ବିହାର ନିର୍ବାଚନ ୨୦୨୦: ନୀତିଶ ଖେଳିଲେ ସଂରକ୍ଷଣ କାର୍ଡ, କହିଲେ ଜାତିର ଜନସଂଖ୍ୟା ଅନୁସାରେ ସଂରକ୍ଷଣ ଲୋଡ଼ା

ବିହାର: ବିହାର ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ଜୋରଦାର ହେଉଛି ପ୍ରଚାର । ପ୍ରଥମ ପର୍ଯାୟ ମତଦାନ ସରିଥିବା ଏବେ ନୂଆ ରଣନୀତି ଆପଣାଇଛନ୍ତି ମୁଖ୍ୟମନ୍ତ୍ର୍ରୀ ନୀତିଶ କୁମାର । ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ସଂରକ୍ଷଣ କାର୍ଡ ଖେଳିଛନ୍ତି ନୀତିଶ । ବିଭିନ୍ନ ଜାତିର ଜନସଂଖ୍ୟା ଅନୁସାରେ ସଂରକ୍ଷଣ ମିଳିବା ଦରକାର ବୋଲି ନୀତିଶ କହିଛନ୍ତି । ଏହି ପ୍ରସଙ୍ଗକୁ ସବୁବେଳେ ସେ ସମର୍ଥନ କରନ୍ତି । ଆଗକୁ ମଧ୍ୟ ଏନେଇ ଅନେକ ଯୋଜନା କରିବାକୁ ବାକି ଅଛି ବୋଲି ନୀତିଶ କହିଛନ୍ତି ।

ବାଲ୍ମିକି ନଗରରେ ପ୍ରଚାର ବେଳେ ନୀତିଶ କୁମାର ନିଜ ଭାଷଣରେ ଏଭଳି ମନ୍ତବ୍ୟ ଦେଇଛନ୍ତି । ସେହି ଅଞ୍ଚଳରେ ଅନେକ ଦିନ ଧରି ଥାରୁ ଜାତିର ଲୋକ ରହୁଥିବା ବେଳେ ସଂରକ୍ଷଣ ପାଇଁ ଦାବି କରି ଆସୁଛନ୍ତି । ତେବେ ନିର୍ବାଚନ ସମୟରେ ନୀତିଶଙ୍କ ଏଭଳି ପ୍ରତିଶ୍ରୁତି ଦ୍ୱାରା ଭୋଟର ମାନେ ପ୍ରଭାବିତ ହେବାର ସମ୍ଭାବନା ରହିଛି ବୋଲି ଆଶଙ୍କା କରାଯାଉଛି ।

Bihar Election

ବୁଧବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ସରିଛି । ପ୍ରଥମ ପର୍ଯ୍ୟାୟରେ ୫୪% ମତଦାନ ହୋଇଥିବା ବେଳେ ଇଭିଏମ୍‌‌ରେ ବନ୍ଦ ହୋଇଛି ୧୦୬୬ ପ୍ରାର୍ଥୀଙ୍କ ଭାଗ୍ୟ । ନଭେମ୍ବର ୩ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ବେଳେ ନଭେମ୍ବର ୭ ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେବ ଏବଂ ନଭେମ୍ବର ୧୦ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ତେବେ ଦିତ୍ୱୀୟ ପର୍ଯ୍ୟାଳୟ ନିର୍ବାଚନରେ ୧୭ଟି ଜିଲ୍ଲାର ୯୪ ବିଧାନସଭା ଆସନ ଭୋଟର ନିଜର ମତ ସାବ୍ୟସ୍ତ କରିବେ । ସେହିଭଳି ତୃତୀୟ ପର୍ଯ୍ୟାୟରେ ୧୫ ଜିଲ୍ଲାର ୭୮ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ ।

ତେବେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଏବେ ଜୋରଦାର ପ୍ରଚାର ଆରମ୍ଭ ହୋଇଯାଇଛି । ବିଜେପି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଇଦାନରେ ରହିଥିବା ବେଳେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧି ଏବଂ ଆରଜେଡି ପକ୍ଷରୁ ତେଜସ୍ୱୀ ଯାଦବ ମାରାଥନ୍‌ ରାଲି କରିଛନ୍ତି ଏବଂ ଲୋକଙ୍କ ନିକଟତର ହେବାକୁ ଚେଷ୍ଟା କରୁଛନ୍ତି ।

Leave a Reply