିନ୍ତୁ  ସବୁଠୁ ବଡ଼ ଦୁଃଖର କଥା ଯେ, ସେମାନେ ନିଜ ପରିବାର ସହ ଭିଟାମାଟିକୁ ଫେରିବା ବେଳେ ଦିନ ଦିନ ଧରି ରାସ୍ତାରେ ଉପାସରେ ଚାଲି ଚାଲି ଯାଉଛନ୍ତି । କେହି କେହି ଚାଲି ଚାଲି ନିଜ ଭିଟାମାଟିକୁ ଫେରୁଥିବା ବେଳେ କେହି କେହି ସାଇକେଲ, ଟ୍ରକ କିମ୍ବା ଅନ୍ୟ କୌଣସି ଉପାୟରେ ନିଜ ଘରକୁ ଫେରୁଛନ୍ତି । ଘରକୁ ଫେରୁଥିବା ବେଳେ କୁନି ପିଲାମାନେ ଭୋକରେ ଆଉଟୁପାଉଟୁ ହେଉଛନ୍ତି । ଏମିତି ବି ଅନେକ ଦୃଶ୍ୟ ଦେଖିବାକୁ ମିଳିଛି ଯେଉଁଠି ମା’ ମାନେ ନିଜ ପିଲାଙ୍କୁ କ୍ଷୀର ବଦଳରେ ପାଣି ପିଆଉଛନ୍ତି । ଆଉ କହୁଛନ୍ତି କାନ୍ଦେନା ଘର ପାଖେଇ ଆସିଲାଣି ।

ସମସ୍ତିପୁରର ମୁସାରିଗିରି NHରେ ଚାଲୁଥିବା ଏହି ଟ୍ରକରେ ୬୫ ଜଣ ଲୋକ ମୁମ୍ବାଇରୁ ଲକ୍ଷ୍ନୌକୁ ଯାଉଥିଲେ । ମା’ଟି ଟ୍ରକରେ ବସିଛି । ସେହି ଟ୍ରକ୍‌ରେ ବସିଥିବା କିଛି ଶ୍ରମିକଙ୍କ କହିବାନୁଯାୟୀ, ତାଙ୍କୁ କମ୍ପାନୀ ମାଲିକ ଘରକୁ ଫେରିବା ପାଇଁ କହିଲା ଏବଂ କିଛି ଟଙ୍କା ମଧ୍ୟ ଦେଲା ନାହିଁ । ବହୁତ କଷ୍ଟ କରି ଏଣୁ ତେଣୁ ଟଙ୍କା ଯୋଗାଡ଼ କରି ଗାଡ଼ି କରି ଘରକୁ ଫେରୁଛୁ । ହେଲେ ଏବେ ପାଖରେ ପଇସାଟିଏ ନାହିଁ ଖାଇବାକୁ । ଏମିତି କି ରାସ୍ତାରେ ଦୋକାନ ବଜାର ବନ୍ଦ ତେଣୁ ଆମେ ଦୁଇ ଦିନ ହେଲା ଉପାସରେ ରହିଛୁ ।

ସେହିଭଳି ଜଣେ ପ୍ରବାସୀଙ୍କ ଏମିତି ବି ସମୟ ଆସିଛି, ସେ ଯେଉଁ ବାହାନରେ ଘରକୁ ଫେରୁଥିଲେ ତାହା ଭାଙ୍ଗିଯାଇଥିଲା ।  ଖାଲି ସେତିକି ନୁହେର୍ ତାକୁ ସଜାଡ଼ିବା ପାଇଁ ତାଙ୍କ ପାଖରେ ଟଙ୍କା ବି ନଥିଲା । ଏହି ସମୟରେ ଜଣେ ସହୃଦୟ ବ୍ୟକ୍ତି ତାଙ୍କୁ ସହଯୋଗ କରିଥିଲେ । ଆଉ ନିଜ ସ୍କୁଟରେ ପଛରେ ତାଙ୍କ ଠେଲାଗାଡ଼ିକୁ ବାନ୍ଧି ଟାଣି ଟାଣି ନେଇଥିଲେ । ଏହି ଘଟଣାଟି ହେଉଛି ମୁଜାଫରପୁର ଅଞ୍ଚଳର ।

