ନୀତିଶଙ୍କ ପାଇଁ ବିହାର ଛୋଟ, ହେଲେ ଦେଶ ବିରାଟ: କାହିଁକି ଏପରି କହିଲେ ଦିଗବିଜୟ!

1 min read

ନୂଆଦିଲ୍ଲୀ: ‘ନୀତିଶ ବାବୁ । ଆପଣଙ୍କ ପାଇଁ ବିହାର ଛୋଟ ହୋଇ ଯାଉଛି । ଆପଣ ଜାତୀୟ ରାଜନୀତିକୁ ଆସନ୍ତୁ । ସମାଜବାଦୀ ଏବଂ ଧର୍ମନିରପକ୍ଷ ବିଚାର ରଖୁଥିବା ଲୋକମାନଙ୍କୁ ଏକାଠି କରନ୍ତୁ । ଭାଜପା ଏବଂ ସଂଘ(ଆରଏସଏସ) କବଳରୁ ନିଜକୁ ମୁକ୍ତ କରନ୍ତୁ । ବିଜେପି ଏକ ନିର୍ମୂଳି ଲତା, ଯାହା ସହ ରହିଛି । ସେହି ଦଳକୁ ସର୍ବନାଶ କରି ଦେଇଛି । ଆପଣଙ୍କ ପାଖରେ ବହୁତ ସମୟ ରହିଛି । ଆପଣ ଏହି କଥା ଉପରେ ଟିକେ ବିଚାର କରନ୍ତୁ ।‘ ଏହିପରି କେତେକ ଭାବ ଗମ୍ଭୀର କଥା ଟୁଇଟ୍ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ ।

ସେହିପରି ନୀତିଶ କୁମାରଙ୍କୁ ସେ ତେଜସ୍ୱୀ ଯାଦବଙ୍କୁ ଆର୍ଶୀବାଦ କରିବା ପାଇଁ ଅନୁରୋଧ କରିଛନ୍ତି । ନିର୍ବାଚନ ଫଳାଫଳର ଗୋଟିଏ ଦିନ ପରେ ଦିଗବିଜୟଙ୍କ ଏପରି ଟୁଇଟ୍ ରାଜନୈତିକ ଭିନ୍ନ ଦିଗକୁ ପ୍ରଦର୍ଶିତ କରୁଛି । କାରଣ ଅଧିକ ଆସନ ସହ ବଡ଼ ଭାଇ ପଣିଆ ଜାହିର କରିଆସୁଥିବା ଜେଡିୟୁ ଆଜି ଜନିୟର ପାର୍ଟନର । ବିଜେପି ଆଖି ଦେଖାଇବା ପାଇଁ ଆସନର ଦମ୍ଭ ନାହିଁ । ଏହି ପରିସ୍ଥିତିରେ ଅନେକ ନିଷ୍ପତ୍ତିରେ ତାଙ୍କୁ ବିଜେପି ଉପରେ ନିର୍ଭର କରିବାକୁ ପଡିବ । ଏମିତି ବି ଜେଡିୟୁ କାର୍ଯ୍ୟକର୍ତ୍ତାଙ୍କୁ ତୃଣମୂଳରେ ଭାଜପା କାର୍ଯ୍ୟକର୍ତ୍ତା ସମାଲୋଚନା କରିବା ଆରମ୍ଭ କଲେଣି ।

Lalu Prasad & Nitish Kumar (10)

ଏହି ନିର୍ବାଚନ ଏନଡିଏ ସପକ୍ଷରେ ଯାଇଥିଲେ ବି ନୀତିଶଙ୍କ ବିପକ୍ଷରେ ରହିଥିଲା । ତାହା ପ୍ରମାଣିତ ହୋଇଯାଇଛି । ତେଣୁ ନିଜର ରାଜନୈତିକ ପ୍ରତିଷ୍ଠାକୁ ବଜାୟ ରଖିବା ପାଇଁ ନୀତିଶ ନିଜର ଅନ୍ତରାତ୍ମା କଥା ଶୁଣନ୍ତୁ ବୋଲି ଦିଗବିଜୟ କହିଛନ୍ତି ।

ସେହିପରି ଜେପି, ମଣ୍ଡଳ ଆନ୍ଦୋଳନ ସମୟରେ ଲାଲୁ ଯାଦବଙ୍କ ସହ କଟିଥିବା ତାଙ୍କ ଅତୀତର ମଧ୍ୟ ସ୍ମୃତିଚାରଣ କରାଇଛନ୍ତି ଦିଗବିଜୟ । ହେଲେ ଦିଗବିଜୟଙ୍କ ଏପରି ମନ୍ତବ୍ୟ ପରେ ଭାଜପା ନେତା ରବିଶଙ୍କର ପ୍ରସାଦ ଏହାକୁ ପରାଜୟର ପୀଡା ବୋଲି ଅଭିହିତ କରିଛନ୍ତି ।

 

Leave a Reply