ନିୟମ ନମାନିଲେ ଇନ୍ଦୋରକୁ ଟପିଯିବ ଭୁବନେଶ୍ୱର

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢ଼ି ଚାଲିଥିବାବେଳେ ସହରରେ ରହୁଥିବା ଲୋକ ବେଶୀ ନିୟମ ଭାଙ୍ଗୁଛନ୍ତି । ଲକଡାଉନ୍ ନିୟମକୁ ନମାନି ସହରରେ ରହୁଥିବା ଲୋକ ଅମାନିଆ ଭାବେ ବୁଲୁଛନ୍ତି । ଫଳରେ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି । ଏକଥା କହିଛନ୍ତି ରାଜ୍ୟ ସରକାରଙ୍କ କରୋନା ମୁକାବିଲା କମିଟି ମୁଖପାତ୍ର ସୁବ୍ରତ୍ ବାଗଚୀ ।

ଗାଁ ଲୋକେ ସଚେତନ ଥିବାବେଳେ ସହରିଆ ବାଟ ହୁଡ଼ୁଛନ୍ତି । ଗ୍ରାମାଞ୍ଚଳରେ ଲୋକେ ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ନଥିଲେ ଗାମୁଛା ବ୍ୟବହାର କରୁଛନ୍ତି । ପାଣି ଆଣିବାକୁ ଗଲେ ମଧ୍ୟ ସାମାଜିକ ଦୂରତା ରକ୍ଷା କରୁଛନ୍ତି ମାଆମାନେ ।

କିନ୍ତୁ, ସହରରେ ସ୍ଥିତି ଭିନ୍ନ ରହିଛି । ସହରୀ ଲୋକ ଲକଡାଉନ୍ ନିୟମ ମାନୁନାହାଁନ୍ତି । ପରିବା ହେଉ ଅବା ରାସନ୍ ପାଇଁ ଗଲାବେଳେ ଲୋକେ ମାସ୍କ ନପିନ୍ଧିବା ସହ ସାମାଜିକ ଦୂରତା ରଖୁନାହାଁନ୍ତି । ଫଳରେ ସଂକ୍ରମଣର ଭୟ ସହରରେ ଅଧିକ ରହୁଛି । ଏବେ ରାଜ୍ୟର ସର୍ବାଧିକ ୪୬ କରୋନା ଆକ୍ରାନ୍ତଙ୍କ ସହ ହଟସ୍ପଟ୍ ପାଲଟିଛି ରାଜଧାନୀ ଭୁବନେଶ୍ୱର ।

ସ୍ୱଚ୍ଛ ସହର ଇନ୍ଦୋର ବନାମ ସ୍ମାର୍ଟ ସିଟି ଭୁବନେଶ୍ୱର

ଅନ୍ୟପଟେ ଦେଶର ୧ ନମ୍ବର ସ୍ୱଚ୍ଛ ସହର ଇନ୍ଦୋର ସହ ୧ ନମ୍ବର ସ୍ମାର୍ଟ ସିଟି ଭୁବନେଶ୍ୱରକୁ ତୁଳନା କରିଛନ୍ତି ବାଗଚୀ । ଇନ୍ଦୋରର ଜନସଂଖ୍ୟା ପାଖାପାଖି ୨୦ ଲକ୍ଷ ହୋଇଥିବା ବେଳେ ଭୁବନେଶ୍ୱରର ଜନସଂଖ୍ୟା ପ୍ରାୟ ୧୦ ଲକ୍ଷ । ଏହି ୨ ସହର ଦେଶର ୧୭୦ କରୋନା ହଟସ୍ପଟ ଲିଷ୍ଟରେ ଅଛନ୍ତି ।

ଭୁବନେଶ୍ୱରରେ ପ୍ରଥମ ଆକ୍ରାନ୍ତ ମାର୍ଚ୍ଚ ୧୬ରେ ଚିହ୍ନଟ ହୋଇଥିବା ବେଳେ ଇନ୍ଦୋରରେ ମାର୍ଚ୍ଚ ୨୫ରେ ଚିହ୍ନଟ ହୋଇଥିଲା । ମାର୍ଚ୍ଚ ୨୨ରେ ଭୁବନଶ୍ୱରରେ ଲକଡାଉନ୍ ଆରମ୍ଭ ହୋଇଥିବା ବେଳେ ଇନ୍ଦୋରରେ ମାର୍ଚ୍ଚ ୨୫ରେ ଆରମ୍ଭ ହୋଇଥିଲା ଲକଡାଉନ୍ । ଏପ୍ରିଲ ୨୦ ତାରିଖ ସକାଳ ୯ଟା ସୁଦ୍ଧା ଇନ୍ଦୋରରେ ୮୯୨ଟି ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଭୁବନେଶ୍ୱରରେ ୪୬ ଜଣ ଚିହ୍ନଟ ହୋଇଛନ୍ତି । ଇନ୍ଦୋରରେ ୪୯ ଜଣ ସଂକ୍ରମିତଙ୍କ ମୃତ୍ୟୁ ସହ ମୃତ୍ୟୁ ହାର ୯.୦୨ ପ୍ରତିଶତ ରହିଥିବା ବେଳେ ଭୁବନଶ୍ୱରରେ ଜଣଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁହାର ରହିଛି ୦.୧୮ ପ୍ରତିଶତ ।

ତେଣୁ, ଆମେ ଲକଡାଉନ ନିୟମକୁ କଡ଼ାକଡ଼ି ପାଳନ ନକଲେ ଭୁବନେଶ୍ୱର ସ୍ଥିତି ଇନ୍ଦୋରକୁ ଟପିବାକୁ ସମୟ ଲାଗିବ ନାହିଁ । ସମସ୍ତେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ ବାଗଚୀ କହିଛନ୍ତି । ଏଥିସହ କେହି ବି ସର୍ବସାଧାରଣ ସ୍ଥାନରେ ଛେପ ନପକାଇବାକୁ କହିଛନ୍ତି ।

ଆଜି ଚିହ୍ନଟ ୬ ଆକ୍ରାନ୍ତଙ୍କ ମଧ୍ୟରୁ ଯାଜପୁରର ୫, ସୁନ୍ଦରଗଡ଼ରୁ ଜଣେ

Leave a Reply