ପଶ୍ଚିମ ଚମ୍ପାରଣ ଅଞ୍ଚଳର ଜଣେ ପ୍ରବାସୀ ନିଜ ପତ୍ନୀଙ୍କ କଥା ରଖି ଟିଭି ଆଣିଛନ୍ତି । ହଜାର କିଲୋମିଟର ଚାଲି ଚାଲି ଆସିବା ରାସ୍ତାରେ ସେ ନିଜ ସହ ସେହି ଟିଭି ବି ଧରିଛନ୍ତି । ତାଙ୍କ କହିବାନୁଯାୟୀ ଯେତେବେଳେ ସେ ରୋଜଗାର ପାଇଁ ମହାରାଷ୍ଟ୍ର ଆସିଥିଲେ ସେତେବେଳେ ତାଙ୍କ ପତ୍ନୀ କହିଥିଲା ଏଥର ଆସିବା ବେଳେ ଟିଭି ନେଇକି ଆସିବ । ତେଣୁ ଲକ୍‌ଡାଉନ୍‌ ଯୋଗୁଁ ରୋଜଗାର ବନ୍ଦ ହେବା ପରେ ସେ ଘରକୁ ବାହାରିଥିଲେ । ଏହି ସମୟରେ ତାଙ୍କର ପତ୍ନୀଙ୍କ କଥା ମନେ ପଡ଼ିଲା ଓ ତାଙ୍କ ରୁମ୍‌ରେ ଥିବା ଟିଭିକୁ ସେ ସାଥିରେ ନେଇ ଆସିଲେ । ୧୭ ଦିନ ପରେ ସେ ଘରେ ପହଞ୍ଚିବା ପରେ ସ୍ଥାନୀୟ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହିଛନ୍ତି । ଏହି ୧୭ ଦିନ ମଧ୍ୟ ଅଧିକାଂଶ ରାସ୍ତା ସେ ଚାଲି ଚାଲି ହିଁ ଅତିକ୍ରମ କରିଛନ୍ତି । ବେଳେ ବେଳେ କିଛି ଲିପ୍ଟ ମାଗି ଆସିଛନ୍ତି ।

ଅନେକ ପ୍ରବାସୀ ଦୀର୍ଘ ଦିନ ଚାଲି ଚାଲି ରାସ୍ତା ଅତିକ୍ରମ କରିବା ସହ ଭୋକ ଉପାସରେ ଘରକୁ ଫେରୁଛନ୍ତି । ଆଉ ରାତିରେ ନିଦ ଲାଗିଲେ ରାସ୍ତା ଗଡ଼ରେ ଶୋଉଛନ୍ତି । ଏହି ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ ଉଭୟ ପୁରୁଷ ଏବଂ ମହିଳା ମଧ୍ୟ ରହିଛନ୍ତି ।

ସେହଭଳି କିଛି ପ୍ରବାସୀ ଏକ ହଜାର ପାଞ୍ଚ ଶହରୁ ଅଧିକ କିଲୋମିଟର ଚାଲି ଚାଲି ପହଞ୍ଚିଛନ୍ତି ନିଜ ଘରେ । ସକାଳ ପରେ ରାତି ହେଉଥାଏ ସତ ହେଲେ ତାଙ୍କ ଗନ୍ତବ୍ୟ ସ୍ଥଳ ପହଞ୍ଚୁ ନଥାଏ । ଭୋକ ଉପାସରେ ଘରକୁ ଫେରୁଛନ୍ତି । ରାସ୍ତାରେ ଦୋକାନ ବଜାର ବନ୍ଦ ହେତୁ ପାଉରୁଟି ଚା’ ମଧ୍ୟ ମିଳୁନାହଁ । ଏମିତିକି ଅନେକ ସମୟରେ ପିିଇବା ପାଣି ମଧ୍ୟ ନାହିଁ ।

ଟ୍ରକ୍‌ ପଛପଟେ ଛିଡ଼ା ହୋଇ ମଧ୍ୟ ଫେରୁଛନ୍ତି ଅନେକ ପ୍ରବାସୀ । କିଏ ଟ୍ରକ୍‌ ସାଇଡ୍‌ରେ ଓହଳିକି ରହୁଛି ତ କିଏ ଡାଲା ଖୋଲି ବସିଛି । ଏମିତି ଏକ ଟ୍ରକ୍‌ରେ ୫୫ ଜଣ ପ୍ରବାସୀ ବିପଦପୁର୍ଣ୍ଣ ଭାବେ ନିଜ ଅଞ୍ଚଳକୁ ଫେରିଛନ୍ତି ।

ସୀତାମଢ଼ିରୁ ପାଦରେ ଚାଲି ଚାଲି କଟିହାର ଯାଉଛନ୍ତି ଶ୍ରମିକ । ମୁଣ୍ଡରେ ବସ୍ତା, କାନ୍ଧରେ ମୁଣି ଧରି ଶହ ଶହ କିଲୋମିଟର ଚାଲି ଚାଲି ଫେରୁଛନ୍ତି । ଏମିତିକି ଛୋଟ ପିଲା ଓ ମହିଳା ମଧ୍ୟ ମୁଣ୍ଡରେ ମୁଣ୍ଡାଇଛନ୍ତି ଘରର ଓଜନ ସାମଗ୍ରୀ ।

Leave a Reply