୨୪ ମୋବାଇଲ କଂପାନୀ ଭାରତ ମୁହାଁ

ନୂଆଦିଲ୍ଲୀ: ଚୀନକୁ ବ୍ୟବସାୟିକ ଝଟକା । ସଫଳ ହେଉଛି ଭାରତର ରଣନୀତି । ବିଶ୍ୱର ମୋବାଇଲ୍ ବଜାରରେ ଆଧିପତ୍ୟ ବିସ୍ତାର କରିଥିବା ଚୀନକୁ ପାନେ ଚଖାଇବା ପାଇଁ ଭାରତ ନେଇଥିବା ପଦକ୍ଷେପ ଫଳପ୍ରଦ ହେବାରେ ଲାଗିଛି । ଯାହାର ସିଧା ପ୍ରଭାବ ପଡ଼ିଛି ଚୀନ ଉପରେ । ଚୀନରେ ଥିବା ୨୪ଟି କମ୍ପାନୀ ସେଠାରେ ମୋବାଇଲ୍ ଉତ୍ପାଦନ କାରଖାନାକୁ ଭାରତ ସ୍ଥାନାନ୍ତର ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।

ଆମେରିକା ଓ ଚୀନ ମଧ୍ୟରେ ବାଣିଜ୍ୟକୁ ନେଇ ଲାଗି ରହିଥିବା ଉତ୍ତେଜନା ଓ କରୋନା ଭାଇରସ୍ ସଂକ୍ରମଣ ପାଇଁ କମ୍ପାନୀ ସପ୍ଲାଏ ଚେନ୍ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି । ଏହି କାରଣରୁ କମ୍ପାନୀମାନେ ଚୀନ ବାହାର ସପ୍ଲାଏ ଚେନ୍ ବିକଳ୍ପ ଖୋଜୁଛନ୍ତି ।

ରିପୋର୍ଟ ଅନୁସାରେ, ସାମସଙ୍ଗ ଓ ଆପଲ ଭଳି ନାମୀଦାମୀ କମ୍ପାନୀର କେତେକ ସହଯୋଗୀ ଭାରତ ଆସିବାକୁ ଚାହୁଁଛନ୍ତି । ଏହି କମ୍ପାନୀ ଭାରତରେ ମୋବାଇଲ୍ ଫୋନ୍ ଫ୍ୟାକ୍ଟ୍ରି ସ୍ଥାପନ ପାଇଁ ୧.୫ ଅରବ ଡଲାର (ପାଖାପାଖି ୧୧,୨୨୨ କୋଟି ଟଙ୍କା) ନିବେଶ କରିବେ ବୋଲି କୁହାଯାଉଛି ।

ଏହା ପୂର୍ବରୁ କମ୍ପାନୀ ଗୁଡ଼ିକ ଚୀନରେ ନିଜ କାରବାରକୁ କରି ଭିଏତନାମ, କମ୍ବୋଡିଆ, ମିଆଁମାର, ବାଂଲାଦେଶ ଓ ଥାଇଲାଣ୍ଡ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ । କିନ୍ତୁ, ଭାରତ ସରକାରଙ୍କ ଆନ୍ତରିକତା କମ୍ପାନୀ ଗୁଡ଼ିକୁ ଏଠାକୁ ଆସିବାକୁ ପ୍ରେରିତ କରିଛି ।

ଭାରତ ସରକାରଙ୍କ ଅନୁଯାୟୀ, ପ୍ରଡକ୍ଟ ଲିକ୍ୱଡ୍ ଇନସେଣ୍ଟିଭ୍ ସ୍କିମରେ ଦେଶରେ ୧୫୩ ଅରବ ଡଲାରର ଇଲେକ୍ଟ୍ରୋନିକ୍ସ ଜିନିଷର ଉତ୍ପାଦନ ହୋଇପାରିବ । ଯେଉଁଥିରେ ୧୦ ଲକ୍ଷ ଲୋକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେର ରୋଜଗାର ମିଳିବ ।

ଚଳିତବର୍ଷ ମାର୍ଚ୍ଚ ମାସରେ ସରକାର ଦେଶରେ ମୋବାଇଲ୍ ଫୋନ୍ ଓ କିଛି ଅନ୍ୟ ଇଲେକ୍ଟ୍ରୋନିକ୍ସ ଉପକରଣ ମ୍ୟାନୁଫ୍ୟାକ୍ଚରିଂକୁ ପ୍ରୋତ୍ସାହନ ଦେବା ପାଇଁ ଏକ ସ୍କିମ୍ ଆରମ୍ଭ କରିଥିଲେ । ଏହା ଅନୁଯାୟୀ ଭାରତରେ ତିଆରି ଉପକରଣ ଉପରେ ୬ ପ୍ରତିଶତ ଯାଏଁ ଇନସେଣ୍ଟିଭ୍ ଦିଆଯାଉଛି । ପରେ ଅନ୍ୟ କେତକ ସେକ୍ଟରର ମଧ୍ୟ ଏଭଳି ଇନସେଣ୍ଟିଭ୍ ଦିଆଯାଉଛି ।

ତେବେ, ବଡ଼ କଥା ହେଉଛି ଆମେରିକା କମ୍ପାନୀ ଆପଲ ଭାରତରେ ନିଜର ମ୍ୟାନୁଫ୍ୟାକ୍ଚରିଂ (ଉତ୍ପାଦନ) କ୍ଷମତା ବିସ୍ତାର କରୁଚି । ଆପଲର ସପ୍ଲାଏର ଫକ୍ସକନ୍ ମଧ୍ୟ ଭାରତରେ ୧ ଅରବ ଡଲାରର ନିବେଶ ପାଇଁ ଯୋଜନା କରୁଛି ।

Leave a Reply